ଏମ୍‌ସିଏଲ୍ ଯୋଜନା ଅନିଶ୍ଚିତ, ନୂଆ ତାଲିକାରେ ବି ନାଁ ନାହିଁ, ଅନୁଗୁଳରେ ମେଡିକାଲ କଲେଜ କେବେ?

Advertisment

ସରକାରୀ ଉପେକ୍ଷାକୁ ନେଇ ଶିଳ୍ପନଗରୀରେ କୁହୁଳୁଛି ଅସନ୍ତୋଷ

ସରକାରୀ ଉପେକ୍ଷାକୁ ନେଇ ଶିଳ୍ପନଗରୀରେ କୁହୁଳୁଛି ଅସନ୍ତୋଷ

ଏମ୍‌ସିଏଲ୍ ଯୋଜନା ଅନିଶ୍ଚିତ, ନୂଆ ତାଲିକାରେ ବି ନାଁ ନାହିଁ, ଅନୁଗୁଳରେ ମେଡିକାଲ କଲେଜ କେବେ?

academix.ng

ଅନୁୁଗୁଳ : ଓଡ଼ିଶାର କେନ୍ଦ୍ରସ୍ଥଳରେ ଥିବା ଅନୁଗୁଳକୁ ଏକଦା ରାଜ୍ୟ ରାଜଧାନୀ କରିବା ଲାଗି ଚିନ୍ତା କରାଯାଉଥିଲା। ତେବେ କେତେକ କାରଣରୁ ଶେଷରେ ଏଥିରୁ ବଂଚିତ ହେଲା। ଅବଶ୍ୟ ଅନୁଗୁଳ ଏବେ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିଳ୍ପାଞ୍ଚଳ ଭାବେ ପରିଗଣିତ ହେଉଛି। ହଜାର ହଜାର କୋଟିର ରାଜସ୍ବ ଦେଇ ରାଜ୍ୟ ରାଜକୋଷକୁ ସମୃଦ୍ଧ କରିଚାଲିଛି। ଶିଳ୍ପାନୁଷ୍ଠାନଗୁଡ଼ିକ ବି ଲାଭବାନ ହେଉଛନ୍ତି। କିନ୍ତୁ ଧୂଳି, ଧୂଆଁ ଆଉ କୋଇଲା ଗୁଣ୍ଡ ଅନୁଗୁଳ ଜିଲ୍ଲାବାସୀଙ୍କ ସହ ଚିର ସହଚର ହୋଇଯାଇଛି। ଅନୁଗୁଳ ଦେଉଥିବା ଅର୍ଥରେ ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଥିବା ବେଳେ ଅନୁଗୁଳବାସୀଙ୍କୁ କିନ୍ତୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଉତ୍ତମ ସ୍ବାସ୍ଥ୍ୟସେବା ମିଳିପାରୁ ନାହିଁ। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ନୂଆ ମେଡିକାଲ କଲେଜ ଖୋଲା ଚାଲିଥିବା ବେଳେ ଅନୁଗୁଳ ପାଇଁ କିନ୍ତୁ ଏହା ସୁଦୂର ପରାହତ ହୋଇ ରହିଛି। ଏମ୍‌ସିଏଲ୍‌ ପକ୍ଷରୁ ତାଳଚେରରେ ନବନିର୍ମିତ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍ ଓ ହସ୍‌ପିଟାଲ ଚଳାଇବା ପାଇଁ ଏମସିଏଲ୍ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିଥିବାରୁ ଏହାର ଭବିଷ୍ୟତ ଅନିଶ୍ଚିତ ହୋଇ ପଡ଼ିଛି। ଏଣେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠା ଚକାଚକ୍‌ ଥିଲେ ହେଁ ଆବଶ୍ୟକ ସୁବିଧା ନଥିବାରୁ ରୋଗୀମାନଙ୍କୁ ସାଧାରଣ ଘଟଣାରେ ବି କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଉଛି।

ଦେଶରେ ଡାକ୍ତର ସମସ୍ୟାର ଦୂରୀକରଣ ସାଙ୍ଗକୁ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ସ୍ଥାପନ କରିବାକୁ ଘୋଷଣା କରିଥିଲେ। ରାଜ୍ୟରେ ଇତିମଧ୍ୟରେ କିଛି ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। ହେଲେ ଏଥିରେ ଅନୁଗୁଳର ନାମ ନାହିଁ।

ଅନୁଗୁଳ ଜିଲ୍ଲାର ତାଳଚେର ଏମ୍‌ସିଏଲ୍‌ ନିର୍ମାଣ କରିଥିବା ନିଜ ମେଡିକାଲ କଲେଜ୍‌ରେ ଆସନ୍ତା ବର୍ଷଠୁ ନାମ ଲେଖା ଆରମ୍ଭ ହେବ ବୋଲି କହୁଥିଲେହେଁ କିଏ ମେଡିକାଲ କଲେଜ୍ ଚଳାଇବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଡାକ୍ତର ଓ କର୍ମଚାରୀ ବି ନିଯୁକ୍ତ ହୋଇ ନ ଥିଲା ବେଳେ ଏହା କେମିତି ସମ୍ଭବ ହେବ ବୋଲି ସଚେତନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ପ୍ରତ୍ୟେକ ଅବିଭକ୍ତ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ସ୍ଥିର କରିଥିବା କୁହାଯାଇଛି। ନିକଟରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ହସ୍ପିଟାଲର ସଂପ୍ରସାରଣ ଯୋଜନାରେ ଆଉ ୭୫ଟି ନୂତନ ମେଡିକାଲ କଲେଜ ଖୋଲିବାକୁ ଘୋଷଣା କରିଛନ୍ତି। ଏଥିଲାଗି ରାଜ୍ୟ ସରକାରମାନଙ୍କ ନିକଟରୁ ପ୍ରସ୍ତାବ ଆହ୍ବାନ କରାଯାଇଛି। ହେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ଏହି ତୃତୀୟ ପର୍ଯ୍ୟାୟ ନୂତନ ମେଡିକାଲ କଲେଜ ଯୋଜନା ନେଇ କୌଣସି ପ୍ରସ୍ତାବ ଦିଆଯାଇ ନଥିବା ଜଣାପଡ଼ିଛି। କିଛି ବର୍ଷ ଆଗରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମିତି କେତେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରାଯିବ ବୋଲି ଘୋଷଣା ହୋଇଥିଲା। ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବା ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହୋଇଛି। ନଚେତ କ୍ରମାଗତ ଅବହେଳାକୁ ନେଇ ଅନୁଗୁଳ ଜିଲ୍ଲାବାସୀଙ୍କ ମଧ୍ୟରେ କୁହୁଳୁଥିବା ନିଆଁ ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ଥୟ ବୋଲି ବୁଦ୍ଧିଜୀବୀ ମହଲ ଚେତାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe