ଜାତୀୟ ରାଜପଥ ଅବସ୍ଥା ନେଇ ତାତିଲେ ଲୋକେ, ବାମୁରଠୁ ବଅଁରପାଳ ପର୍ଯ୍ୟନ୍ତ ପରିବହନ ଠପ୍‌

Advertisment

ଓକିଲ ସଂଘ ଡାକରାରେ ୬ଘଣ୍ଟା ରାସ୍ତା ଅବରୋଧ

ଓକିଲ ସଂଘ ଡାକରାରେ ୬ଘଣ୍ଟା ରାସ୍ତା ଅବରୋଧ

ଜାତୀୟ ରାଜପଥ ଅବସ୍ଥା ନେଇ ତାତିଲେ ଲୋକେ, ବାମୁରଠୁ ବଅଁରପାଳ ପର୍ଯ୍ୟନ୍ତ ପରିବହନ ଠପ୍‌

ଅନୁଗୁଳ : ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ପ୍ରତିବା‌ଦରେ ରବିବାର ଦିନ ଜାତୀୟ ରାଜପଥକୁ ଅଚଳ କରି ଦିଆଯାଇଛି। ଜିଲ୍ଲା ଓକିଲ ସଂଘ ଦେଇଥିବା ଜାତୀୟ ରାଜପଥ ବନ୍ଦ ଡାକରାରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯୋଗଦେଇ ରାସ୍ତାକୁ ୬ ଘଣ୍ଟା ପାଇଁ ବନ୍ଦ କରିଛନ୍ତି। ଫଳରେ ରବିବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ଜାତୀୟ ରାଜପଥର ହୋଇଥିବା ଅବସ୍ଥାର ସ୍ଥାୟୀ ସମାଧାନ ପାଇଁ ଓକିଲ ସଂଘ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ସଂଗଠନ ଏକାଠି ହୋଇଥିଲେ। ଫଳ‌ରେ ରବିବାର ସକାଳୁ ବାମୁରରୁ ବଅଁରପାଳ ପର୍ଯ୍ୟନ୍ତ ପୂରା ରାଜପଥ ଶୂନଶାନ୍‌ ହୋଇପଡ଼ିଥିଲା। ଅନୁଗୁଳ ଓକିଲ ସଂଘ ନେତୃତ୍ବରେ ଅନୁଗୁଳ ସହରରେ ହୋଇଥିବା ଆନ୍ଦୋଳନରେ ବିଜେଡି, ବିଜେପି, କଂଗ୍ରେସ, ଏସ୍‌ୟୁସିଆଇ, କମ୍ୟୁନିଷ୍ଟ ସହିତ ବିଭିନ୍ନ ସଂଗଠନ ସାମିଲ ହୋଇ ଏହାକୁ ସମର୍ଥନ ଦେଇଥିଲେ। ଅନୁଗୁଳ ଓକିଲ ସଂଘ ସଭାପତି ଦିଲୀପ କୁମାର ସାହୁଙ୍କ ନେତୃତ୍ବରେ ଆଜି ସକାଳୁ ସକାଳୁ ହୁଲୁରିସିଂହା ଛକଠାରୁ ଆରମ୍ଭ କରି ଅନୁଗୁଳ ଟ୍ରାଫିକ୍‌ ଛକ, ପିଟିସି ଛକ, କାଲ୍‌ଟ୍ୟାକ୍ସ ଛକଠାରେ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଥିଲା। ଏଥିପାଇଁ ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ବନ୍ଦ ରହିଥିଲା। କେବଳ ମୋଟର ସାଇକେଲ, ଆମ୍ବୁଲାନ୍‌ସ ସେବା ଓ ଅନ୍ୟ ଜରୁରୀ ସେବାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଗାଡ଼ିମଟର ଚଳାଚଳ କରିବାକୁ ଦିଆଯାଇନଥିଲା।

ଜାତୀୟ ରାଜପଥର ଅବସ୍ଥା ଏବେ ଅନୁଗୁଳ ଜିଲ୍ଲାବାସୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି। ଜାତୀୟ ରାଜପଥର ଅବସ୍ଥା ଗାଁ ରାସ୍ତାଠୁ ବି ହୀନ ହୋଇପଡ଼ିଛି। ରାଜପଥରେ ଏମିତି କାଦୁଅ ହୋଇଛି, ସତେ ଯେମିତି ବିଲରେ ଚାଷ କରିବା ପାଇଁ କେହି ହଳ ଲଙ୍ଗଳ କରିଛି। ଜାତୀୟ ରାଜପଥର ଏମିତି କଦର୍ଯ୍ୟ ଅବସ୍ଥା ସତ୍ତ୍ବେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କୌଣସି ଠୋସ୍‌ ପଦକ୍ଷେପ ନେଇନାହାନ୍ତି। ଏହାକୁ ନେଇ ଅନୁଗୁଳ ଓକିଲ ସଂଘ ଉଦ୍‌ବେଗ ପ୍ରକାଶ କରିବା ସହିତ ପୂରା ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥ ସମସ୍ୟାର ସମାଧାନ ପାଇଁ ୬ଘଣ୍ଟିଆ ରାସ୍ତା ଅବରୋଧ ଡାକରା ଦେଇଥିଲା। ଏହାକୁ ବିଭିନ୍ନ ରାଜନୈତିକ ଦଳ ସହ ଟ୍ରକ୍‌, ବସ୍‌ ମାଲିକ ସଂଘ ସହିତ ଜିଲ୍ଲାର ସବୁ ଓକିଲ ସଂଘ ସମର୍ଥନ ଦେଇଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ସମେତ ବିଜେଡିର ବରିଷ୍ଠ ନେତାମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ସହିତ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନରେ ସାମିଲ୍ ହୋଇ ଅବରୋଧକୁ ସଫଳ କରିଥିଲେ। ଏହି ଆନ୍ଦୋଳନରେ କେବଳ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। କିନ୍ତୁ, ଦୋକାନ ବଜାର ସବୁ ସ୍ବାଭାବିକ ଭାବେ ଖୋଲାଥିଲା। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହୋଇଥିଲା। ଆନ୍ଦୋଳନରେ ଓକିଲ ସଂଘର ଉପସଭାପତି ଭବାନୀ ଶଙ୍କର ପ୍ରଧାନ, ସାଧରଣ ସଂପାଦକ ଧ୍ରୁବ ଚରଣ ସାହୁ, ସହ ସଂପାଦକ ପ୍ରେମାନନ୍ଦ ସାହୁ, ସାଂସ୍କୃତିକ ସଂପାଦକ କୁଶ ସାହୁ, କୋଷାଧ୍ୟକ୍ଷ ଗୋପାଳ ପ୍ରସାଦ ଅଗ୍ରୱାଲ, ବରିଷ୍ଠ ଓକିଲ ସୁବାଷ ମିଶ୍ର, ଭୂପେଶ ପ୍ରଧାନ, ବିଦୁଭୂଷଣ ପଟ୍ଟନାୟକ, ଦୁଷ୍ମନ୍ତ ସେନାପତି, କାଳୀଚରଣ କର, ସୁଶାନ୍ତ ମିଶ୍ର, ସୁଦୀପ ମିଶ୍ର, ରାକେଶ ଭୂତିଆ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe