ପହଞ୍ଚିଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଟିମ୍

Advertisment
ପହଞ୍ଚିଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଟିମ୍

ଝାରସୁଗୁଡ଼ା/ସମ୍ବଲପୁର: ଝାରସୁଗୁଡ଼ାରେ ପହଞ୍ଚିଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସଦସ୍ୟ। ଶୁକ୍ରବାର ସନ୍ଧ୍ୟାରେ ଏହି ଟିମ୍‌ ଝାରସୁଗୁଡ଼ା ବିମାନବନ୍ଦର‌ରେ ଅବତରଣ କରିବା ପରେ ସମ୍ବଲପୁର ଆସି ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। ଏହାପରେ ବୁର୍ଲା ଯାଇ ଅଶୋକ ନିବାସରେ ରାତ୍ର ରହଣି କରିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶନିବାରରୁ ଏହି ଟିମ୍‌ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିବେ। ପରିଦର୍ଶନ ସାରି ୨୮ ତ‌ାରିଖରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ବୋଲି ସୂଚନା ମିଳିଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏଏମ୍ ଖାନ୍‌ୱିଲକରଙ୍କ ଅଧ୍ୟକ୍ଷତାରେ ଥିବା ଏହି ଟିମ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର, ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନ୍‌ଜୀବୀ ଓ ବୈଷୟିକ ଟିମର ସଦସ୍ୟ ରହିଛନ୍ତି।

ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଟିମ୍‌ ଶୁକ୍ରବାର ରାତିରେ ଅଶୋକ ନିବାସରେ ରହିବେ। ଶନିବାର ସକାଳୁ ହୀରାକୁଦ ଡ୍ୟାମ୍‌, ବୁର୍ଲା ପାୱାର ହାଉସ୍‌, ପ୍ରସ୍ତାବିତ ମହାନଦୀ-ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ଯୋଜନା, ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପ ୧ ଓ ୨ ପରିଦର୍ଶନ କରିବେ। ରବିବାର ଅର୍ଥାତ୍‌ ୨୧ ତାରିଖରେ ଚିପିଲିମା ପାୱାର ହାଉସ, ବରଗଡ଼ କେନାଲ, ଅତାବିରା କେନାଲ, ହୀରାକୁଦ କମାଣ୍ଡ ଏରିଆ ଓ ହୀରାକୁଦ ଡ୍ୟାମ୍‌ରେ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ ୱେ’ ସ୍ଥିତି ସମୀକ୍ଷା କରିବେ। ୨୨ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଶିଳ୍ପ ସଂସ୍ଥାଙ୍କୁ କେତେ ପାଣି ଯାଉଛି ଓ କେଉଁଠୁ ଯାଉଛି ତାହାର ନିରୀକ୍ଷଣ କରିବେ। ଏହାବାଦ ସୁନ୍ଦରଗଡ଼ରେ ପ୍ରସ୍ତାବିତ ଇବ୍‌ ଜଳଭଣ୍ଡାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିବେ।

୨୩ ତାରିଖରେ ସାଇପଲା ଡ୍ୟାମ୍‌, ଅପରଜୋଙ୍କ ଜଳସେଚନ ପ୍ରକଳ୍ପ, ୨୪ରେ ସାତକୋଶିଆ ଓ ଟିକରପଡ଼ା  ପରିଦର୍ଶନ ପରେ ପୁରୀ ଅଭିମୁଖେ ବାହାରିବେ। ୨୫ ତାରିଖରେ ଟ୍ରିବ୍ୟୁନାଲ ସଦସ୍ୟ ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ୨୬ରେ ମହାନଦୀ ତ୍ରିକୋଣଭୂମି ଅଞ୍ଚଳ, ମୁଣ୍ଡଳି ବ୍ୟାରେଜ୍‌, ସାପୁଆ ନଦୀର ମହାନଦୀରେ ମିଶ୍ରଣ ସ୍ଥାନ, କାଠଯୋଡ଼ି ନଦୀ, ନରାଜ, ବିରୂପା ବ୍ୟାରେଜ ଏବଂ କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିବେ। ୨୭ ତାରିଖରେ ଟିମ୍‌ ସାତପଡ଼ାରେ ଚିଲିକା ହ୍ରଦ ଓ ଗବକୁଣ୍ଡରେ ଚିଲିକା ହ୍ରଦର ମୁହାଣ ଅଞ୍ଚଳ ପରିଦର୍ଶନ କରିବେ। ୨୮ ତାରିଖରେ ଦୟା, ଭାର୍ଗବୀ ନଦୀ ଓ କୁଶଭଦ୍ରା ନଦୀର ମୁହାଣ ଅଞ୍ଚଳ ବୁଲି ଦେଖିବେ। ଏହାପରେ ଟିମ୍‌ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ଭୁବନେଶ୍ବର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ।

ମହାନଦୀ ସତ୍ୟାଗ୍ରହ ଆଜି

ଶନିବାର ହୀରାକୁଦ ଜଳଭଣ୍ଡାରର କନକତୋରା ନିକଟ ଲୁହାବଗା ନିକଟରେ କେଲୋନଦୀ କୂଳରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ ସତ୍ୟାଗ୍ରହ କରାଯିବ। ଶନିବାରରୁ ଓଡ଼ିଶାରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ ଗସ୍ତ ରହିଛି। ଏହାକୁ ଆଖି ଆଗରେ ରଖି ଶନିବାର ଏହି ସତ୍ୟାଗ୍ରାହ କରାଯାଉଥିବା ନେଇ ଆନ୍ଦୋଳନ ପକ୍ଷରୁ କୁହାଯାଇଛି।

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଜବାହାର ମିନାର, ଉଦ୍ୟାନ ଓ ଲାଇଟ୍ ସାଉଣ୍ଡ ସୋ’

ସମ୍ବଲପୁର: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ହୀରାକୁଦ ଓ ସମ୍ବଲପୁରର ପର୍ଯ୍ୟଟନ କାର୍ଯ୍ୟକ୍ରମ ଉପରେ କେତେକ କଟକଣା ଜାରି କରାଯାଇଛି। ଗସ୍ତବେଳେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ହୀରାକୁଦ ଡ୍ୟାମ୍‌ ଓ ମା’ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ଯେହେତୁ ଟ୍ରିବ୍ୟୁନାଲ୍ ସଦସ୍ୟ ଓ ଅନ୍ୟ ଅଧିକାରୀମାନେ ବୁର୍ଲା ଜବାହାର ମିନାର ସଂଲଗ୍ନ ଅଶୋକ ନିବାସରେ ରହିବେ ତେଣୁ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଜବାହାର ମିନାରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଛି। ସେହିପରି ୨୦ରେ ହୀରାକୁଦ ଗସ୍ତ ଥିବାରୁ ୧୯ ଓ ୨୦ ଦୁଇ ଦିନ ବୁର୍ଲାର ଜବାହାର ଉଦ୍ୟାନ ଏବଂ ରୋପ୍‌ୱେ’ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ହୀରାକୁଦ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀଙ୍କ ସୂତ୍ରରୁ ଜଣା ପଡ଼ିଛି। ୨୧ରେ ଟ୍ରିବ୍ୟୁନାଲ୍ ସଦସ୍ୟ ମା’ ସମଲେଶ୍ବରୀ ମନ୍ଦିର ପରିଦର୍ଶନରେ ଆସିବାକୁ ଥବାରୁ ଉକ୍ତ ଦିନ ଲାଇଟ୍ ଓ ସାଉଣ୍ଡ ସୋ’ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ବୋଲି ପର୍ଯ୍ୟଟନ ବିଭାଗ ସୂଚନା ଦେଇଛି। ତେଣୁ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଏକ ପ୍ରେସ୍‌ ବିବୃତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe