ପଥରଗଡ଼ ବିଷାକ୍ତ ମଦ ମୃତ୍ୟୁ ମାମଲା: ଅବକାରୀ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ; ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ

Advertisment

ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ ସରିଛି, ପୂର୍ଣ୍ଣାଙ୍ଗ ତଦନ୍ତ ଚାଲିଛି : ଜିଲ୍ଲାପାଳ

ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ ସରିଛି, ପୂର୍ଣ୍ଣାଙ୍ଗ ତଦନ୍ତ ଚାଲିଛି : ଜିଲ୍ଲାପାଳ

ପଥରଗଡ଼ ବିଷାକ୍ତ ମଦ ମୃତ୍ୟୁ ମାମଲା: ଅବକାରୀ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ; ମୃତକଙ୍କ ପରିବାରକୁ ଭେଟିଲେ ବିଧାୟକ

ବନ୍ତଳା: ଅନୁଗୁଳ ଜିଲ୍ଲା ପଥରଗଡ଼ ମଦ ମୃତ୍ୟୁ ଘଟଣାରେ ଚାରିଟି ମୁଣ୍ଡ ଗଡ଼ିଲା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିବା ବେଳେ ଅବକାରୀ ଏବଂ ପୁଲିସ ବିଭାଗର ପ୍ରାଥମିକ ଯୁଗ୍ମ ତଦନ୍ତ ରିପୋର୍ଟ ବିଭାଗକୁ ଦିଆଯାଇଛି ବୋଲି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ‘ସମ୍ବାଦ’କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପବିତ୍ର ଦଶହରା ଦିନ ପୁରୁଣାକୋଟ୍‌ ଥାନା ଅଧୀନସ୍ଥ ଏହି ଗାଁରେ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଗାଁର ଶ୍ରମିକମାନେ ଘରର ଛାତ ପକାଇବା ପାଇଁ ଯାଇଥିବା ବେଳେ ସେଠାକାର ଠିକାଦାର କାମ ସରିଲା ପରେ ସେମାନଙ୍କୁ ମହୁଲି ମଦ ପିଇବାକୁ ଦେଇଥିଲା। ଏହି ମଦର ବିଷକ୍ରିୟାରୁ ହିଁ ସେହିଦିନ ରାତିରେ ହଠାତ୍‌ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଆଉ କିଛି ଶ୍ରମିକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ବି ଅନୁଗୁଳ ଡାକ୍ତରଖାନାରେ ଦୁଇ ଜଣ ଚିକିତ୍ସାଧୀନ ଅଛନ୍ତି, ଅନ୍ୟ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଅଛି।

ରାଜ୍ୟ ଅବକାରୀ ମନ୍ତ୍ରୀ ଶ୍ରୀ ପୂଜାରୀ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ‘ସମ୍ବାଦ’କୁ କହିଛନ୍ତି। ତେବେ ଇତିମଧ୍ୟରେ ପୁଲିସ ଏବଂ ଅବକାରୀ ବିଭାଗର ପ୍ରାଥମିକ ତଦନ୍ତ ସରିଲାଣି। ମହୁଲି ମଦ ପିଇବାକୁ ଦେଇଥିବା ଠିକାଦାରକୁ ଗିରଫ କରାଯାଇଛି। ଚଢ଼ାଉ ବେଳେ କିଛି ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍‌ ଜବତ ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି। ଏ ପ୍ରକାର ସ୍ପିରିଟ୍‌ ଘାତକ। ଏହାକୁ ମଦରେ ମିଶାଇଲେ ତାହା ବିଷ ପାଲଟିଯାଇଥାଏ। ମହୁଲିରେ ଇଣ୍ଡଷ୍ଟି୍ଆଲ୍ ସ୍ପିରିଟ୍ ମିଶିଥିବା ଅନୁମାନ କରାଯାଉଛି। ମଦର ଯାଞ୍ଚ ପାଇଁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ମହୁଲିରେ ସ୍ପିରିଟ୍ ମିଶିଥିଲା କି ନାହିଁ, ଯାଞ୍ଚ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି।

publive-image

ମୃତକଙ୍କ ଭିସେରା ବି ଯାଞ୍ଚ ପାଇଁ ଯାଇଛି। ସବୁ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତା’ ପୂର୍ବରୁ ଅବକାରୀ ଏବଂ ପୁଲିସର ଯୁଗ୍ମ ପ୍ରାଥମିକ ତଦନ୍ତ ରିପୋର୍ଟ ଅବକାରୀ ବିଭାଗକୁ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଚାରି ମୃତକଙ୍କ ପରିବାରକୁ ଆଜି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଭେଟିଛନ୍ତି। ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା, ହରିଶ୍ଚନ୍ଦ୍ର ଯୋଜନାରୁ ପଞ୍ଚାୟତରୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ବିଧାୟକ ଶ୍ରୀ ସାଏ ‘ସମ୍ବାଦ’କୁ କହିଛନ୍ତି। ବିଷକ୍ରିୟାରୁ ମଦ ମୃତ୍ୟୁ ହୋଇଥିବା ଗାଁ ଲୋକେ କହୁଛନ୍ତି। ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ବୋଲି ବିଧାୟକ ଶ୍ରୀ ସାଏ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe