ଉତ୍କଳ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ: ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରି କୁଳାଧିପତି ଉତ୍କଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତିଙ୍କୁ ମେ’ ୨୭ରେ ନିଯୁକ୍ତି ଦେଇଥିବା ଅଭିଯୋଗ କରି ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Orissa High Court

Orissa High Court Photograph: (sambad.in )

କଟକ: ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରି କୁଳାଧିପତି ଉତ୍କଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତିଙ୍କୁ ମେ’ ୨୭ରେ ନିଯୁକ୍ତି ଦେଇଥିବା ଅଭିଯୋଗ କରି ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ୍‌ ଓ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି ସମୟରେ ଆଡଭୋକେଟ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ଜୁଲାଇ ୨୨ର ବିଜ୍ଞପ୍ତି କପି ଦାଖଲ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ବାୟୋଟେକ୍‌ନୋଲୋଜି ବିଭାଗର ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କ ନିଯୁକ୍ତିକୁ କୁଳାଧିପତି ବାତିଲ କରିଛନ୍ତି ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏଥିସହିତ ଏ ସମ୍ପର୍କିତ ଆଇନରେ ସଂଶୋଧନ କରାଯିବ ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା। ଆଇନ ଉଲ୍ଲଂଘନ କରି ଭାରପ୍ରାପ୍ତ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଥିବା ଆବେଦନକାରୀ ଅଭିଯୋଗ କରିଥିବା ବେଳେ ଜୁଲାଇ ୨୨ର ବିଜ୍ଞପ୍ତିରେ ସଂପୃକ୍ତ ନିଯୁକ୍ତିକୁ ରଦ୍ଦ କରାଯାଇଛି ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ କୁଳପତିଙ୍କ ନିଯୁକ୍ତି କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ଶୁଣାଣିରେ ଅନ୍ତ ଘଟାଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ହାଇକୋର୍ଟର ଆଇନଜୀବୀ ଶ୍ରୀ ଦାସ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି ନିଯୁକ୍ତି ପ୍ରସଂଗରେ ନିଷ୍କ୍ରିୟତାକୁ ବିରୋଧ କରି ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏଥିସହ ଭାରପ୍ରାପ୍ତ କୁଳପତି ନିଯୁକ୍ତି ପ୍ରସଂଗରେ ଆଇନ ଉଲ୍ଲଂଘନ ହୋଇଥିବା ଶ୍ରୀ ଦାସ ଅଭିଯୋଗ କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ୨୦୨୪, ନଭେମ୍ବର ୨୩ରେ ଶେଷ ହେବା ପରେ ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଗତ ମେ ୨୩ରେ ଶେଷ ହେବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲଜି ବିଭାଗର ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ମେ’ ୨୭ରେ ନିଯୁକ୍ତି ଦିଆଯାଇଥିଲା। କୌଣସି କାରଣବଶତଃ ସ୍ଥାୟୀ କୁଳପତି ନିଯୁକ୍ତି ସମ୍ଭବ ନ ହେଲେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମର ଧାରା ୬ (୧୦) ଅନୁସାରେ ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦିଆଯିବା କଥା। ଏଭଳି ସ୍ଥିତିରେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦିଆଯିବା ବେଆଇନ ବୋଲି ଶ୍ରୀ ଦାସ ଦର୍ଶାଇଥିଲେ। ଜୁନ ୨୪‌ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe