ଭାଙ୍ଗିଗଲା ଅନୁଗୁଳର କଳା ମେରୁଦଣ୍ଡ: ଅନୁଗୁଳର ନୃତ୍ୟ, ସଂଗୀତ ମହାବିଦ୍ୟାଳୟ ବନ୍ଦ

Advertisment

ରାଜ୍ୟ ନଗର ଉନ୍ନୟନ ବିଭାଗର ଏକମାତ୍ର ମହାବିଦ୍ୟାଳୟ, ସବୁ ଗୁରୁଙ୍କର ଅବସର ପରେ କଲେଜରେ ଝୁଲୁଛି ତାଲା

ରାଜ୍ୟ ନଗର ଉନ୍ନୟନ ବିଭାଗର ଏକମାତ୍ର ମହାବିଦ୍ୟାଳୟ, ସବୁ ଗୁରୁଙ୍କର ଅବସର ପରେ କଲେଜରେ ଝୁଲୁଛି ତାଲା

ଭାଙ୍ଗିଗଲା ଅନୁଗୁଳର କଳା ମେରୁଦଣ୍ଡ: ଅନୁଗୁଳର ନୃତ୍ୟ, ସଂଗୀତ ମହାବିଦ୍ୟାଳୟ ବନ୍ଦ

ଅନୁଗୁଳ : ଅନୁଗୁଳ ନୃତ୍ୟ ଏବଂ ସଂଗୀତର ଏନ୍ତୁଡ଼ିଶାଳ କହିଲେ, ନୃତ୍ୟ, ସଂଗୀତ ଭାରତୀ ମହାବିଦ୍ୟାଳୟ। ଏ ଅନୁଷ୍ଠାନଟି ଗଲା ୪୦ବର୍ଷ ହେଲା ଜିଲ୍ଲାରୁ କେବଳ ନୂଆ ପ୍ରତିଭାବାନ ନୃତ୍ୟ ଏବଂ ସଂଗୀତ କଳାକାରଙ୍କୁ ତିଆରି କରି ନଥିଲା, ବରଂ ଅନୁଗୁଳ ଜିଲ୍ଲାର କଳା ଓ ସଂସ୍କୃତିର ମେରୁଦଣ୍ଡ ସାଜି ତାକୁ ବଞ୍ଚାଇ ରଖିଥିଲା। କିନ୍ତୁ, ସରକାରଙ୍କ ଅବହେଳା ପାଇଁ ଅନୁଗୁଳର ଏ ମେରୁଦଣ୍ଡଟି ଆଜି ଭାଙ୍ଗିଯାଇଛି। ସଂଗୀତ ଏବଂ ନୃତ୍ୟ ଶିଖାଇବାକୁ ଏଠି ଜଣେ ହେଲେ ବି ଗୁରୁ ନାହାନ୍ତି। ସେଥିପାଇଁ ଓଡ଼ିଶା ସରକାରଙ୍କର ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ମାତ୍ର ମହାବିଦ୍ୟାଳୟଟି କୋଭିଡ୍ ପରଠାରୁ ବନ୍ଦ ପଡ଼ିଛି।

ସୂଚନା ମୁତାବକ, ଏ କଲେଜର ସ୍ଥାପନା ହୋଇଥିଲା ୧୯୮୧ମସିହାରେ। ମଦନମୋହନପଡ଼ାର ଚା‌ରୋଟି ବଡ଼ ବଡ଼ ଟାଇଲି ଛପର ଘରେ ନୃତ୍ୟ ଏବଂ ସଂଗୀତର ଚାରୋଟି ବିଭାଗ ଖୋଲିଥିଲା। ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ସହବନ୍ଧିତ ଏହି ମହାବିଦ୍ୟାଳୟରେ ଶାସ୍ତ୍ରୀୟ ସଂଗୀତ ଓଡ଼ିଶୀଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ, ତାବ୍‌ଲା ଏବଂ ଭାଓଲିନ ଆଦି ଚାରୋଟି ବିଭାଗରେ ନୃତ୍ୟ ଓ ସଂଗୀତ ଶିଖାଇ ଆସୁଥିଲା ଏ ମହାବିଦ୍ୟାଳୟ।

ଚାରୋଟି ବିଭାଗ ପାଇଁ ସରକାର ୪ ଜଣ ଗୁରୁଙ୍କୁ ନିୟୋଜିତ କରିଥିଲେ। ପ୍ରଥମେ ତାବ୍‌ଲା ବିଭାଗର ଗୁରୁ ସୁନାକର ଦାସ ଅବସର ଗ୍ରହଣ କଲେ। ତା ପରେ ପରେ ଭାଓଲିନ୍‌ ଗୁରୁ ବିପିନ୍‌ ବିହାରୀ ଦାସ ଓ ଓଡ଼ିଶୀ ନୃତ୍ୟର ଗୁରୁ ଅନିତା ସିଂହଦେଓ ଅବସର ନେଲେ। ପ୍ରତି ବିଭାଗରୁ ଜଣେ ଜଣେ ଗୁରୁ ଅବସର ନେଲା ପରେ ବି ଅନୁଗୁଳ ପୌରପାଳିକା ତାଙ୍କ ଜାଗାରେ ଅସ୍ଥାୟୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ମହାବିଦ୍ୟାଳୟକୁ ଚଳାଇଥିଲା। କିନ୍ତୁ, ଶେଷରେ ଓଡ଼ିଶୀ ନୃତ୍ୟଗୁରୁ ପ୍ରମିଳା ପତି ଅବସର ନେବା ପରଠାରୁ ମହାବିଦ୍ୟାଳୟରେ ତାଲା ଝୁଲୁଛି। ୪୦ ବର୍ଷର ଏ ପୁରୁଣା ଅନୁଷ୍ଠାନକୁ ସରକାର ତ କୌଣସି ସ୍ଥାୟୀ ନିଯୁକ୍ତି ଦେଲେ ନାହିଁ, ପୌରପାଳିକା ତରଫରୁ ଦିଆଯାଉଥିବା ଅସ୍ଥାୟୀ ନିଯୁକ୍ତିକୁ ବନ୍ଦ କରି ଦିଆଗଲା। ଫଳ ସ୍ବରୂପ, ନୃତ୍ୟ ସଂଗୀତ ଭାରତୀର ଅବସ୍ଥା ଆଜି ଏୟା ହୋଇଛି ।

ସଂଗୀତ ଏବଂ ନୃତ୍ୟ କ୍ଷେତ୍ରରେ ଅନୁଗୁଳକୁ ଦିଶା ଦେଇଥିବା ମହାବିଦ୍ୟାଳୟ ଏମିତି ବନ୍ଦ ହୋଇଯିବା ଦୁର୍ଭାଗ୍ୟଜନକ। ସରକାର ସ୍ଥାୟୀ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇ ୪୦ ବର୍ଷର ଅନୁଷ୍ଠାନକୁ ଖୋଲିବାକୁ ମହାବିଦ୍ୟାଳୟର ପୂର୍ବତନ ବିଦ୍ୟାର୍ଥୀ ତଥ୍ୟ ନୃତ୍ୟଗୁରୁ ବିଦେଶୀ ନାୟକ ଦାବି କରିଛନ୍ତି। ଅନୁଗୁଳ ଜିଲ୍ଲା ପ୍ରଶାସନର ସହରର ବାହାର ସୌନ୍ଦର୍ଯ୍ୟ ପାଇଁ ଡିଏମ୍‌ଏଫ୍ ପାଣ୍ଠିର ଜୋର୍‌ ଉପଯୋଗ କରୁଥିବା ବେଳେ ସହରର କଳା ଓ ସଂସ୍କୃତିର ବିକାଶ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ଏ ମହାବିଦ୍ୟାଳୟକୁ ବଞ୍ଚାଇବାକୁ ବୁଦ୍ଧିଜୀବୀ ମହଲରୁ ପ୍ରସ୍ତାବ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe