image source-odisha bytes
୩୦ ଜିଲ୍ଲା ମୁଖ୍ୟ ଜେଲ୍ରେ ସ୍ଥାପନ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍
ଅସୁସ୍ଥଙ୍କ ପାଇଁ ୪୦ ବ୍ୟାଟେରି ଚାଳିତ ରିକ୍ସା; ଖୋଲାଯିବ ଅଂଶୁଘାତ ଓ୍ୱାର୍ଡ
ଭୁବନେଶ୍ବର : ୫-ଟି ଅଧୀନକୁ ଆସିବା ପରେ ଜେଲ୍ଗୁଡ଼ିକରେ ଅଧିକ ସଂସ୍କାର ଓ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ କାରାଗାର ବିଭାଗ ପକ୍ଷରୁ ୨୦୨୧-୨୨ ପାଇଁ ଦିଆଯାଇଥିବା ଆକ୍ସନ ପ୍ଲାନ୍କୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଜେଲ୍ର ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ଓ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଇଛି।
କାରାଗାର ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚୌଦ୍ବାର ମଣ୍ଡଳ କାରାଗାର ଓ ଝାରପଡ଼ା ସ୍ବତନ୍ତ୍ର ଜେଲରେ କୁଖ୍ୟାତ ଅପରାଧୀ, ଗ୍ୟାଙ୍ଗଷ୍ଟରଙ୍କ ଗତିବିଧି ଓ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ କାର୍ଯ୍ୟରତ ଓ୍ଵାର୍ଡର ବଡି କ୍ୟାମେରା ପିନ୍ଧିବେ। ପ୍ରଥମ ପର୍ଯ୍ୟାୟରେ ଏହି ଦୁଇଟି ଜେଲ୍କୁ ୨୦ଟି ବଡି କ୍ୟାମେରା ମିଳିବ। ସେହିପରି ମଣ୍ଡଳ କାରାଗାର, ଜିଲ୍ଲା ଜେଲ୍ ଓ ସମ୍ବେଦନଶୀଳ ଜେଲ୍ଗୁଡ଼ିକରେ ମାଟି, କାନ୍ଥ, ଚଟାଣ ତଳେ ଲୁଚା ଯାଇଥିବା ମୋବାଇଲ ଫୋନ୍, ସିମ୍ କାର୍ଡ କିମ୍ବା ଅନ୍ୟ ଧାତବ ପଦାର୍ଥ ଖୋଜିବା ପାଇଁ ମେଟାଲ୍ ଡିଟେକ୍ଟର ଯୋଗାଇ ଦିଆଯିବ। ଖରାପ ହୋଇ ଯାଇଥିବା ସିସିଟିଭି ମରାମତି ସହ ଅଚଳ କ୍ୟାମେରାକୁ ବଦଳାଯିବ।
ଝାରପଡ଼ା ଜେଲରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ହେବା ଯୋଗୁଁ ଉଭୟ କଏଦୀ ଓ ସାଧାରଣ ଲୋକ ଲାଭବାନ ହୋଇପାରିଛନ୍ତି। କଏଦୀ ଆତ୍ମନିଯୁକ୍ତିର ସୁଯୋଗ ପାଉଥିବା ବେଳେ ଏହି ସାମଗ୍ରୀ କିଣୁଥିବା ଲୋକ ମଧ୍ୟ ବିଶୁଦ୍ଧ ଖାଦ୍ୟଦ୍ରବ୍ୟ ପାଇ ପାରୁଛନ୍ତି। ଏହା ସଫଳତା ପାଇବା ପରେ ୩୦ ଜିଲ୍ଲାର ମୁଖ୍ୟ ଜେଲ୍ରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ୨୨ଟି ଜେଲ୍ରେ ତେଲ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବାକୁ ଥିବାବେଳେ ଚାଷବାସ ହେଉଥିବା ୧୫ଟି ଜେଲ୍କୁ ପାଓ୍ବାରଟିଲର ମିଳିବ। ବଡ଼ବଡ଼ ଜେଲରେ କଏଦୀଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା, ଅସୁସ୍ଥ କଏଦୀଙ୍କୁ ନେବା ଆଣିବା ପାଇଁ ୪୦ ଜେଲରେ ବ୍ୟାଟେରି ଚାଳିତ ରିକ୍ସା ବ୍ୟବହାର କରାଯିବ। ଝାରପଡ଼ା ଜେଲ୍ରେ ୨୦ ଶଯ୍ୟା ବିଶିଷ୍ଟ, ପଦ୍ମପୁର, ଜଗତସିଂହପୁର, ସୋରଡ଼ା ଓ ଜି.ଉଦୟଗିରିରେ ୧୦ ଶଯ୍ୟା ବିଶିଷ୍ଟ ନୂତନ ମେଡିକାଲ ନିର୍ମାଣ ଚାଲିଛି। କେତେକ ମେଡିକାଲରେ ଇସିଜି ମେସିନ୍ ମଧ୍ୟ ଲଗାଯିବ। ସେହିପରି ମେଡିକାଲରେ ସହ ସ୍ବତନ୍ତ୍ର ଅଂଶୁଘାତ ଓ୍ଵାର୍ଡ ମଧ୍ୟ ରହିବ। ଜେଲରେ ଜୈବିକ ଖତ ମେସିନ୍ ସ୍ଥାପନ ହେବ। ସଫାସୁତରା ରଖିବା ପାଇଁ ବାସନ ମଜା ମେସିନ୍, ଡ୍ରାଏ କ୍ଲିନର, ଚଟାଣ ସଫା ମେସିନ୍ ବ୍ୟବହାର ହେବ ବୋଲି କାରାଗାର ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
Follow Us