ମା’ ଝିଅ ଡବଲ୍ ମର୍ଡର ମାମଲା : ୩ ଦିନିଆ ରିମାଣ୍ଡରେ ଅନୁପ

ଗୁରୁବାର ନାର୍କୋ ଟେଷ୍ଟ୍‌ ପାଇଁ ଅନୁମତି ଉପରେ ଶୁଣାଣି, ଅନୁପଙ୍କ ଇନୋଭା ଜବତ

କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ଘଟଣା : ଅନୁପଙ୍କ ରିମାଣ୍ଡ ଆବେଦନର ଶୁଣାଣି ଘୁଞ୍ଚିଲା

ଝାରସୁଗୁଡ଼ା : ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ତିନିଦିନ ରିମାଣ୍ଡରେ ନେଇଛି ଛତିଶଗଡ଼ ପୁଲିସ। ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଦିନକ ପାଇଁ ରିମାଣ୍ଡରେ ନିଆଯାଇଛି। ତେବେ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ଅନୁମତି ପାଇଁ ପୁଲିସ କରିଥିବା ଆବେଦନ ସଂପର୍କରେ ଗୁରୁବାର କୋର୍ଟ ନିଷ୍ପତ୍ତି ଶୁଣାଇବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ପରେ ମୃତ‌େଦହ ଉପରେ ଇନୋଭା ଗାଡ଼ି ଚଢ଼ାଇ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ହୋଇଥିଲା ବୋଲି ପୂର୍ବରୁ ପୁଲିସ କହିଥିବାବେଳେ ଆଜି ଅନୁପଙ୍କ ଇନୋଭାକୁ ଜବତ କରିଥିବା ଜଣାପଡ଼ିଛି।

ଗତକାଲି ଭଳି ଆଜି ମଧ୍ୟ ଅନୁପ ସାଏ ଓ ଡ୍ରାଇଭର୍‌ ବର୍ଦ୍ଧନଙ୍କୁ ରାୟଗଡ଼ ସିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ହତ୍ୟାକାଣ୍ଡର ତଦନ୍ତ କରୁଥିବା ଚକ୍ରଧରନଗର ଥାନା ପୁଲିସ ପକ୍ଷରୁ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ମଙ୍ଗଳବାର କରାଯାଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା। ଅନୁପଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିଲା। ତେବେ ଆବେଦନର ବିଚାର କରି ଅଦାଲତ ଅନୁପ ସାଏଙ୍କୁ ୩ ଦିନ ଓ ବର୍ଦ୍ଧନଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଅନୁମତି ଦେଇଥିଲେ। ସେହିପରି ଉଭୟଙ୍କ ନାର୍କୋ ଟେଷ୍ଟ ପାଇଁ ପୁଲିସ କରିଥିବା ଆବେଦନର ଶୁଣାଣି ଗୁରୁବାର ହେବ ବୋଲି ସରକାରୀ ଓକିଲ ବେଦପ୍ରକାଶ ପଟେଲ କହିଛନ୍ତି।

ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ବିଜୟ ସରାଫ ଅଭିଯୁକ୍ତ ଅନୁପ ସାଏଙ୍କ ହୃଦ୍‌ରୋଗ ଥିବା ଦୃଷ୍ଟିରୁ ତାଙ୍କ ସ୍ବାସ୍ଥ୍ୟରେ ଯେପରି କୌଣସି ସମସ୍ୟା ନହେବ ସେଥିପାଇଁ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥି‌ଲେ। ରିମାଣ୍ଡ ଅବଧି ମଧ୍ୟରେ ଅନୁପଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ ମଧ୍ୟ କୋର୍ଟ ନିର୍ଦେଶ ଦେଇଥିବା ଜଣାପଡ଼ିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଦ୍ଧନକୁ ଗୁରୁବାର ସନ୍ଧ୍ୟାରେ ଏବଂ ଅନୁପଙ୍କୁ ୨୨ ତାରିଖ ଶନିବାର ସନ୍ଧ୍ୟାରେ କୋର୍ଟରେ ହାଜର କରାଯିବ। କୋର୍ଟଙ୍କ ଏହି ନିର୍ଦେଶ ପରେ ଚକ୍ରଧରନଗର ପୁଲିସ ଉଭୟଙ୍କୁ ଥାନାକୁ ନେଇଥିବା ଜଣାଯାଇଛି। ଆସନ୍ତାକାଲି ସେମାନଙ୍କୁ ମୁହାଁମୁହିଁ ଜେରା ସହ ପୁଣିଥରେ ଉଭୟଙ୍କୁ ନେଇ ହତ୍ୟାକାଣ୍ଡର ଡେମୋ କରାଯାଇପାରେ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ କଳ୍ପନା ଓ ବବ୍‌ଲିକୁ ପ୍ରଥମେ ଲୁହା ରଡ୍‌ରେ ମାରି ହତ୍ୟା କରିବା ପରେ ତାଙ୍କ ପରିଚୟ ଲୁଚାଇବା ଓ ଦୁର୍ଘଟଣାର ରୂପ ଦେବାକୁ ଯାଇ ତାଙ୍କ ମୁଣ୍ଡ ଉପରେ ଅନୁପଙ୍କ ଇଙ୍ଗିତରେ ବର୍ଦ୍ଧନ ବୋଲେରୋ ଚଢ଼ାଇଥିବା ‌ନେଇ ରାୟଗଡ଼ ପୁଲିସ ପୂର୍ବରୁ ସୂଚନା ଦେଇଥିଲା। ପରେ ଡ୍ରାଇଭର୍‌ ବର୍ଦ୍ଧନକୁ ଗିରଫ କରିବା ପରେ ପୁଲିସ ଘଟଣାସ୍ଥଳରେ ଯେଉଁ ଡେମୋ ଉପସ୍ଥାପନ କଲା ସେତେବେଳେ ଏହି ହତ୍ୟାକାଣ୍ଡରେ ଇନୋଭା ବ୍ୟବହାର ହୋଇଥିବା‌ ନେଇ ଚିତ୍ର ଆଗକୁ ଆସିଥିଲା। ତେବେ ଏହି ହତ୍ୟାକାଣ୍ଡରେ କେଉଁ ଇନୋଭା ବ୍ୟବହୃତ ହୋଇଥିଲା ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଅନୁପଙ୍କ ନାମରେ ଥିବା ଇନୋଭା (ଓଡି-୦୨ଭି-୯୭୪୪)କୁ ଆଜି ପୁଲିସ ଜବତ କରିଛି। ଅପରାହ୍‌ଣ ୩ ଟାରେ ପୁଲିସ ଅନୁପ ସାଏଙ୍କ ବ୍ରଜରାଜନଗର ବାସଭବନକୁ ଆସି ଏହି ଇନୋଭାକୁ ଚକ୍ରଧରନଗର ଥାନାକୁ ନେଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe