କୋଭିଡ୍‌ କଟକଣାକୁ ଦଳି ମକଚିଦେଲେ

ଆଲୁ ଅର୍ଜୁନଙ୍କ ‘ପୁଷ୍ପା’ ପାଇଁ ତିନି ସିନେମା ହଲ୍‌ ରାତି ୩ରୁ ଖୋଲା

କୋଭିଡ୍‌ କଟକଣାକୁ ଦଳି ମକଚିଦେଲେ

ପାରଳାଖେମୁଣ୍ଡି : ତେଲୁଗୁ ସୁପରଷ୍ଟାର୍‌ ଆଲୁ ଅର୍ଜୁନଙ୍କ ନୂଆ ଫିଲ୍ମ 'ପୁଷ୍ପା' ଆଜି ପାରଳାଖେମୁଣ୍ଡିର ୩ଟି ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଛି। ହେଲେ, ଏଠାରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ଅମାନ୍ୟ କରା ଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ଆଖିରେ ଧୁଳି ଦେଇ ରାତି ୩ଟା ବେଳେ ସିନେମା ହଲ୍‌ରେ ସୋ’ ଆରମ୍ଭ ହୋଇ ଯାଇଥିଲା। ଭୋର୍‌ ସାଢ଼େ ୫ଟା ବେଳେ ସେକେଣ୍ଡ୍‌ ସୋ’ ୩ଟି ଯାକ ପ୍ରେକ୍ଷାଳୟର ପ୍ରଦର୍ଶିତ ହୋଇଯାଇଛି। ପ୍ରେକ୍ଷାଳୟରେ ୫୦ ପ୍ରତିଶତ ସିଟ୍‌ ବଦଳରେ ଖଚାଖଚ୍‌ ଭିଡ଼ ହୋଇଥିଲା। ହଲ୍‌ ବାହାରେ ମଧ୍ୟ ହଜାର ହଜାର ସିନେପ୍ରେମୀ ଭିଡ଼ ଜମାଇ ରଖିଥିଲେ। କିନ୍ତୁ, କୋଭିଡ୍‌ କଟକଣା ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିଲେ ମଧ୍ୟ ପ୍ରଶାସନ, ପୁଲିସ ଏହା ଜାଣି ପାରିଲାନି।

କିଛିଦିନ ହେଲା ଫିଲ୍ମର ଯେଭଳି ପ୍ରଚାର କରାଯାଇଥିଲା, ତା’ର ପ୍ରଭାବ ଆଜି ଦେଖିବାକୁ ମିଳିଛି। ଆଲୁ ଅର୍ଜୁନଙ୍କ ଲୋକପ୍ରିୟତାର ପ୍ରମାଣ ସ୍ବରୂପ ପ୍ରତ୍ୟେକ ପ୍ରେକ୍ଷାଳୟ ସମ୍ମୁଖରେ ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିଲା ଏବଂ ଶତାଧିକ ମୋଟର ସାଇକେଲ ଓ କାର୍‌ ଟ୍ରାଫିକ୍‌ ଜାମ କରି ଦେଇଥିଲେ। ପ୍ରେକ୍ଷାଳୟରେ ଭିଡ଼ ହେବ ବୋଲି ପୁଲିସ ନିକଟରେ ଖବର ଥିବା ସତ୍ତ୍ବେ ୨ରୁ ୩ ଟି କନ‌ଷ୍ଟେବଳଙ୍କୁ ଦାୟିତ୍ବ ଦିଆଯାଇ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ଫଳରେ, ମାତ୍ରାଧିକ ଭିଡ଼ ନିୟନ୍ତ୍ରଣ କରିବାକୁ କେହି ନଥିଲେ। ମାତ୍ର ୩ଦିନ ପୂର୍ବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆନ୍ଧ୍ରପ୍ରଦେଶରେ ଓମିକ୍ରନ ଭତାଣୁ ଚିହ୍ନଟ, ସତର୍କତାର ଆବଶ୍ୟକତା, ଆନ୍ଧ୍ରପ୍ରଦେଶ ଯାତ୍ରୀଙ୍କ ସ୍କ୍ରିନିଂ, ମାସ୍କ ନ ଓହ୍ଲାଇବା ଆଦି ସଚେତନତା ବାର୍ତ୍ତା ଦେଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ କରାଯାଇଛି। ଏପରି ଗହଳି ଓ ଜନସମାବେଶ ଆସନ୍ତା ୩ଦିନ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଲାଗି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe