Advertisment

ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦେଶ

Advertisment
ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦେଶ

Berlin.de

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆବଶ୍ୟକ ସଂଖ୍ୟକ ଔଷଧ, ମୋବାଇଲ ହେଲଥ୍‌ ଟିମ, ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ହସ୍ପିଟାଲ, ପରୀକ୍ଷାଗାର, କୋଲ୍‌ଡ ଚେନ୍ ପଏଣ୍ଟ ଓ ଅକ୍ସିଜେନ୍ ପ୍ରସ୍ତୁତକାରୀ ୟୁନିଟ୍‌ରେ ପାୱାର ବ୍ୟାକଅପ୍ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହାସହ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେଉଥିବା ଲୋକଙ୍କ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରିବା ଲାଗି କୁହାଯାଇଛି। ଯେଉଁମାନଙ୍କର କରୋନା ଲକ୍ଷଣ ରହିଛି ଓ ଆଣ୍ଟିଜେନ୍ କିଟ୍‌ରେ ନେଗେଟିଭ୍ ଆସିଛି ସେମାନଙ୍କ ଆରଟି-ପିସିଆର ପରୀକ୍ଷା କରାଯିବ। ଶନିବାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି।

କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଯେପରି ରୋଗୀମାନଙ୍କ ଚିକିତ୍ସା‌ରେ କୌଣସି ସମସ୍ୟା ନ ହେବ ସେଥିପାଇଁ ଆବଶ୍ୟକ ପରିମାଣର ଔଷଧ, ଅକ୍ସିଜେନ୍ ସିଲିଣ୍ଡର, ମାନବ ସମ୍ବଳ ନିୟୋଜିତ କରିବା ଲାଗି କୁହାଯାଇଛି। ମଧୁମେହ, ଉଚ୍ଚ ରକ୍ତଚାପ, ଯକୃତ/କିଡନି, ଶ୍ବାସରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତିମାନେ କରୋନା ପାଇଁ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ସ୍ବତନ୍ତ୍ର ନଜର ରଖାଯାଉ। ବାତ୍ୟା ପାଇଁ କେତେକ ଜିଲ୍ଲାରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହିଥିବାରୁ ଜିଲ୍ଲାର ପ୍ରମୁଖ ଡାକ୍ତରଖାନାରେ ସାଟେଲାଇଟ୍ ଫୋନ୍/ହାମ୍ ରେଡିଓ ସଂଯୋଗ ଦିଆଯାଉ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେପରି କୋଭିଡ ନିୟମାବଳୀ ବଜାୟ ରହିବ ‌ତାହା ଉପରେ ଧ୍ୟାନ ଦେବା ସହିତ କ୍ୟାମ୍ପ୍‌ରେ ସାମାଜିକ ଦୂରତା, ହାତ ଧୋଇବା ଓ ମାସ୍କ ପିନ୍ଧିବା ଉପରେ ନଜର ରଖାଯାଉ। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରିବା ସହିତ ସେମାନଙ୍କ ନାଁ, ପଦବି ଓ ଯୋଗାଯୋଗ ନମ୍ବର ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ପଠାଇବେ। ରାଜ୍ୟର ବିଭିନ୍ନ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌ କମିସନର କାର୍ଯ୍ୟାଳୟର ସହଯୋଗରେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। କଣ୍ଟ୍ରୋଲ ରୁମ୍‌ଟି କିଭଳି କାର୍ଯ୍ୟ କରିବ ତାହାର ଏକ ବିସ୍ତୃତ ପ୍ଲାନ୍‌ ପ୍ରସ୍ତୁତ କରିବା ଲାଗି କୁହାଯାଇଛି।

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଥିବା ହସ୍ପିଟାଲ, ପରୀକ୍ଷାଗାର, କୋଲଡ୍‌ ଚେନ୍ ପଏଣ୍ଟ ଇତ୍ୟାଦିରେ ଯେପରି ବିଦ୍ୟୁତ ସରବରାହ ବ୍ୟାଘାତ ନ ହେବ ସେଥିପାଇଁ ଯଥେଷ୍ଟ ପରିମାଣର ତେଲ ଓ ଡିଜି ସେଟ୍‌କୁ ପ୍ରସ୍ତୁତ ରଖାଯାଉ। ତଳିଆ ଅଞ୍ଚଳ ଓ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପାଇଁ ମେଡିକାଲ ରିଲିଫ କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉପ‌ରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଅକ୍ସିଜେନ୍ ଟ୍ୟାଙ୍କ, ସହିତ ରେଳବାଇ, ବାୟୁସେନାର ଖାଲି ଟ୍ୟାଙ୍କର କିଭଳି ସହଜରେ ଯାତାୟତ କରିପାରିବ ତାହାର ଆଗୁଆ ପ୍ଲାନିଂ କରାଯିବା ଜରୁରୀ ବୋଲି ଚିଠିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe