ANI News
ଭୁବନେଶ୍ୱର : ‘ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମାନ-୨୦୨୧’ ନିମନ୍ତେ ଆବେଦନ ତାରିଖ ୨୦ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଲ୍ଲେଖନୀୟ ସାମାଜିକ ଅବଦାନ ଓ ସଫଳତା ପାଇଁ ଜେଏସ୍ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଭାରତର ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ/ସଂଗଠନକୁ ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନର ଚତୁର୍ଥ ସଂସ୍କରଣ ପାଇଁ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଆବେଦନ/ନାମାଙ୍କନପତ୍ର ଆସିଛି। ଏହି ସର୍ବଭାରତୀୟ ପୁରସ୍କାର ପାଇଁ ଆହୁରି ଅଧିକ ବ୍ୟକ୍ତିବିଶେଷ/ ସଂଗଠନ ଆବେଦନ କରିବାକୁ ଫାଉଣ୍ଡେସନ୍ ପକ୍ଷରୁ ଅନୁରୋଧ କରାଯାଇଛି। ପୁରସ୍କାରର ବିବରଣୀ ସହ ଆବେଦନ ଫର୍ମ www.jsplfoundation.com ରେ ଉପଲବ୍ଧ।
କୃଷି/ଗ୍ରାମୀଣ ବିକାଶ, କଳା ଏବଂ ସଂସ୍କୃତି, ଶିକ୍ଷା, ଉଦ୍ୟୋଗୀ ଏବଂ ଜୀବିକା, ପରିବେଶ, ସ୍ୱାସ୍ଥ୍ୟ, ଅଭିନବ/ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ଜନସେବା/ସାମାଜିକ ସେବା, ଏବଂ ମହିଳା ସଶକ୍ତୀକରଣ ଆଦି ୧୦ଟି ବର୍ଗରେ ଏହି ପୁରସ୍କାର ଦିଆଯିବ। ଏହାସହ କୋଭିଡ୍-୧୯ ମହାମାରୀ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସଂଗଠନଗୁଡ଼ିକୁ ମଧ୍ୟ ସ୍ୱତନ୍ତ୍ର ବର୍ଗରେ ସମ୍ମାନିତ କରାଯିବ। ପ୍ରତ୍ୟେକ ବିଜେତାଙ୍କୁ ସମ୍ମାନିତ କରାଯିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଜେଏସ୍ପିଏଲ୍ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି।
ଫାଉଣ୍ଡେସନ୍ର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି ଯେ ଆମ ଦେଶରେ ଅନେକ ବ୍ୟକ୍ତି ଏବଂ ସଂସ୍ଥା ଅଛନ୍ତି, ଯେଉଁମାନେ ଅଦମ୍ୟ ସାହସ, ଅସାଧାରଣ ଉଦ୍ୟମ ଏବଂ ଭିନ୍ନଧରଣର ଆବିଷ୍କାର ଦ୍ୱାରା ସାଧାରଣ ଲୋକଙ୍କ ଜୀବନରେ ସୁଧାର ଆଣି ପାରିଛନ୍ତି। ଏଭଳି ବ୍ୟକ୍ତିବିଶେଷମାନଙ୍କୁ ଚିହ୍ନଟ ତଥା ସମ୍ମାନିତ କରି ସେମାନଙ୍କ ସଫଳତାକୁ ଶ୍ରେୟ ଦେବା ହିଁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନର ମୂଳ ଉଦ୍ଦେଶ୍ୟ।
Follow Us