The Indian Express
ଛତିଶଗଡ଼ ଭିଲାଇରେ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟର୍ ଲୋକାର୍ପିତ
ଭୁବନେଶ୍ୱର : ଛତିଶଗଡ଼ରେ ସେଲ୍ର ଭିଲାଇ ଇସ୍ପାତ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟର୍କୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସେଲ୍ ଦ୍ୱାରା ପରିଚାଳିତ ରାଉରକେଲା ସମେତ ସମସ୍ତ ହସ୍ପିଟାଲରେ ଏକ୍ମୋ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଥିଲେ ଯେ ଲୋକାର୍ପିତ ଏହି କୋଭିଡ୍ ହସ୍ପିଟାଲରେ ଆଗାମୀ ଦିନରେ ଦୁଇଟି ପର୍ଯ୍ୟାୟରେ ଅକ୍ସିଜେନ୍ ସଂଯୁକ୍ତ ବେଡ୍ ସଂଖ୍ୟା ୫୦୦କୁ ବଢ଼ାଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନର କୋଭିଡ୍ ମହାମାରୀର ସଙ୍କଟ ସମୟରେ ଦେଶର ଇସ୍ପାତ ପ୍ଲାଣ୍ଟ ନିକଟରେ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବା ପାଇଁ ଆହ୍ୱାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ଭିଲାଇ ଇସ୍ପାତ କାରଖାନା ନିକଟରେ ଆରମ୍ଭ ହୋଇଥିବା ଏହି ଅତିରିକ୍ତ ମେଡିକାଲ ସୁବିଧା କୋଭିଡ୍-୧୯ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶରେ ଇସ୍ପାତ କାରଖାନାଗୁଡ଼ିକ ଇସ୍ପାତ ଉତ୍ପାଦନ କମ୍ କରି ଅକ୍ସିଜେନ୍ ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନ ମେଡିକାଲ ପର୍ଯ୍ୟନ୍ତ ଅକ୍ସିଜେନ୍ ପହଞ୍ଚାଇ ଉଦାହରଣ ତିଆରି କରିଛନ୍ତି। ଓଡ଼ିଶା ହେଉ କିମ୍ବା ଛତିଶଗଡ଼ ଏ ଦୁଇଟି ରାଜ୍ୟରେ ଥିବା ସବୁ ଇସ୍ପାତ କାରଖାନା କୋଭିଡ୍-୧୯ ସମୟରେ ନିଜର ଦାୟିତ୍ୱକୁ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିବା ବେଳେ ଏହି ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଛତିଶଗଡ ସରକାରଙ୍କ ସହ କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଛତିଶଗଡ଼ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି. ଏସ୍. ସିଂହଦେଓ, ଛତିଶଗଡ଼ ନିର୍ମାଣ ବିଭାଗ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ ଓ ସେଲ୍ ଅଧ୍ୟକ୍ଷା ସୋମା ମଣ୍ଡଳ ଭିସି ଜରିଆରେ ଉପସ୍ଥିତ ଥିଲେ ।
Follow Us