ଏମାର ମଠ ଖନନସ୍ଥଳରେ ପ୍ରତ୍ନତତ୍ତ୍ବ ବିଭାଗର ଯାଞ୍ଚ: ମିଳିଲା ଗଙ୍ଗବଂଶର କୀର୍ତ୍ତିରାଜି

Advertisment

ସିଂହ ମୂର୍ତ୍ତି ବି ଗଙ୍ଗବଂଶ ସମୟର, ପୁରୁଣା ପ୍ରାଚୀର, ମାଟିପାତ୍ର ଉଦ୍ଧାର

ସିଂହ ମୂର୍ତ୍ତି ବି ଗଙ୍ଗବଂଶ ସମୟର, ପୁରୁଣା ପ୍ରାଚୀର, ମାଟିପାତ୍ର ଉଦ୍ଧାର

ଏମାର ମଠ ଖନନସ୍ଥଳରେ ପ୍ରତ୍ନତତ୍ତ୍ବ ବିଭାଗର ଯାଞ୍ଚ: ମିଳିଲା ଗଙ୍ଗବଂଶର କୀର୍ତ୍ତିରାଜି

ପୁରୀ: ବିବାଦ ଭିତରକୁ ଟାଣି ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ବିନା ଜିପିଆର୍‌ଏସ୍‌ (ଗ୍ରାଉଣ୍ଡ୍‌ ପେନିଟ୍ରେଟିଂ ରାଡାର୍‌ ସର୍ଭେ)ରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଠିକ୍ ଏମିତି ସମୟରେ ଆଜି ଏମାର ମଠ ଖନନସ୍ଥଳରେ ଅନୁଧ୍ୟାନ ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଗଙ୍ଗବଂଶ ସମୟରେ ପ୍ରାଚୀନ କୀର୍ତ୍ତିରାଜିର ସନ୍ଧାନ ପାଇଛନ୍ତି। ଗତକାଲି ଯେଉଁ ସିଂହମୂର୍ତ୍ତି ମିଳିଥିଲା, ତାହା ବି ଗଙ୍ଗବଂଶ ସମୟର ବୋଲି ପ୍ରତ୍ନତତ୍ତ୍ବ ବିଭାଗର ସ୍ପଷ୍ଟ କରିଛି। ଏହା ସହ ଆଜି ଅନୁଧ୍ୟାନ ବେଳେ ସେକାଳରେ ଚୁନ ପଥରରେ ନିର୍ମିତ ଏକ ବଡ଼ ପ୍ରାଚୀରର ବି ସନ୍ଧାନ ମିଳିଛି। ଏହାର ସୁରକ୍ଷା ନେଇ ପ୍ରତ୍ନତତ୍ତ୍ବ ବିଭାଗ ଚିନ୍ତା ପ୍ରକଟ କରିଥିବା ବେଳେ ବିଳମ୍ବରେ ହେଲେ ବି ପ୍ରତ୍ନତତ୍ତ୍ବ ବିଭାଗର ଏଭଳି ତନାଘନାକୁ ପ୍ରତ୍ନତତ୍ତ୍ବବିତ୍‌ମାନେ ସ୍ବାଗତ କରିଛନ୍ତି। ଅପରପକ୍ଷେ ଏମାର ମଠ ଖନନସ୍ଥଳରୁ ଯେଉଁ ସିଂହ ମୂର୍ତ୍ତି ମିଳିଛି, ତାହା ଦୁଇଟି ସିଂହ ମୂର୍ତ୍ତି ବୋଲି ପ୍ରତ୍ନତତ୍ତ୍ବ ବିଭାଗ ସ୍ପଷ୍ଟ କରିଛି। ଏଣୁ ମନ୍ଦିର ଚତୁଃପାର୍ଶ୍ବରେ ଯେଉଁ ଖନନ କରାଗଲା, ସେଥିରେ ବହୁ ପ୍ରାଚୀନ କୀର୍ତ୍ତିରାଜି ନଷ୍ଟ ହୋଇଥିବା ପ୍ରତ୍ନତତ୍ତ୍ବ ବିଭାଗ ସନ୍ଦେହ ପ୍ରକଟ କରିଛି।

ଗତକାଲି ଏମାର ମଠ ଖନନସ୍ଥଳରୁ ଭଗ୍ନ ଅବସ୍ଥାରେ ଦୁଇଟି ସିଂହମୂର୍ତ୍ତିର ସନ୍ଧାନ ମିଳିଥିଲା। ଏହି ବହୁ ପୁରାତନ ସିଂହ ମୂର୍ତ୍ତି ଜେସିବି ମାଡ଼ରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଗୋଟିଏ ସିଂହମୂର୍ତ୍ତିର ଅଣ୍ଟାଠାରୁ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ସିଂହମୂର୍ତ୍ତିର ମୁଣ୍ଡ କେଉଁଆଡ଼େ ଗାଏବ ରହିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଘନଘନ ଖବର ପ୍ରକାଶ ପରେ ଆଜି ଅପରାହ୍ଣରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନେତୃତ୍ବରେ ୧୫ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଏମାର ମଠ ଖନନସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ମାଟିରେ ପୋତି ହୋଇ ରହିଥିବା ଦୁଇ ସିଂହମୂର୍ତ୍ତିକୁ ମାଟି ‌ତାଡ଼ି ବାହାର କରିଛନ୍ତି। ସେପଟେ ଖନନ ପରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ସଫା କରିବା ପରେ ଏକ ଚୁନ ପଥରର ବିରାଟ ପ୍ରାଚୀରର ସନ୍ଧାନ ମିଳିଛି। ଏହି ପ୍ରାଚୀର ଲମ୍ବ ପ୍ରାୟ ୩୦ ଫୁଟ ହୋଇଥିବାବେଳେ ଓସାର ପ୍ରାୟ ତିନି ଫୁଟ ରହିଛି। ଏହାର ଚତୁଃପାର୍ଶ୍ବକୁ ବି ପ୍ରତ୍ନତତ୍ତ୍ବ ବିଭାଗ ସ୍ବତନ୍ତ୍ର ଯନ୍ତ୍ରାଂଶରେ ସଫାସୁତରା କରିବା ସହ ମାପଚୁପ କରିଛି। ପ୍ରାଚୀର କଡ଼ରେ ଖନନ କରି ଗଭୀରତା ମାପିଛି। ଏହି ପ୍ରାଚୀର ଭିତରେ କୌଣସି ସୁଡ଼ଙ୍ଗ କିମ୍ବା ଗୁମ୍ପା ରହିଛି କି ନାହିଁ, ଅନୁଧ୍ୟାନ କରିଛି। ଖନନ ବେଳେ କିଛି ପୁରାତନ ମାଟି ପାତ୍ର, ଇଟା, ଖପୁରି ଆଦି ସଂଗ୍ରହ କରାଯାଇଛି।

ପ୍ରାୟ ତିନି ଘଣ୍ଟାର ଅନୁଧ୍ୟାନ କରି ଫେରିବା ପରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଶ୍ରୀ ମଲ୍ଲିକ କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏମାର ମଠ ଖନନସ୍ଥଳରୁ ମିଳିଥିବା ପ୍ରାଚୀନ କୀର୍ତ୍ତିରାଜିର ଅନୁସନ୍ଧାନ ପାଇଁ ଓବିସିସି ତରଫରୁ ଆମକୁ ଆଜି ସକାଳେ ଚିଠି କରାଯାଇଥିଲା। ଆଜି ଅନୁଧ୍ୟାନ ବେଳେ ଯେଉଁ ସିଂହମୂର୍ତ୍ତି ମିଳିଛି, ତାହା ଗଙ୍ଗବଂଶ ସମୟର ବୋଲି ସ୍ପଷ୍ଟ ହେଉଛି। କୋର୍ଟଙ୍କୁ ଆମେ ଯେଉଁ ସିଂହମୂର୍ତ୍ତି ସମ୍ପର୍କରେ ଅବଗତ କରିଥିଲୁ, ଏହା ସେହି ମୂର୍ତ୍ତି। ଅନ୍ୟପକ୍ଷରେ ଏକ ପୁରୁଣା ପ୍ରାଚୀର ସହ ଅନ୍ୟାନ୍ୟ ଜିନିଷର ବି ସନ୍ଧାନ ମିଳିଛି। ସବୁର ନମୁନା ସଂଗ୍ରହ କରାଯାଇଛି। ବାକି ଯାଞ୍ଚ ପରେ ଅନ୍ୟ କିଛି କହିହେବ। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସୁରକ୍ଷା ଦିଗରେ ଯାହା କିଛି ସମ୍ଭବ ଆମେ କରିବୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe