ଡିଆର୍‌ଡିଓକୁ ବଡ଼ ସଫଳତା : ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ ‘ଧ୍ରୁବାସ୍ତ୍ର’ ର ପରୀକ୍ଷଣ

ଡିଆର୍‌ଡିଓକୁ ବଡ଼ ସଫଳତା : ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ ‘ଧ୍ରୁବାସ୍ତ୍ର’ ର ପରୀକ୍ଷଣ

ବାଲେଶ୍ୱର : ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଟ୍ୟାଙ୍କ୍ ବିଧ୍ବଂସୀ କ୍ଷେପଣାସ୍ତ୍ର 'ଧ୍ରୁବାସ୍ତ୍ର' ଟାର୍ଗେଟ୍‌କୁ ଧ୍ବଂସ କରିଛି। ଜୁଲାଇ ୧୫ ଓ ୧୬ ତାରିଖରେ ବାଲେଶ୍ବର ଚାନ୍ଦିପୁରସ୍ଥିତ ଇଣ୍ଟେରିମ୍ ଟେଷ୍ଟ୍‌ ରେଞ୍ଜ୍‌ (ଆଇଟିଆର)ରେ ଏହାର ସଫଳ ପରୀକ୍ଷଣ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଥର ବିନା ହେଲିକପ୍ଟରରେ ଏହାର ପରୀକ୍ଷଣ ହୋଇଛି। ପ୍ରଥମେ 'ନାଗ' ଭାବେ ପରିଚିତ ଏହି କ୍ଷେପଣାସ୍ତ୍ରର ନାମ ପରିବର୍ତ୍ତନ ହୋଇ 'ଧ୍ରୁବାସ୍ତ୍ର' ରଖାଯାଇଛି। ଏହି ବେଗଗାମୀ କ୍ଷେପଣାସ୍ତ୍ର ନିମିଷକେ ମଧ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କକୁ ଧ୍ବଂସ କରିଦେବାର କ୍ଷମତା ରଖିଛି। ଉଭୟ ସ୍ଥଳ ଓ ଆକାଶରୁ ଏହି କ୍ଷେପଣାସ୍ତ୍ରକୁ ବ୍ୟବହାର କରାଯାଇପାରିବ। ଏମିତିକି ପ୍ରତିକୂଳ ପାଗରେ ମଧ୍ୟ। ସ୍ବୟଂଚାଳିତ ରିମୋଟ୍‌ ସେନସର୍‌, ଅତ୍ୟାଧୁନିକ ରାଡାର୍‌ ଏବଂ ଅନ୍ୟାନ୍ୟ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଭାରତୀୟ ପ୍ରତିରକ୍ଷା ବିଜ୍ଞାନୀମାନେ ଏହାର ମାରକ କ୍ଷମତାକୁ ଆହୁରି ବିକଶିତ କରିଛନ୍ତି। ଯାହାଫଳରେ ଏହା ଲଞ୍ଚପ୍ୟାଡ୍‌ରୁ ନିର୍ଗତ ହେଲା କ୍ଷଣି ମାତ୍ର କେଇ ମିନିଟ୍‌ ମଧ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ରକୁ ଧୂଳିସାତ୍‌ କରିପାରିବ। 'ଧ୍ରୁବାସ୍ତ୍ର'କୁ ଏମିତି ଢଙ୍ଗରେ ତିଆରି କରାଯାଇଛି, ଶତ୍ରୁପକ୍ଷ ଚାହିଁଲେ ବି ଏହାକୁ ରୋକି ପାରିବନି। ଉଭୟ ପ୍ରତ୍ୟକ୍ଷ ଏବଂ ଊର୍ଦ୍ଧ୍ବ ଆକ୍ରମଣ ଶୈଳୀରେ ଏହାକୁ ବ୍ୟବହାର କରାଯାଇପାରିବ। ଏହାର ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ୮ କେଜି ହୋଇଥିବାବେଳେ ଲକ୍ଷ୍ୟଭେଦ କ୍ଷମତା ରହିଛି ୫୦୦ ମିଟରରୁ ୪ ହଜାର ମିଟର। ପାରମ୍ପରିକ ଆଚ୍ଛାଦନ ତଥା ପରମାଣୁ ନିରୋଧୀ ଆଚ୍ଛାଦନ ଥିବା ଟ୍ୟାଙ୍କ, କମାଣକୁ ମଧ୍ୟ ଏହା କ୍ଷଣକରେ ଉଡ଼ାଇ ଦେଇପାରିବ। ଏହି କ୍ଷେପଣାସ୍ତ୍ର ଉଭୟ ସ୍ଥଳ ଓ ବାୟୁସେନା କାମରେ ଆସିବ ବୋଲି ଚାନ୍ଦିପୁର ଆଇଟିଆରର ନିର୍ଦେଶକ ଡକ୍ଟର ବିନୟ କୁମାର ଦାସ ସୂଚନା ଦେଇଛନ୍ତି। କୋଭିଡ୍ ଗାଇଡ ଲାଇନ୍ ଅନୁସାରେ ମିସନ୍‌ ପ୍ରସ୍ତୁତି ଓ ପରୀକ୍ଷଣ କରାଯାଇଥିବା ଡକ୍ଟର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe