୪ବର୍ଷ ପରେ ଓପିଏସ୍‌ସି ମାଧ୍ୟ‌ମରେ ହେବ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି, ଲିଖିତ ପରୀକ୍ଷା ଦେଇ ନିଯୁକ୍ତି ପାଇବେ ଡାକ୍ତର

Advertisment
୪ବର୍ଷ ପରେ ଓପିଏସ୍‌ସି ମାଧ୍ୟ‌ମରେ ହେବ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି, ଲିଖିତ ପରୀକ୍ଷା ଦେଇ ନିଯୁକ୍ତି ପାଇବେ ଡାକ୍ତର

amarujala.com

କଟକ : ୨୦୧୭ରେ ଶେଷଥର ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ମାଧ୍ୟମରେ ନିଯୁକ୍ତି ପାଇଥିଲେ ଆସିଷ୍ଟାଣ୍ଟ ପ୍ରଫେସର। ଏହା ପରଠାରୁ ଠପ୍‌ ହୋଇଯାଇଥିଲା ପ୍ରକ୍ରିୟା। ଯଦିଓ ୨୦୧୮ରେ ଏହି ପଦରେ ନିଯୁକ୍ତି ପାଇଁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, କିନ୍ତୁ କୋର୍ଟ ମାମଲା ଯୋଗୁଁ ଏହି ବିଜ୍ଞପ୍ତି ରଦ୍ଦ ହୋଇଥିଲା। ଫଳରେ କେବଳ ଚୁକ୍ତିଭିତ୍ତିକ ନିଯୁକ୍ତି ପାଉଥିଲେ ଡାକ୍ତର। ଦୀର୍ଘ ସାଢେ ୩ବର୍ଷ ପରେ ଏବେ ପୁଣି ପ୍ରଥମଥର ପାଇଁ ଲିଖିତ ପରୀକ୍ଷା ମାଧ୍ୟମରେ ସୁପରସ୍ପେସାଲିଟି ଭାବେ ନିଯୁକ୍ତି ପାଇବେ୧୨ଜଣ ଆସିଷ୍ଟାଣ୍ଟ ପ୍ରଫେସର। ଏଥିପାଇଁ ୧୪ତାରିଖରେ ହେବ ପରୀକ୍ଷା ବୋଲି ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ୨୦୧୮/୧୯ରେ ରାଜ୍ୟର ଏସ୍‌ସିବି, ଏମ୍‌କେସିଜି ଓ ଦନ୍ତ ମହାବିଦ୍ୟାଳୟର ୨୧ଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା ଓପିଏସ୍‌ସି। ଏଥିପାଇଁ ପ୍ରାର୍ଥୀ ଆବେଦନ ମଧ୍ୟ କରିଥିଲେ, କିନ୍ତୁ ନିଯୁକ୍ତି ନେଇ କୌଣସି ପରୀକ୍ଷା ହୋଇ ନଥିଲା। ଯେହେତୁ ମେଡିକାଲ କଲେଜ ସହିତ ଦନ୍ତ ମହାବିଦ୍ୟାଳୟ ପାଇଁ ଏକାଠି ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଏହାକୁ ଚାଲେଞ୍ଜ କରି ଦନ୍ତ ମହାବିଦ୍ୟାଳୟ ପାଇଁ ଆବେଦନ କରିଥିବା ପ୍ରାର୍ଥୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାଫଳରେ ୨୦୧୮ର ବିଜ୍ଞପ୍ତି ଅନୁସାରେ କୌଣସି ନିଯୁକ୍ତି ହୋଇପାରି ନଥିଲା। ଆଜି ପର୍ଯ୍ୟନ୍ତ ଓପିଏସ୍‌ସି ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ନିଯୁକ୍ତି ପ୍ରଦାନ ତ ପରର କଥା, ଏଥିପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ କରୁ ନଥିଲା। ଏବେ ରାଜ୍ୟରେ ଶହ ଶହ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡିଥିବାରୁ ଓଡିଶା ମେଡିକାଲ ଓ ତାଲିମ ନିର୍ଦ୍ଦେଶକ(ଡିଏମ୍‌ଇଟି)ଙ୍କ ପକ୍ଷରୁ ଖାଲିଥିବା ପଦ ପୂରଣ ପାଇଁ ଠିକା ଭିତ୍ତିରେ ନିଯୁକ୍ତି ଦିଆଯାଉଥିଲା। ଯାହାକୁ ନେଇ ଓମ୍‌ଟା ଓ ବିଭିନ୍ନ ମେଡିକାଲ ସଂଘ ଦୀର୍ଘଦିନ ହେଲା ଅସନ୍ତୋ‌ଷ ପ୍ରକାଶ କରିଆସୁଥିଲେ। ସେହି ପୁରୁଣା ୨୦୧୮ର ବିଜ୍ଞପ୍ତି ଅନୁସାରେ ଦନ୍ତ ମହାବିଦ୍ୟାଳୟର ପଦକୁ ବାଦ୍‌ଦେଇ କେବଳ ସୁପରସ୍ପୋସାଲିଟି ବିଭାଗ ପାଇଁ ପ୍ରକାଶ ପାଇଥିବା ୧୨ଟି ପଦ ପାଇଁ ୧୪ ତାରିଖ କଟକ ତୁଳସୀପୁରସ୍ଥିତ ଚହଟାନଗର ଶିଶୁ ବିଦ୍ୟାମନ୍ଦିରରେ ନିଯୁକ୍ତି ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଶେଷଥର ପାଇଁ ୨୦୧୬/୧୭ରେ ଓପିଏସ୍‌ସି ମାଧ୍ୟମରେ ୭୦ରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ମୌଖିକ ତଥା ସାକ୍ଷାତକାର ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପାଇଥିଲେ। ଏବେ ୩/୪ମାସ ତଳେ ହୋଇଥିବା ଡିପିସିରେ ସେହି ସମସ୍ତ ଆସିଷ୍ଟାଣ୍ଟ ପ୍ରଫେସର ଆସୋସିଏଟ୍‌ ପ୍ରଫେସରକୁ ପଦୋନ୍ନତି ମିଳିସାରିଛି। ଫଳରେ ଏବେ ରାଜ୍ୟର ସବୁ ମେଡିକାଲ କଲେଜରେ ମାଳ ମାଳ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲିପଡିଛି। ଆଗକୁ ଫେବ୍ରୁଆରି ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ‌ରେ ପୁଣିଥରେ ଡିପିସି ବସିବ। ଏହାପରେ ଖାଲିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦ ଆହୁରି ଅଧିକ ବଢ଼ିବ। ଅନ୍ୟପଟେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଚଳିତବର୍ଷ ଓପିଏସ୍‌ସି ମାଧ୍ୟମରେ ୨୦୧୩ ରୁଲ୍‌ ଅନୁସାରେ ଓଏମ୍‌ଇଏସ୍‌ ଅନୁସାରେ ପ୍ରଥମଥର ପାଇଁ ଲିଖିତ ପରୀକ୍ଷା କରାଯିବ ଓ ଯେଉଁମାନେ ଏଥିରେ ଉତ୍ତୀର୍ଣ୍ଣ ହେବେ ସେମାନେ ନିଯୁକ୍ତି ପାଇବେ। ତେବେ, ଓପିଏସ୍‌ସି ପକ୍ଷରୁ ନିୟମିତ ଭାବେ ରାଜ୍ୟରେ ଖାଲି ପଡ଼ିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦଗୁଡ଼ିକର ପୂରଣ ଦିଗରେ ବିଜ୍ଞପ୍ତି ପ୍ରକାଶ କରାଗଲେ ପଦ ପୂରଣ ହେବା ସହ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିପାରନ୍ତା ବୋଲି ମତପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe