ଖଡ଼ିଆଳରେ ସଶସ୍ତ୍ର ଡକାୟତି: ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା 

ଡକାୟତଙ୍କ ମାଡ଼ରେ ଗୃହକର୍ତ୍ତା ଗୁରୁତର

ଖଡ଼ିଆଳରେ ସଶସ୍ତ୍ର ଡକାୟତି: ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା 

ନୂଆପଡ଼ା :ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖୁଦପେଜ ଗ୍ରାମରେ ମଙ୍ଗଳବାର ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଛି। ଡକାୟତମାନେ ବନ୍ଧୁକ ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ସୁନ୍ଦରଶ୍ୟାମ ଶତପଥୀଙ୍କ ପରିବାର ଲୋକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ସମେତ ସୁନା ଗହଣା ଲୁଟି ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁସାରେ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଡକାୟତମାନେ ସୁନ୍ଦରଶ୍ୟାମଙ୍କ ଘରେ ପଶି ଜଣେ ଶିଶୁର ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ବାନ୍ଧି ଦେଇଥିଲେ। ପରେ ସେମାନେ ଘରୁ ଲକ୍ଷାଧିକ ଟଙ୍କା ସମେତ ସୁନା ଓ ରୁପା ଗହଣା ନେଇ ଯାଇଥିଲେ। ଡକାୟତଙ୍କ ମାଡ଼ରେ ସୁନ୍ଦରଶ୍ୟାମଙ୍କ ସମେତ ତାଙ୍କ ବାପା ଭରତ ଶତପଥୀ ଓ ମା’ ଜମ୍ବୁ ଶତପଥୀ ଆହତ ହୋଇଛନ୍ତି। ତେବେ ସୁନ୍ଦରଶ୍ୟାମଙ୍କ ମୁଣ୍ଡ ପଛପଟେ ବନ୍ଧୁକରେ ମାଡ଼ ଯୋଗୁଁ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳ ପ୍ରଥମେ ଖଡ଼ିଆଳ ହସ୍‌ପିଟାଲ୍‌ ଓ ପରେ ନୂଆପଡ଼ା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ତେବେ ଡକାୟତଙ୍କ ମଧ୍ୟରୁ କିଛି ଚିହ୍ନା ମୁହଁ ଥିବା ବେଳେ ଆଉ କେତେକ ମୁଖା ପିନ୍ଧିଥିବାରୁ ଚିହ୍ନା ପଡ଼ିନାହାନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏ ନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା, ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌କୁ ନେଇ ତଦନ୍ତ ଚଳାଇଥିଲେ। ପରେ ନୂଆପଡା ଏସ୍‌ପି ଜି.ଆର. ରାଘବେନ୍ଦ୍ର ରେଡ୍ଡି ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ତଦନ୍ତ ଚାଲିଛି, ଖୁବ୍‌ ଶୀଘ୍ର ଡକାୟତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe