Kerala Kaumudi
କଟକ : ଦୁର୍ବଳ ରେଳ ଭିତ୍ତିଭୂମି ପାଇଁ ସାରା ଦେଶରେ ଓଡ଼ିଶା ଜଣାଶୁଣା ଥିବା ବେଳେ ଅଦାଲତରେ ବିଚାରାଧୀନ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଥିବାରୁ ଏକ ପ୍ରମୁଖ ରେଳ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁ ନାହିଁ। ପ୍ରତି ଏକ ହଜାର ବର୍ଗ କିଲୋମିଟରରେ ଦେଶରେ ହାରାହାରି ୨୦ କିଲୋମିଟର ରେଳ ଲାଇନ ରହିଥିବା ବେଳେ ଓଡ଼ିଶାରେ ଏହା ୧୬ କିଲୋମିଟର ରହିଛି। ଏବେ ରାଜ୍ୟରେ ମାତ୍ର ତିନୋଟି ରେଳ ପ୍ରକଳ୍ପ ଯଥା ଖୋର୍ଦ୍ଧା-ବଲାଙ୍ଗୀର, ତାଳଚେର-ବିମଳାଗଡ଼ ଓ ଅନୁଗୁଳ-ସୁକିନ୍ଦା କାର୍ଯ୍ୟ ଚାଲିଛି। କିନ୍ତୁ ରେଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ବିଳମ୍ବିତ ହେବାକୁ ନେଇ ଚିନ୍ତା ପ୍ରକାଶ ପାଉଛି। ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ କାର୍ଯ୍ୟ ଏବେ ସଂପୂର୍ଣ୍ଣ ହେବାର ଚୂଡାନ୍ତ ପର୍ଯ୍ୟାୟରେ ଥିବା ବେଳେ ଦୁଇଟି ମାମଲାରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ରହିଥିବାରୁ କାର୍ଯ୍ୟ ଶେଷ ହୋଇ ପାରୁ ନାହିଁ।
Angul Sukinda Railway Limitedଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ଜମି ହରାଇଥିବା ଦୁଇ ବ୍ୟକ୍ତି କ୍ଷତିପୂରଣ ରାଶି ପାଇବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉପଯୁକ୍ତ ଅଧିକ ପରିମାଣର କ୍ଷତିପୂରଣ ଓ ରେଳ ବିଭାଗରେ ଚାକିରି ପ୍ରସଂଗ ନେଇ ହାଇକୋର୍ଟରେ ଦୁଇ ମାମଲା ୨୦୧୮ରେ ରୁଜୁ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଜବାବ ତଲବ କରିଥିଲେ। ୨୦୧୯ରେ ହାଇକୋର୍ଟ ଦୁଇ ମାମଲାର ଶୁଣାଣି କରି ଢେଙ୍କାନାଳ ଜିଲ୍ଳାରେ ଦୁଇଟି ଜମିରେ ଥିବା ନିର୍ମାଣ ପ୍ରସଂଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା ଯେ ରେଳ ମନ୍ତ୍ରଣାଳୟର ନୀତି ଅନୁସାରେ ଏଭଳି କ୍ଷେତ୍ରରେ କୌଣସି ନିଯୁକ୍ତି ପ୍ରଦାନ ବ୍ୟବସ୍ଥା ନାହିଁ। ଅଧିକ କ୍ଷତିପୂରଣ ରାଶି ପ୍ରଦାନ ପ୍ରସଂଗରେ ବ୍ୟବସ୍ଥା କରାଯାଇ ପାରିବ ବୋଲି ସରକାରଙ୍କ ତରଫରୁ ଦର୍ଶାଯିବା ସହିତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇବା ପାଇଁ ହାଇକୋର୍ଟରେ ନିବେଦନ କରାଯାଇଥିଲା।
Live Lawହାଇକୋର୍ଟରେ ୨୦୧୮ରୁ ବିଚାରାଧୀନ ଥିବା ଏହି ମାମଲାର ଶୁଣାଣି ବହୁ ଥର ହେଲାଣି। ୨୦୨୨ରେ ଏହି ମାମଲା ଶୁଣାଣି ପାଇଁ ପ୍ରାୟ ୧୫ ଥର ହାଇକୋର୍ଟରେ ତାଲିକାଭୁକ୍ତ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହି ମାମଲାର ଚୂଡାନ୍ତ ଫଏସଲ ହୋଇ ପାରି ନାହିଁ। ଅନ୍ୟପକ୍ଷରେ ସ୍ଥିତାବସ୍ଥା ନିର୍ଦ୍ଦେଶ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁ ନାହିଁ। ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ ଇସ୍ପାତ ଓ ଶକ୍ତି ଶିଳ୍ପ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରକଳ୍ପ ହୋଇଥିବା ବେଳେ ଏହା ରାଜ୍ୟବାସୀଙ୍କ ପାଇଁ ବହୁତ ମହତ୍ବ ରଖୁଛି। ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇଛି ଓ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିରେ ତୁରନ୍ତ ଆଇନଗତ ବାଧା ଦୂର କରି ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମତ ପ୍ରକାଶ ପାଇଛି।
Follow Us