ଭୁବନେଶ୍ବର : ଶୁକ୍ରବାର ମୁଣ୍ଡୁଳିରେ ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲ୍ଫେୟାର ଫଣ୍ଡ’ରୁ ଏହି ଅର୍ଥ ମଞ୍ଜୁର କରିଛନ୍ତି। ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଆଜି ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଅରିନ୍ଦମଙ୍କୁ ବିଦାୟ ଦେଲା ଜନ୍ମମାଟି
ମିସନ ଗଜରାଜ ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶେଷକୃତ୍ୟ ଜନ୍ମମାଟି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ରାଇକଳା ଗ୍ରାମର ବୈତରଣୀ ନଦୀକୂଳରେ ଶେଷ ହୋଇଛି। ଆଜି ଭୋର ୩ଟାବେଳେ ତାଙ୍କ ମରଶରୀର ରାଇକଳା ଗ୍ରାମରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ପାଟଣା ବିଧାୟକ ଜଗନ୍ନାଥ ନାଏକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଶ୍ବନାଥ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିଥିଲେ। ସକାଳ ସାଢ଼େ ୭ଟାବେଳେ ବୈତରଣୀ ନଦୀକୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଦାଦା ଧରଣୀଧର ଦାସଙ୍କ ପୁଅ ମାନସ ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ ବିଧବା ମା କୁନି ଦାସ, ପତ୍ନୀ ସମୀକ୍ଷା ଓ ଅଢ଼େଇବର୍ଷର ପୁଅ ସାନ୍ଭିକ ସମ୍ପୂର୍ଣ୍ଣ ବେସାହାର ହୋଇଯାଇଛନ୍ତି।
  
 Follow Us