ମା’ ଝିଅ ହତ୍ୟା ମାମଲା : ଅନୁପଙ୍କ ଡ୍ରାଇଭର ବର୍ଦ୍ଧନଙ୍କୁ ଉଠାଇଲା ପୁଲିସ, ଅଜ୍ଞାତ ସ୍ଥାନରେ ରଖି ଜେରା

ଝାରସୁଗୁଡ଼ାରେ ଚର୍ଚ୍ଚା, ଅନୁପ ସାଏଙ୍କର ଜଣେ ସଂପର୍କୀୟଙ୍କୁ ଉଠାଇନେଇଛି ଛତିଶଗଡ଼ ପୁଲିସ!

ଝାରସୁଗୁଡ଼ା : ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଛତିଶଗଡ଼ ପୁଲିସ୍ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରିଛି। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନାର ଏକ ୬ ଜଣିଆ ପୁଲିସ୍ ଦଳ ବ୍ରଜରାଜନଗର ଆସି ବର୍ଦ୍ଧନଙ୍କୁ ତାଙ୍କ ବଘରାଚକା ଘରୁ ଉଠାଇ ନେଇଥିଲେ। ଏବେ ତାଙ୍କୁ ଅଜ୍ଞାତ ସ୍ଥାନରେ ରଖି ମାରାଥନ୍ କରାଯାଉଥିବା ଜଣାଯାଇଛି।

ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ୩ ବର୍ଷ ୯ ମାସ ତଳେ ସଂଘଟିତ ଏହି ମା’ ଓ ଝିଅ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟାଇଥିଲେ। ଏଥିରେ ଅନୁପଙ୍କୁ ମୁଖ୍ୟ ଅଭିଯୁକ୍ତ ଓ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଇଥିଲେ।

publive-image

ସେ କହିଥିଲେ, ୨୦୧୬ ମେ ୭ ତାରିଖରେ ମା’ କଳ୍ପନା ଦାସ ଓ ଝିଅ ବବ୍‌ଲିଙ୍କର ମୃତଦେହ ମିଳିଥିଲା। ସେମାନଙ୍କୁ ଲୁହାଛଡ଼ରେ ପିଟି ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣା ରୂପ ଦେବା ଲାଗି ଦୁଇ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦିଆଯାଇଥିଲା। ଅନୁପଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପ୍ପୋ ଘଟଣାରେ ସଂପୃକ୍ତ ଥିବା ଏସ୍‌ପି କହିଥିଲେ। କଳ୍ପନା ବାହା ହେବାକୁ ଜିଦ୍‌ ଧରିବା ଓ ସଂପତ୍ତିରୁ ଭାଗ ମାଗିବାରୁ ଅନୁପ ସେମାନଙ୍କୁ ଛତିଶଗଡ଼ ନେଇ ହତ୍ୟା କରିଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ଏସ୍‌ପି। ଡ୍ରାଇଭର ବର୍ଦ୍ଧନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ।

ଏହାପରେ ଚକ୍ରଧରନଗର ଥାନା ପୁଲିସର ଏକ ସ୍ବତନ୍ତ୍ର ଦଳ ଗତକାଲି ରାତି ୧୨ ଟାରେ ବ୍ରଜରାଜନଗର ବଘରାଚକାରେ ରହୁଥିବା ଡ୍ରାଇଭର ବର୍ଦ୍ଧନଙ୍କ ଘରକୁ ଆସିଥିଲେ। ପରିବାର ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଧ ରାତିରେ ପୁଲିସ କବାଟ ବାଡ଼େଇବା ସହ ବର୍ଦ୍ଧନଙ୍କୁ ଡାକିଥିଲା। ଘର ଲୋକ କବାଟ ଖୋଲିବା ପରେ ସେମାନେ ବର୍ଦ୍ଧନଙ୍କୁ ଗାଡ଼ିରେ ବସାଇ ନେଇ ଯାଇଥିଲେ।

ବାପା ନିର୍ଦ୍ଦୋଷ, ଆମକୁ ନିଶ୍ଚୟ ନ୍ୟାୟ ମିଳିବ:
ବର୍ଦ୍ଧନକୁ ପୁଲିସ ଉଠାଇନେବା ପରେ ତାଙ୍କ ଝିଅ ବିନତି ଟପ୍ପୋ କହିଛନ୍ତି ତାଙ୍କ ବାପା ନିର୍ଦ୍ଦୋଷ। ସେ କେବେ ଏଭଳି ଅପରାଧରେ ସଂପୃକ୍ତ ନୁହନ୍ତି। ବାପା ଯଦି ଅପରାଧ କରିଥାନ୍ତେ ତେବେ ଅନୁପ ସାଏଙ୍କୁ ପୁଲିସ ନେବା ପରେ ସେ ତାଙ୍କ ପରିବାର ଲୋକଙ୍କୁ ନେଇ କେବେ ମଧ୍ୟ ରାୟଗଡ଼ ଯାଇ ନଥାନ୍ତେ। ପୁଲିସ ଓ ନ୍ୟାୟ ବିଭାଗ ଆମକୁ ନିଶ୍ଚୟ ନ୍ୟାୟ ଦେବ ବୋଲି ବିନତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe