ଅନୁପ ସାଏଙ୍କୁ ତିନି ଦିନିଆ ରିମାଣ୍ଡରେ ନେଲା ପୁଲିସ

ଡ୍ରାଇଭର ବର୍ଦ୍ଧନ ଟପ୍ପୋ ବି ଗଲେ ଦିନିକିଆ ରିମାଣ୍ଡରେ

ଛତିଶଗଡ଼ ଗଣମାଧ୍ୟମରେ ଚର୍ଚ୍ଚା : ପୁଲିସ ପାଉନି ଠୋସ୍ ପ୍ରମାଣ, ଖସିଯାଇ ପାରନ୍ତି ପ୍ରଭାବଶାଳୀ ଅଭିଯୁକ୍ତ ଅନୁପ ସାଏ !

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ମା’-ଝିଅ (କଳ୍ପନା ଦାଶ ଓ ବବ୍‌ଲି) ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ପୁଲିସ ବୁଧବାର ଠାରୁ ୩ ଦିନିଆ ରିମାଣ୍ଡରେ ନେଇଛି। ଏହି ତିନି ଦିନିଆର ରିମାଣ୍ଡ ସମୟରେ ପୁଲିସ ଅନୁପ ସାଏଙ୍କୁ ଅଧିକ ପଚରାଉଚରା କରିବ। ପୂର୍ବରୁ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲା ଚକ୍ରଧରନଗର ପୁଲିସ ଅନୁପ ସାଏଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ରାୟଗଡ଼ ଜିଲ୍ଲା କୋର୍ଟ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ରିମାଣ୍ଡ ଅବଧି ଶେଷ ହେବା ପରେ ଫେବ୍ରୁଆରି ୨୨ରେ ଅନୁପ ସାଏଙ୍କୁ କୋର୍ଟରେ ହାଜର କରିବାକୁ ରାୟଗଡ଼ ସିଜେଏମ୍‌ ଆଦେଶ ଦେଇଛନ୍ତି। ନାର୍କୋ ଟେଷ୍ଟର ନିଷ୍ପତ୍ତି ନେଇ ନାହାନ୍ତି ମାଜିଷ୍ଟ୍ରେଟ । ସେ ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ସପ୍ତାହ ପାଇଁ ଏହା ସ୍ଥଗିତ ରଖିଛନ୍ତି।

ସେହିପରି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଦିନିକିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ପୁଲିସ ରିମାଣ୍ଡ ସମୟରେ ଅନୁପ ଓ ବର୍ଦ୍ଧନଙ୍କ ଠାରୁ ଆହୁରି ଅନେକ ତଥ୍ୟ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଉଛି।

ସୂଚନାଯୋଗ୍ୟ, ରାୟଗଡ଼ ଜିଲ୍ଲା କୋର୍ଟରେ ଝାରସୁଗୁଡ଼ା ଜିଲ୍ଲା  ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମଙ୍ଗଳବାର ହାଜର କରାଯାଇଥିଲା। ଅନୁପ ସାଏଙ୍କୁ ବନ୍ଦୀ ଗୃହରୁ ଅଣାଯାଇ ପୁଲିସର କଡ଼ା ସୁରକ୍ଷା ଭିତରେ କୋର୍ଟକୁ ନିଆଯାଇଥିଲା। ଅନୁପଙ୍କ ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ତେବେ ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଡ୍ରାଇଭର ବର୍ମନ ଟପ୍ପୋ ଅସ୍ୱୀକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe