ସମ୍ବଲପୁର: ସାବିତ୍ରୀ ନିଜ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ। ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଅନେକ ସମୟରେ ମହିଳାମାନେ ବହୁ କଷ୍ଟ ସ୍ୱୀକାର କରୁଛନ୍ତି। ହେଲେ ସମ୍ବଲପୁରର ଭାମା ପଟ୍ଟନାୟକ ଜୀବନ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଥିବା ନିଜ ସ୍ୱାମୀ ହାଡ଼ୁ ପଟ୍ଟନାୟକଙ୍କ ଇଚ୍ଛା ପୂରଣ ପାଇଁ ମଂଗଳବାର ଜିଲ୍ଲାପାଳଙ୍କଠାରେ ତାଙ୍କ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ‘ମୃତ୍ୟୁ ଦିଅ, ମତେ ଜୀବନ ଯନ୍ତ୍ରଣାରୁ ମୁକ୍ତି ଦିଅ’ ବୋଲି ହାଡ଼ୁ ସବୁବେଳେ କହୁଥିବା ତାଙ୍କ ପତ୍ନୀ ଭାମା କହିଛନ୍ତି। ସମ୍ବଲପୁର ସହର ହୀରାକୁଦ କଲୋନି ରୋଟାରି କ୍ଲବ ପାଖ ବସ୍ତିରେ ରହନ୍ତି ରିକ୍ସାଚାଳକ ହାଡ଼ୁ ପଟ୍ଟନାୟକ। ବୟସ ପାଖାପାଖି ୬୫ ବର୍ଷ। ବିବାହ ପରେ ୩ ଝିଅ ଓ ୨ ପୁଅ ସମସ୍ତେ ନିଜ ନିଜ ପରିବାର ନେଇ ଅନ୍ୟତ୍ର ରହୁଥିଲେ। ଇତିମଧ୍ୟରେ ସାନ ଝିଅର ମୃତ୍ୟୁ ହୋଇସାରିଛି। ୨୦୧୪ ମସିହା ସମ୍ବଲପୁରରେ ଆତଙ୍କ ଖେଳାଇଥିବା ଜଣ୍ଡିସ ସାନ ପୁଅ ରିଙ୍କୁ ପଟ୍ଟନାୟକଙ୍କୁ ଜୀବନ ନେଇଥିଲା। ରିଙ୍କୁ ମୃତ୍ୟୁ ପରେ ତାଙ୍କ ପତ୍ନୀ ନିଜ ୩ ସନ୍ତାନଙ୍କୁ ଛାଡ଼ି କୁଆଡ଼େ ଫେରାର ହୋଇଗଲେ। ସେହିଦିନଠାରୁ ରିଙ୍କୁ ଝିଅ ପ୍ରିୟା(୧୨), ଓମ୍(୯) ଓ ସୋମ(୭)ଙ୍କ ପାଳନ ପୋଷଣର ବୋଝ ପଡ଼ିଥିଲା ହାଡ଼ୁ ଓ ଭାମାଙ୍କ ଉପରେ। ତଥାପି ପରିବାର ଏକ ପ୍ରକାର ଠିକ୍ଠାକ ଚାଲିଥିଲା। ହେଲେ ହାଡ଼ୁ କ୍ୟାସନରରେ ଆକ୍ରାନ୍ତ ହେବା ପରେ ସବୁ କିଛି ଓଲଟପାଲଟ ହୋଇଗଲା। ଗତ ୭/୮ ମାସ ହେଲା କ୍ୟାନସର ଯୋଗୁଁ ହାଡ଼ୁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ହାଡ଼ୁ ମସ୍ତିଷ୍କ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। କ୍ୟାନସର ଯୋଗୁଁ ଗୋଡ଼ ବି ଶଢ଼ିବା ଅବସ୍ଥାରେ ଅଛି। ୩ ମାସ ତଳେ ବୁର୍ଲା ଡାକ୍ତରଖାନାର ଡାକ୍ତରମାନେ ଏଠାରେ ତାଙ୍କ ଚିକିତ୍ସା ହୋଇପାରିବ ନାହିଁ ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ। ସେହିଦିନଠାରୁ ନିଜ ଝୁପୁଡ଼ି ଘରେ ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି। ହାଡ଼ୁଙ୍କ ଶରୀରରୁ ପ୍ରବଳ ଗନ୍ଧ ବାହାରୁଛି ବୋଲି କହନ୍ତି ଭାମା ପଟ୍ଟନାୟକ। ‘ଗନ୍ଧ ଯୋଗୁଁ ଘରେ ରହିବା ମୁସ୍କିଲ ହୋଇଯାଉଛି। ତେଣୁ ୩ ନାତିନାତୁଣୀ ବାଧ୍ୟ ପଡ଼ୋଶୀ ଟୁକା ମହାନ୍ତ ଘରେ ଆଶ୍ରୟ ନେଉଛନ୍ତିି। ସେ(ହାଡ଼ୁ) ତାଙ୍କୁ ଜୀବନରେ ମାରି ଦେଇ ମୁକ୍ତି ଦେବାକୁ କହୁଛନ୍ତି। ତାଙ୍କ ବେକ ଉପରେ ଛିଡ଼ା ହୋଇ ମାରି ଦିଅ ବୋଲି କହୁଛନ୍ତି। ପତ୍ନୀ ହୋଇ ମୁଁ ଏଭଳି କାମ କେମିତି କରିପାରିବି? ସେବା କରୁଛି। ନାତିନାତୁଣୀ ସ୍କୁଲରେ ପାଠ ପଢ଼ୁଛନ୍ତି। ଅନ୍ୟ ଲୋକଙ୍କ ବାସନକୁସନ ସଫା କରି କିଛି ଯାହା କିଛି ରୋଜଗାର କରୁଛି, ସେଥିରେ ପରିବାର ଚଳୁଛି। ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା ଗତ କିଛି ମାସ ହେଲା ଆମକୁ ସହଯୋଗ କରୁଛନ୍ତି’ ବୋଲି କହନ୍ତି ଭାମା। ଭାମା ମଂଗଳବାର ନିଜ ନାତୁଣୀ ଏବଂ ଆଇନଜୀବୀ ମଧୁସୁଦନ ମିତ୍ରଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କ ସ୍ୱାମୀ ଇଚ୍ଛା ମୃତ୍ୟୁ ଚାହୁଛନ୍ତି । ତେଣୁ ତାଙ୍କ ଦରଖାସ୍ତ ଉପରେ ଅତିଶିଘ୍ର ବିଚାର କରିବାକୁ ଭାମା ଅନୁରୋଧ କହିଛନ୍ତି। ଅପରପକ୍ଷରେ ସନ୍ଧ୍ୟାରେ ଭିମ୍ସାର ନିର୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାରୀ ହୀରାକୁଦ କଲୋନି ଆସି ହାଡ଼ୁଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ଯାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us