ଜନ୍ମଦିନରେ କୋଭିଡ୍‌ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍‌ ସିଲ୍‌

Advertisment
ଜନ୍ମଦିନରେ କୋଭିଡ୍‌ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍‌ ସିଲ୍‌

ଉପସ୍ଥିତ ଥିବା ସବୁ ଲୋକଙ୍କ କୋଭିଡ୍‌ ପରୀକ୍ଷା ହେବ, ଡିସିପିଙ୍କ ନିକଟରେ ଫେରାଦ୍‌ ଜଣାଇଲେ କରୋନା ଯୋଦ୍ଧା
ଭୁବନେଶ୍ୱର : କୋଭିଡ୍‌ ନିୟମ ଭାଙ୍ଗି ଜନ୍ମଦିନ ପାଳନ କରିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମହଙ୍ଗା ପଡ଼ିଛି। ଏହି ପ୍ରସଙ୍ଗରେ ଗତକାଲି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ଫେରାଦ୍‌ ଜଣାଇଥିଲେ ରାଜ୍ୟ ସରକାର। ତେବେ ଆଜି କେନ୍ଦ୍ରର ପଦକ୍ଷେପକୁ ଅପେକ୍ଷା ନ କରି ଆଜି ଆକ୍ସନ୍ ମୁଡ୍‌କୁ ଓହ୍ଲାଇଛି ବିଏମ୍‌ସି। ପଳାସପଲ୍ଲୀସ୍ଥିତ ଯେଉଁ କାର୍ଯ୍ୟାଳୟରେ ସାଂସଦ ଅପରାଜିତା ସମର୍ଥକମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ, ତାହାକୁ ସିଲ୍‌ କରିଦିଆଯାଇଛି।

ସାଂସଦ ଶ୍ରମୀତୀ ଷଡ଼ଙ୍ଗୀ ସମର୍ଥକଙ୍କ ଗହଣରେ ଗତ ୮ ତାରିଖରେ ନିଜ କାର୍ଯ୍ୟାଳୟରେ ଜନ୍ମଦିନ ପାଳନ କରିବାର ଏକ ଭିଡିଓ ଭାଇରାଲ୍‌ ‌ହୋଇଥିଲା। ଏଥିରେ ଶତାଧିକ ମହିଳା ଓ ପୁରୁଷ ବିନା ମାସ୍କରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରି ନାଚଗୀତରେ ମସ୍‌ଗୁଲ୍‌ ଥିଲେ। ନିଜେ ସାଂସଦ ମଧ୍ୟ ମାସ୍କ ପିନ୍ଧି ନ ଥିବା ଏବଂ ଅନ୍ୟମାନଙ୍କୁ ନାଚିବାକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ କରନ୍ତୁ ବୋ‌ଲି ଅନୁରୋଧ କରିଥିଲେ। ତେବେ ଆଜି ସକାଳୁ ବିଏମ୍‌ସି ପକ୍ଷରୁ ମଧ୍ୟ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନାଲ ଡେପୁଟି କମିସନର ରବି ନାରାୟଣ ଜେଠୀ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଆଜି ଅଫିସ୍‌କୁ ସିଲ୍‌ କରିବ‌ାକୁ ନିର୍ଦ୍ଦେଶ ଦେଇଥିଲେ। ବିଏମ୍‌ସି ଅତିରିକ୍ତ କମିସନର ଅବନି ପଟ୍ଟନାୟକ ଏବଂ କମିସନରେଟ୍‌ ପୁଲିସ ଉପସ୍ଥିତିରେ ସାଂସଦଙ୍କ ଅଫିସ୍‌ ୧୫ ଦିନ ପାଇଁ ସିଲ୍‌ କରାଯାଇଥିଲା।

publive-image

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ପଳାସପଲ୍ଲୀର ପ୍ଲଟ୍‌ ନଂ-ଏ/୫୬ରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜନ୍ମଦିନ ପାଳନ କରୁଥିବାର ଏକ ଭିଡିଓ କ୍ଲିପ୍‌ ପାଇଥିଲୁ। ଏଥିରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଓଡ଼ିଶା କୋଭିଡ୍‌-୧୯ ନିୟମ-୨୦୨୦ର ଉପଧାରା ୪-ସି ଅର୍ଥାତ୍‌ ଅଧିକ ଲୋକ ଏକାଠି ହେବା ନିୟମ ଉଲ୍ଲଂଘନ ହୋଇଛି, ଉପଧାରା ୪-ଡି ଅର୍ଥାତ୍‌ ଶାରୀରିକ ଦୂରତା ନିୟମ ଉଲ୍ଲଂଘନ, ଉପଧାରା ୪-ଏ ଅର୍ଥାତ୍ ବାଧ୍ୟତାମୂଳକ ମାସ୍କ ପିନ୍ଧିବା ନିୟମ ଉଲ୍ଲଂଘନ ହୋଇଛି। ଯେଉଁଥିପାଇଁ ସାଂସଦଙ୍କ କାର୍ଯ୍ୟାଳୟ ୧୫ଦିନ ପାଇଁ ସିଲ୍‌ କରାଯାଇଛି। ୧୫ଦିନ ମଧ୍ୟରେ କାର୍ଯ୍ୟାଳୟକୁ ବିଶୋଧନ କରାଯିବ।

ଏହା ସହ ସାଂସଦଙ୍କ ଜନ୍ମଦିନ ଉତ୍ସବରେ କେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ତାଲିକା ଦକ୍ଷିଣ-ପଶ୍ଚିମ ଜୋନ୍‌ ଅଫିସରେ ଦାଖଲ କରିବାକୁ କୁହାଯାଇଛି। ସେମାନଙ୍କର କୋଭିଡ୍‌ ପରୀକ୍ଷା ହେବ। ଯଦି କେହି କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯିବ ନଚେତ୍‌ ‌କୋଭିଡ କେୟାର ସେଣ୍ଟର ବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ। ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ସାଂସଦଙ୍କ କାର୍ଯ୍ୟାଳୟ ସାମ୍ନାରେ ଲଗାଇ ଦିଆଯାଇଛି।

ଅପର ପକ୍ଷରେ ସାଂସଦଙ୍କ ଏପରି କାମ କରୋନା ବିରୋଧରେ ଲଢ଼ୁଥିବା କରୋନା ଯୋଦ୍ଧାମାନଙ୍କୁ ମର୍ମାହତ କରିଛି ବୋଲି ଅଭିଯୋଗ ଆଣି ଆଜି ସକାଳେ କିଛି ଆଶା କର୍ମୀ, ସଫେଇ କର୍ମଚାରୀ, କୋଭିଡ୍‌ ସଚେତକଙ୍କ ସହ କେତେକ ମେଡିକାଲ କର୍ମଚାରୀ ଭୁବନେଶ୍ବର ଡିସିପିଙ୍କ ନିକଟରେ ଫେରାଦ ଜଣାଇଥିଲେ।

ଜଣେ ଲୋକ ପ୍ରତିନିଧି ହିସାବରେ ସେ ନିଜେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଏହାକୁ ଅମାନ୍ୟ କରୁଥିବା ଲୋକଙ୍କୁ ପାଖରେ ପୂରାଇବା କଥା ନୁହେଁ। କିନ୍ତୁ ତାଙ୍କର ଏହି ବେପରୱା କାର୍ଯ୍ୟକଳାପ ଅନ୍ୟମାନଙ୍କ ଜୀବନ ବିପନ୍ନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ବାରମ୍ବାର ସେ ଏଭଳି କୋଭିଡ୍‌ ନିୟମକୁ ଉଲ୍ଲଂଘନ କରିବା ନଜିର ରହିଛି। ଏଣୁ ସମସ୍ତ ଦିଗକୁ ବିଚାର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମମତା ରାଉତ, ରଶ୍ମି ପ୍ରଧାନ, ଲିଲି ନାୟକ, ୟସ୍ମିନ୍‌ ଖାଁ, ଇତିଶ୍ରୀ ସାହୁ, ଲିଜା ଜେନା, ସୋନ‌ାଲି ନାୟକ, ଗୁରୁବାରି ପଣ୍ଡା, ଅନୀତା ନାୟକ, ନିହାର ରଞ୍ଜନ ଦାସ, ଇପ୍‌ସିତା ସାହୁ ପ୍ରମୁଖ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe