The News Room
କଟକ : ଘରୋଇ ହିଂସା ଅଭିଯୋଗ ମାମଲାରେ ଜବାବ ରଖିବାକୁ ଅଦାଲତରୁ ଅଧିକ ସମୟ ଲୋଡ଼ିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ତାଙ୍କର ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ମାମଲାରେ ଆଜି କଟକ ସଦର ଏସ୍ଡିଜେଏମ୍ ଅଦାଲତରେ ଅନୁଭବ ଓକିଲଙ୍କ ମାଧ୍ୟମରେ ହାଜର ହେବା ସହିତ ଜବାବ ରଖିବାକୁ ଅଧିକ ସମୟ ମାଗିଥିଲେ। ଅଦାଲତ ଏଥିପାଇଁ ଅନୁମତି ଦେବା ସହିତ ବର୍ଷାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮କୁ ଧାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ଗତ ଅଗଷ୍ଟ ୭ରେ ଏହି ମାମଲା ରୁଜୁ କରିଥିଲେ। ସେପ୍ଟେମ୍ବର ୭ରେ ସୁରକ୍ଷା ଅଧିକାରୀ ଅନୁଭବଙ୍କ ବାସଭବନରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଥିଲେ। ସୁରକ୍ଷା ଅଧିକାରୀ ବର୍ଷାଙ୍କୁ କଣ ସବୁ ନିର୍ଦ୍ଦିଷ୍ଟ ଭାବେ ଘରୋଇ ହିଂସା ସଂପର୍କିତ ଅଭିଯୋଗ ରହିଛି ସେ ସଂପର୍କରେ ପଚାରି ବୁଝିଥିଲେ। କେବେଠାରୁ ଏଭଳି ନିର୍ଯାତନାର ଶିକାର ହେଉଛନ୍ତି, କାହା ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଅଭିଯୋଗ ରହିଛି ସେ ନେଇ ବର୍ଷାଙ୍କୁ ସୁରକ୍ଷା ଅଧିକାରୀ ପଚାରିଥିଲେ। ଯୌତୁକ ଦାବି ଓ ଅନ୍ୟ ଘରୋଇ ବିବାଦ ପ୍ରସଂଗରେ ବର୍ଷାଙ୍କର କଣ ଅଭିଯୋଗ ରହିଛି, ସେ ନେଇ ମଧ୍ୟ ସୁରକ୍ଷା ଅଧିକାରୀ ପଚାରି ବୁଝିବା ସହିତ ନିର୍ଦ୍ଦିଷ୍ଟ ଫର୍ମରେ ଲେଖିଥିଲେ। ଫର୍ମର ଥିବା ୭ଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ଓ ଅନ୍ୟ ତଥ୍ୟ ପୂରଣ କରାଯିବା ପରେ ବର୍ଷା ସେଥିରେ ସ୍ବାକ୍ଷର କରିଥିଲେ। ଏହାପରେ ସୁରକ୍ଷା ଅଧିକାରୀ ଏ ସଂପର୍କିତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ। ଏହି ମାମଲାରେ ଗଲା ଅକ୍ଟୋବର ୧୨ରେ ଅଦାଲତ ଅନୁଭବଙ୍କୁ ଜବାବ ରଖିବାକୁ ନୋଟିସ୍ କରିଥିଲେ। ଅନ୍ୟପଟେ ବର୍ଷାଙ୍କ ପକ୍ଷରୁ କଟକ ପରିବାର ଅଦାଲତରେ ତାଙ୍କ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଅନୁରୋଧ କରି ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବ। ଏଥି ସହିତ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଦାୟର କରିଥିବା ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟରେ ଦାୟର କରିଥିବା ଆବେଦନ ବି ଏବେ ବିଚାରାଧୀନ ରହିଛି।
କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ବିଭିନ୍ନ ସଂଗିନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସଡିଜେଏମ୍ ଅଦାଲତର ଦ୍ବାରସ୍ଥ ହାଇଛନ୍ତି। ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ-୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ ଅନୁଯାୟୀ ବର୍ଷା ଏହି ମାମଲା ରୁଜୁ କରିଛନ୍ତି। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ଆର.କେ. ରଥ ଏହି ମାମଲା ପରିଚାଳନା କରୁଛନ୍ତି।
Follow Us