ଝାରସୁଗୁଡା : ଛତିଶଗଡ଼ଠାରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍ଲିଙ୍କ ହତ୍ୟା ଘଟଣାର ତଦନ୍ତ ଭାର ଛତିଶଗଡ଼ ପୁଲିସଠାରୁ ନେଇ ସିବିଆଇକୁ ଦେବା ଲାଗି ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର ଲୋକେ ଆଜି ଦାବି କରିଛନ୍ତି। ପରିବାର ଲୋକଙ୍କ ଧାରଣାସ୍ଥଳକୁ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ଓ ପିଡି ତପିରାମ ମାଝୀ ଆସି ଅନୁପଙ୍କ ଭାଇଙ୍କଠାରୁ ଏ ସଂପର୍କିତ ଦାବିପତ୍ର ଗ୍ରହଣ କରିଥିଲେ। ଅନୁପଙ୍କ ଭାଇ ଏହି ହତ୍ୟା ଘଟଣାର ତଦନ୍ତ ଭାର ଛତିଶଗଡ଼ ପୁଲିସଠାରୁ କାଢ଼ି ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏଥିଲାଗି ଉଭୟ ଓଡ଼ିଶା ଓ ଛତିଶଗଡ଼ର ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହ ସଚିବଙ୍କୁ ମଧ୍ୟ ନିବେଦନ କରିଛନ୍ତି। ସେମାନଙ୍କ ଦାବି ସଂପର୍କରେ ଜିଲ୍ଲାପାଳ ଶ୍ରୀ ସାମଲ ରାଜ୍ୟ ଗୃହ ବିଭାଗକୁ ଅବଗତ କରିବାକୁ ପ୍ରତିଶ୍ରୁତି ଦେବା ପରେ ଅନୁପଙ୍କ ପରିବାରବର୍ଗ ସନ୍ଧ୍ୟା ୫ଟାରେ ଧାରଣାରୁ ଉଠିଛନ୍ତି।
ଗଣମାଧ୍ୟମ ଆଗରେ ସେମାନେ ଦର୍ଶାଇଛନ୍ତି ଯେ ୪ ବର୍ଷ ତଳେ ସଂଘଟିତ ଏହି ହତ୍ୟାକାଣ୍ଡରେ ରାଜନୈତିକ ଉଦ୍ଦେଶ୍ୟ ରଖି ଛତିଶଗଡ଼ ପୁଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଅଯଥା ସଂପୃକ୍ତ କରିଛି। ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଛି। ହତ୍ୟାକାଣ୍ଡ ସଂପର୍କରେ କାହାଣୀ ରଚନା କରି ତାକୁ ସ୍ବୀକାର କରିବାକୁ ଛତିଶଗଡ଼ ପୁଲିସ ଅନୁପଙ୍କ ଉପରେ ଚାପ ପକାଉଛି। ଆଉ ସ୍ବୀକାର ନ କଲେ ତାଙ୍କ ପରିବାର ସଦସ୍ୟଙ୍କୁ ଉଠାଇ ଆଣି ନିର୍ଯାତନା ଦେବାକୁ ଧମକ ଦେଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ହତ୍ୟା ଘଟଣାରେ ଛତିଶଗଡ଼ ପୁଲିସ ଅନୁପଙ୍କ ପୁଅ ଶୁଭମ୍କୁ ମଧ୍ୟ ଟାର୍ଗେଟ୍ କରୁଥିବା ନେଇ ମଧ୍ୟ ପରିବାର ଲୋକେ କହିଛନ୍ତି। ଏହି ଘଟଣା ସଂପର୍କରେ କିଛି ଜାଣି ନଥିବା ତାଙ୍କ ଅଳ୍ପବୟସର ପୁଅକୁ ପୁଲିସ ନେଇ ସେଠାରେ ଶାରୀରିକ ନିର୍ଯାତନା ଦେବାକୁ ଉଦ୍ୟମ କରୁଛି ବୋଲି ଦର୍ଶାଇଛନ୍ତି। ଏଥିରୁ ସୁରକ୍ଷା ଯୋଗାଇଦେବାକୁ ସେମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଅନୁପଙ୍କ ଭାଇ ପ୍ରମୋଦ ସାଏ ଅଭିଯୋଗ କରିଛନ୍ତି ଯେ ବିନା ତଥ୍ୟ ଓ ପ୍ରମାଣରେ ଛତିଶଗଡ଼ ପୁଲିସ ଅନୁପଙ୍କୁ ଗିରଫ କରି ତାଙ୍କୁ ଫସାଇ ଦେଇଛି। ଫଳରେ ପରିବାର ସଦସ୍ୟ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ପରିବାର ସଦସ୍ୟଙ୍କୁ ବାରମ୍ବାର ନୋଟିସ୍ ଦେଇ ସେମାନଙ୍କୁ ଉଠାଇ ନେବାକୁ ଛତିଶଗଡ଼ ପୁଲିସ ଧମକ ଦେଉଛି। ରାୟଗଡ଼ ପୁଲିସ ଯୋଗୁଁ ତାଙ୍କ ମାନ ସମ୍ମାନ ଯାଇଛି। ପୁଲିସ ଆମ ଉପରେ ଜୁଲୁମ କରିବା ସହ ମାନସିକ ନିର୍ଯାତନା ଦେଉଛି। ପୁଲିସ ଘଟଣାର ତଦନ୍ତ କରୁ ସେଥିରେ ଆମର କିଛି କହିବାର ନାହିଁ। ଆମେ ପୁଲିସର ତଦନ୍ତରେ ହସ୍ତକ୍ଷେପ କରିବୁ ନାହିଁ। ପୁଲିସ ଆମ ପରିବାରକୁ ବାରମ୍ବାର ନୋଟିସ୍ ପଠାଇ ହଇରାଣ କରୁଛି। ଏଥିପାଇଁ ଷଡ଼ଯନ୍ତ୍ର ଚାଲିଥିବା ସେ କହିଛନ୍ତି।
ଏହାର ପ୍ରତିବାଦରେ ଅନୁପଙ୍କ ବୃଦ୍ଧା ମା, ସ୍ତ୍ରୀ, ଭାଇ-ଭାଉଜ, ପୁଅ-ଝିଅ ଓ ପୁତୁରା ଶନିବାର ସନ୍ଧ୍ୟା ୭ ଟାରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ପୂର୍ବରୁ ଉପଜିଲ୍ଲାପାଳ ଶିବ ଟପ୍ପୋ ଓ ଡେପୁଟି କଲେକ୍ଟର ଆଲୋମଣି ସେଠୀ ଧାରଣାସ୍ଥଳକୁ ଆସି ସେମାନଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଘର ଲୋକେ ଉଠିନଥିଲେ। ଆଜି ଜିଲ୍ଲାପାଳ ଆସି ସେମାନଙ୍କ ଦାବିପତ୍ର ଗ୍ରହଣ କରିବା ପରେ ସେମାନେ ଧାରଣାରୁ ଉଠିଛନ୍ତି।
Follow Us