NPG.News
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଇଛାପୁର ଗାଁ’ରେ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ୮ ଭରି ସୁନା ଗହଣା ସହ ୭ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେବା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୁଲିସ ସୂଚନାନୁସାରେ ଇଛାପୁର ଗାଁ’ର ବାଞ୍ଛାନିଧି ଆଚାର୍ଯ୍ୟଙ୍କ ଘରେ ରାତି ପ୍ରାୟ ୨ଟା ବେଳେ ୪/୫ ଜଣ ସଶସ୍ତ୍ର ଡକାୟତ ପଶିଥିଲେ। ସେମାନେ ମୁଖା ପିନ୍ଧିଥିବା ବେଳେ ହାତରେ ଛୁରି ଧରିଥିଲେ। କବାଟର ଶିକୁଳି ତାଡ଼ି ଭିତରକୁ ପଶି ଶୋଇବା ଘରେ ଖଟ ମୁଣ୍ଡ ତଳେ ଥିବା ୮ ଭରି ଓଜନର ସୁନା ଗହଣା ଓ ୭ ଲକ୍ଷ ୬୪ ହଜାର ଟଙ୍କା ନେଇ ଯାଇଥିଲେ। ଆଲମାରି ଖୋଲି ବ୍ୟାଗ ଯାଞ୍ଚ କରିଥିଲେ। ତେବେ ସେମାନେ ଯିବା ବେଳେ ଜଣେ ଡକାୟତ ପିନ୍ଧିଥିବା ଏକ ଲାଲ ରଙ୍ଗର ସ୍ଲିପର ଚପଲ ଛାଡ଼ି ଚାଲି ଯାଇଛି। ସୋମବାର ସକାଳେ ଖବର ଦେବା ପରେ ଭବାନୀପାଟଣା ସଦର ଥାନା ଏସ୍ଆଇ ଟୁନା ସେଠୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚିଥିବା ବେଳେ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି।
Follow Us