ବଳଙ୍ଗା-ମଙ୍ଗଳପୁର ରାସ୍ତାରେ କୃତ୍ରିମ ହ୍ରଦ

Advertisment
ବଳଙ୍ଗା-ମଙ୍ଗଳପୁର ରାସ୍ତାରେ କୃତ୍ରିମ ହ୍ରଦ

ବଳଙ୍ଗା: ଗ୍ରାମାଞ୍ଚଳରେ ଯାତାୟାତ ସୁଗମ ନିମନ୍ତେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟକାରୀ ହେଉଛି। ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମାହୋଇ ରହିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ଥାନା ଅନ୍ତର୍ଗତ ବଳଙ୍ଗା-ସାତସଙ୍ଖ ପୂର୍ତ୍ତ ସଡ଼କର ମୈଜୁବେଗ୍‌ଠାରୁ ଚନ୍ଦ୍ରାଦେଇପୁର, କମାକନ୍ତିଆ ପ୍ରଭୃତି ଗ୍ରାମ ଦେଇ ୬ କିଲୋମିଟର ରାସ୍ତା ମଙ୍ଗଳପୁରଠାରେ ଭୁବନେଶ୍ୱର, ପୁରୀ ଜାତୀୟ ରାଜପଥକୁ ସଂଯୋଗ କରିଛି। ଚନ୍ଦ୍ରାଦେଇପୁର ମଠସାହିଠାରେ ପ୍ରାୟ ଏକ ଶହ ମିଟର ରାସ୍ତା ଉପରେ ବର୍ଷା ଜଳ ନିଷ୍କାସନ ସୁବିଧା ନଥିବାରୁ ଅନେକ ଦିନ ପର୍ଯ୍ୟନ୍ତ ପାଣି ଜମା ହୋଇରହୁଛି।

ଏହି ରାସ୍ତା ଉପରେ ନିମାପଡ଼ା, ପିପିଲି ନିର୍ବାଚନ ମଣ୍ଡଳୀର ପ୍ରାୟ ୧୦ଟି ପଞ୍ଚାୟତବାସୀ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପିପିଲି, ଭୁବନେଶ୍ୱର, ପୁରୀ, କଟକ, ଜଟଣୀ, ଖୋର୍ଦ୍ଧା ପ୍ରଭୃତି ସ୍ଥାନକୁ ଯାତାୟାତ କରିଥାନ୍ତି। ଏହି ସାହିରେ ବାସ କରୁଥିବା ପ୍ରାୟ ୩୦ଟି ପରିବାରର ଘର ଚାରିପଟେ ପାଣି ଜମାହୋଇ ରହିବାରୁ ଚଳାଚଳ କଷ୍ଟକର ହୋଇପଡ଼ୁଛି। ମଶାମାଛିଙ୍କ ପ୍ରାଦୁର୍ଭାବ ସହିତ ସରୀସୃପଙ୍କ ଭୟ ମଧ୍ୟ ଲାଗି ରହୁଛି। ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ଯିବାପାଇଁ ପିଲାମାନେ କଷ୍ଟ ଭୋଗୁଛନ୍ତି। ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଏଭଳି ସ୍ଥିତି ଜାରି ରହିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe