ଦଶପଲ୍ଲା ବନାଞ୍ଚଳରୁ ଲୋପ ପାଇଯିବ ଅରଗୁଣା

ଦଶପଲ୍ଲା ବନାଞ୍ଚଳରୁ ଲୋପ ପାଇଯିବ ଅରଗୁଣା

ଦଶପଲ୍ଲା: ଦଶପଲ୍ଲା ବନାଞ୍ଚଳରୁ ଦୈନିକ ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ ଗଛ କଟାଯିବା ସହ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇଚାଲିଛି। ଏସବୁ ସୁରକ୍ଷା ଦିଗରେ ବନ ବିଭାଗ ଅସହାୟ ହୋଇ ପଡ଼ିଥିବା ବେଳେ ଏବେ ଜଙ୍ଗଲରୁ ଅରଗୁଣା (ଅଡ଼ଙ୍ଗା) ବୃକ୍ଷ ଲୋପ ପାଇବାକୁ ବସିଲାଣି। ଅହରହ ମାଫିଆମାନେ ଜଙ୍ଗଲରୁ ଏହି ଗଛ କାଟି ଚାଲିଥିବା ଅଭିଯୋଗ ହେଉଛି। ଦଶପଲ୍ଲା ବ୍ଲକ୍‌ର ନୂଆଗାଁ, କଳସାଖମଣ, ଦୁଡ଼ା, କୁଜାମେଣ୍ଢି, ଘୁଗୁଡିପଡା, ପୋଖରୀଗୋଛା ଏବଂ ବାଣୀଗୋଛା ପ୍ରଭୃତି ପଞ୍ଚାୟତର ଜଙ୍ଗଲରୁ ଏହି ଗଛ ଧୀରେଧୀରେ ଲୋପ ପାଇବାକୁ ବସିଲାଣି।

ଦଶପଲ୍ଲା ଅଞ୍ଚଳର କିଛି ମାଫିଆଙ୍କ ସମେତ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ମାଫିଆମାନେ ବେଧଡ଼କ ଭାବେ ଏହି ବ୍ୟବସାୟ ଚଳାଇ ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ହାତକରି ଏସବୁକୁ ଜଙ୍ଗଲରୁ ସଂଗ୍ରହ କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳ ତୁଳନାରେ ଦଶପଲ୍ଲା ବନାଞ୍ଚଳର ବିଭିନ୍ନ ବଣ, ପାହାଡ଼ଘେରା ଅଞ୍ଚଳରେ ଏହି ଗଛ ବହୁଳ ଭାବରେ ଦେଖାଯାଏ। ଏହି ଗଛକୁ ମୂଳରୁ ତଡ଼ାଯିବା ପରେ ଏହାକୁ ଛୋଟଛୋଟ ଖଣ୍ତ କରି ଖରାରେ ଶୁଖାଯାଉଛି। ପରେ ମାଫିଆମାନେ ଏହାକୁ ଶାଗମାଛ ଦରରେ କ୍ରୟ କରୁଛନ୍ତି। ଏସବୁକୁ ରାଜ୍ୟ ବାହାରକୁ ପଠା ଯାଉଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଯଦିଓ କିଛି ମାତ୍ରାରେ ଅରଗୁଣା ଜବତ କରାଯାଇଛି, ତେବେ କୌଣସି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇନାହିଁ। ଏହି ବୃକ୍ଷ ଏବେ ଜଙ୍ଗଲରୁ ଲୋପ ପାଇବାକୁ ବସିଥିବା ବେଳେ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe