ଭୁବନେଶ୍ବର: ଅପରାହ୍‌ଣ ୨ଟା। ରାଜ୍ୟର ସମସ୍ତ ୪୭ଟି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ଶତାଧିକ ପରୀକ୍ଷାର୍ଥୀ। ପ୍ରଶ୍ନପତ୍ର ମିଳିସାରିଥିଲା। କିଏ ପଢ଼ୁଥିଲେ ତ ଆଉ କିଏ ଖାତାରେ ଉତ୍ତର ଲେଖିବା ଆରମ୍ଭ କରିଥିଲେ। ଶିକ୍ଷକ ଆସି ପରୀକ୍ଷାର୍ଥୀଙ୍କୁ କହିଥିଲେ, ପରୀକ୍ଷା ବାତିଲ ହୋଇଗଲା। ପ୍ରଶ୍ନପତ୍ର ଓ ଉତ୍ତରଖାତା ହଲ୍‌ରେ ରଖି ବାହାରକୁ ଚାଲିଯାଆନ୍ତୁ। ଏଭଳି ଖବର ଶୁଣି ପରୀକ୍ଷାର୍ଥୀଙ୍କ ମୁଣ୍ଡ ଘୂରାଇଗଲା। ହଲ୍‌ରୁ ବାହାରି ଭୋ ଭୋ ହୋଇ କାନ୍ଦି ଉଠିଲେ ପରୀକ୍ଷାର୍ଥୀ। ମାସ ମାସ ଧରି ଯେଉଁ ପରୀକ୍ଷା ଦେବାକୁ ପାଠ ପଢ଼ିଥିଲେ ତାହା ଦେଇ ନପାରିବାରୁ ଭାଙ୍ଗି ପଡ଼ିଥିଲେ। ଆଜି ରାଜ୍ୟରେ ଏଭଳି ଏକ ପରିବେଶ ସୃଷ୍ଟି ହୋଇଛି।

Advertisment

ଓଡ଼ିଶା ନେର୍ସସ୍ ଆଣ୍ଡ ମିଡ୍ ୱାଇଭ୍‌ସ ପରୀକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ଏଏନ୍‌ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍‌ ପରେ ଛାତ୍ରଛାତ୍ରୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ଓ ପରୀକ୍ଷା ବାତିଲକୁ ନେଇ ବିରୋଧୀ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ପୂର୍ବାହ୍ନରେ ବେରୋଜଗାରୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବାବେଳେ କଂଗ୍ରେସ ବିଧାୟକ ସି.ଏସ୍ ରାଜନ୍ ଏକ୍କା ଏଏନ୍‌ଏମ୍ ପ୍ରଶ୍ନପତ୍ର ଲିକ୍ କଥା ଉଠାଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ, ଆଜି ଏଏନ୍‌ଏମ୍ ପରୀକ୍ଷା ୨ଟାରେ ହେବାକୁ ଥିଲା। ହେଲେ ୧୧ଟାରେ ପ୍ରଶ୍ନପତ୍ର ବାହାରେ ବୁଲୁଛି। ସରକାର ପରୀକ୍ଷା ବାତିଲ କରି କାର୍ଯ୍ୟାନୁଷ୍ଠାନ ନେବେ କି? 

Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା

ବିଧାନସଭାରେ ହଟ୍ଟଗୋଳ, ଥାନାରେ ଏତଲା
କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

ଅପରାହ୍ନରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପଏଣ୍ଟ ଅଫ୍ ଅର୍ଡରରେ କହିଥିଲେ, ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ଆଉ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବନି। ସରକାରୀ ବ୍ୟବସ୍ଥାରେ କୌଣସି ରାଜନୈତିକ ହସ୍ତକ୍ଷେପ ରହିବନି। କିନ୍ତୁ ଆଜି ଏଏନ୍‌ଏମ୍ ପ୍ରଶ୍ନପତ୍ର ଲିକ୍ ହେଲା। ସ୍ବାସ୍ଥ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ। ବାଚସ୍ପତି ସୁରମା ପାଢ଼ୀ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଖର୍ଚ୍ଚ ଦାବି ଆଲୋଚନା ପାଇଁ ଡାକିବାରୁ ବିରୋଧୀ ତାତି ଯାଇଥିଲେ। ବିଜେଡି ଓ କଂଗ୍ରେସ ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଗୃହ ଚଳାଇବା ସମ୍ଭବ ନ ହେବାରୁ ଗୃହକୁ ଦୁଇ ଥରରେ ୪ଟା ୬ରୁ ୪ଟା ୨୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପରେ ବାଚସ୍ପତି କହିଥିଲେ, ଏଏନ୍‌ଏମ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଗୃହରେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଉଛି। 

Annual Examination: ଫ୍ରେବୁଆରି ୧୮ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା, ପ୍ରଥମ ଥର ୱେବ୍‌ କାଷ୍ଟିଙ୍ଗ୍‌ ବ୍ୟବସ୍ଥା

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ କହିଥିଲେ, ରାଜ୍ୟର ୩୦ଟି ଜିଲ୍ଲାର ୪୭ଟି ପରୀକ୍ଷା କେନ୍ଦ୍ରରେ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏଏନ୍‌ଏମ୍ ଦ୍ବିତୀୟ ବର୍ଷର (ପଞ୍ଚମ ପେପର-ମିଡ୍ ୱାଇଫରି) ପରୀକ୍ଷା ହେବାର ଥିଲା। ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ କଥା ବିଭିନ୍ନ ଗଣମାଧ୍ୟମରୁ ଜଣାପଡ଼ିଥିଲା। ସରକାରଙ୍କ ତରଫରୁ କ୍ୟାପିଟାଲ ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଛି। ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।