ବରଫ ଫାକ୍ଟ୍ରି ନାମରେ ମଞ୍ଜୁରୀ, କରିଛନ୍ତି ମାଛ ଗୋଦାମ

ଆବର୍ଜନା ଓ ପୂତିଗନ୍ଧମୟ ପରିବେଶରେ ଲୋକେ ଅତିଷ୍ଠ

ବରଫ ଫାକ୍ଟ୍ରି ନାମରେ ମଞ୍ଜୁରୀ, କରିଛନ୍ତି ମାଛ ଗୋଦାମ

ସୁନ୍ଦରଗଡ଼: ବରଫ ଫାକ୍ଟ୍ରି ନାମରେ ନେଇଛନ୍ତି ମଞ୍ଜୁରୀ। କରିଛନ୍ତି ମାଛ ଗୋଦାମ।  ପ୍ରତିଦିନ  ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଭାରୀଯାନରେ ଶହ ଶହ ଟନ୍  ବରଫଦିଆ ମାଛ ଆସି ଏଠାରେ ବିକ୍ରି ହୋଇଥାଏ। ମାଛ ଗୋଦାମର ବର୍ଜ୍ୟ ସୃଷ୍ଟି କରି ଚାଲିଛି ପୂତିଗନ୍ଧମୟ ପରିବେଶ। ଅଣନିଃଶ୍ବାସୀ ହୋଇଗଲେଣି ଲୋକେ। ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ପୌରପାଳିକା ୧୯ ନମ୍ବର ୱାର୍ଡ  ଆଦର୍ଶନଗର ମୁଖ୍ୟ ରାସ୍ତା କଡ଼ରେ ଥିବା ଜେ.ବି. ବରଫ କାରଖାନ(ଆଇସ ପ୍ଲାଣ୍ଟ)  ନାମରେ। ଲୋକେ ଏହାର ତୀବ୍ର ବିରୋଧ କରିଛନ୍ତି। ୫ ଦିନ ତଳେ  ପୌର ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ମଧ୍ୟ ଆସି ତଦନ୍ତ କରି ଫେରିଛନ୍ତି। କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହା ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ୪ ବର୍ଷ ତଳେ ଆଦର୍ଶନଗର ମୁଖ୍ୟ ରାସ୍ତା କଡ଼ରେ ଜେ.ବି. ବରଫ କାରଖାନା (ଆଇସ ପ୍ଲାଣ୍ଟ) ନାମରେ ଏକ ପ୍ରତିଷ୍ଠାନ ଆରମ୍ଭ ହୋଇଥିଲା। କାରଖାନାରେ ବରଫ ତିଆରି ହେବ ବୋଲି ସ୍ଥାନୀୟ ଲୋକଙ୍କ ଧାରଣା ଥିଲା।

ପ୍ରଥମ ବର୍ଷ କେବଳ ବରଫ ତିଆରି ହେଲା।  କିନ୍ତୁ ପରବର୍ତ୍ତୀ ବର୍ଷ ଠାରୁ  କାରଖାନା ମାଲିକ ବରଫ ତିଆରି ସାଙ୍ଗକୁ ଏଠାରେ ମାଛ ବେପାର ଆରମ୍ଭ କରିଦେଲେ। ଗତ  ୩ ବର୍ଷ ହେଲା ପ୍ରତିଦିନ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରୁ ଦଶଚକିଆ ଭାରୀଯାନରେ ଟ୍ରକ ଟ୍ରକ ବରଫଦିଆ ମାଛ ଏହି ଗୋଦାମକୁ ଆସିଥାଏ। ମାଛଗୁଡ଼ିକୁ  ସୋଲ ବା ଥର୍ମୋକୁଲରେ ତିଆରି ଏକ ଡବାରେ ବରଫ ଭିତରେ ଭର୍ତ୍ତି କରି ଅଣାଯାଉଥିବା ବେଳେ ବିକ୍ରି ହୋଇଗଲା ପରେ ଏକ ଖାଲି ସ୍ଥାନରେ ଭଙ୍ଗା ଥର୍ମୋକୁଲ ଡବାଗୁଡ଼ିକୁ ମାଲିକ ପକାଇ ଦେଉଥିବା ଅଭିଯୋଗ ରହିଛି। କାଳବୈଶାଖୀର ଧୁଳି ଝଡ଼ ଓ ପବନରେ ଥର୍ମୋକୁଲ ଡବା ଭଙ୍ଗା ଅଂଶ ରାସ୍ତାରେ ଉଡ଼ିବା ସହ ଘର ଭିତରେ ରନ୍ଧାଘର ଓ ପୂଜାଗୃହକୁ  ମଧ୍ୟକୁ ପଶି  ଯାଉଥିବା ପ୍ରକାଶ ପାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଏହି ଭଙ୍ଗା ଅଂଶକୁ  ଗଦା କରି ଦିଆଯାଉଥିବାରୁ ସ୍ଥାନୀୟ ପରିବେଶ ସର୍ବଦା ଅଳିଆ, ଆବର୍ଜନାମୟ ହୋଇ ରହୁଛି। ଏହା ଛଡ଼ା ଟ୍ରକରୁ ମାଛ ଓହ୍ଲାଇବା ପରେ ଆଇଁଷିଆ ଓ ପଚା ଗନ୍ଧରେ ପରିବେଶ ପୂତିଗନ୍ଧମୟ  ହୋଇ ପଡ଼ୁଥିବା ପଡ଼ାଲୋକେ ଅଭିଯୋଗ କରିଛନ୍ତି।

ଏହି କାରଣରୁ  ଗୋଦାମ ଚାରି କଡ଼େ ଥିବା ଘରଗୁଡ଼ିକ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ସେହିପରି ମାଛର କାତି ଓ ଅବଶିଷ୍ଟାଂଶ ଆଦର୍ଶନଗଠାରୁ ବାଏପାସକୁ ସଂଯୋଗ କରୁଥିବା ରାସ୍ତାର  ଏକ ଖାଲୁଆ ଜମିରେ  ଫିଙ୍ଗି ଦିଆ ଯାଉଥିବା ବେଳେ  ସେହି ରାସ୍ତା ଦେଇ ଯାତାୟତ କରିବା ଅସମ୍ଭବ ହୋଇପଡ଼ିଛି।  ଲୋକେ ଏହାର ପ୍ରତିବାଦ କରିବା ସହ ମାଛ ଗୋଦାମ ଅନ୍ୟତ୍ର ସ୍ଥାନାନ୍ତର କରିନେବାକୁ ବହୁବାର ଅନୁରୋଧ କରିଥିଲେ ମଧ୍ୟ ମାଲିକ ଶୁଣୁ ନଥିବା ପଡ଼ାବାସୀ ପ୍ରକାଶ କରିଛନ୍ତି।  ବର୍ଜ୍ୟବସ୍ତୁ ପରିଚାଳନାର ଖୋଲା ଉଲଂଘନ ହେଉଥିବା ବେଳେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଲୋକେ ଅଭିଯୋଗ କରିବା ସତ୍ତ୍ବେ  ଫଳ ଶୂନ।  ମାଛ ଗୋଦାମକୁ ତୁରନ୍ତ ଏଠାରୁ ନହଟାଇଲେ ଆଗାମୀ ଦିନରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe