ଭୁବନେଶ୍ବର: ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’ ବର୍ତ୍ତମାନ ସରକାରଙ୍କ ଅପେକ୍ଷା ପୂର୍ବ ସରକାରର ପୀଡ଼ା ବଢ଼ାଇ ଦେଇଛି। ଗତକାଲି ଉନ୍ମୋଚିତ ହୋଇଥିବା ଏହି ପୁସ୍ତକରେ ନୂଆପଡ଼ା ଉପନିର୍ବାଚନ ସମୟରେ ସେଠାକାର ଲୋକଙ୍କ ସ୍ଥିତି ଦେଖି ସରକାରୀ ବ୍ୟବସ୍ଥାର ବିଭିନ୍ନ ଦିଗକୁ ବ୍ୟାଖ୍ୟା କଲାବେଳେ ଏହି ଜିଲ୍ଲା ପଛୁଆ ବୋଲି ସେ ବାରମ୍ବାର ସ୍ବୀକାର କରିବା ସହିତ ପରୋକ୍ଷରେ ପୂର୍ବ ସରକାରର ବିଫଳତାକୁ ବଖାଣିଛନ୍ତି। ସିଧାସିଧା ଅମଲାତନ୍ତ୍ରିକ ପ୍ରଭାବକୁ ସମାଲୋଚନା କରିଛନ୍ତି।
ନୂଆପଡ଼ା ନିର୍ବାଚନମଣ୍ଡଳୀର ନୋଚା ଲାଖି ନାମକ ଜଣେ ଚରିତ୍ର ଏହି ପୁସ୍ତକର ମୁଖ୍ୟ ନାୟକ। ଏହି ଚରିତ୍ର ମାଧ୍ୟମରେ ନୂଆପଡ଼ାର ସାମାଜିକ, ଅର୍ଥନୈତିକ ଓ ବିକାଶର ଚିତ୍ର ଦେଖାଇବା ସହ ଅନେକ ପରିବାର ଭୋଗୁଥିବା ଦୁର୍ଦ୍ଦଶାକୁ ବଖାଣିଛନ୍ତି ଅରୁଣ। ଆମ ସମ୍ବିଧାନରେ ଚଉଦ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏହା ନୂଆପଡ଼ା ଇଲାକାରେ ସମ୍ଭବ ହୋଇଛି କି ବୋଲି ପୁସ୍ତକରେ ପ୍ରଶ୍ନ କରାଯାଇଛି। ବହିରେ ଶ୍ରୀ ସାହୁ କହିଛନ୍ତି, ଅଧିକାଂଶ ଅମଲାତନ୍ତ୍ରୀ ଭୁଲ୍ ରାସ୍ତାରେ ଯାଆନ୍ତି। ଲୋଭ, ଭୟ, ନିଜର ବ୍ୟକ୍ତିଗତ ସ୍ବାର୍ଥ, ସୁରକ୍ଷିତ ଭବିଷ୍ୟତ ଓ ସାମୟିକ ଫାଇଦା ପାଇଁ ସାମୂହିକ ସ୍ବାର୍ଥକୁ ସେମାନେ ବଳି ଦିଅନ୍ତି। କେବଳ ସେତିକି ନୁହେଁ, ସେ ଏକଥା ବି ଦର୍ଶାଇଛନ୍ତି ଯେ ଅଧିକାରୀମାନଙ୍କର ନିର୍ଲଜ ସମର୍ପଣ ମନୋବୃତ୍ତି ଯୋଗୁ ନିର୍ବାଚନରେ ସ୍ବଚ୍ଛତା ରହୁ ନାହିଁ। ତେବେ କେବଳ ଗତ ନିର୍ବାଚନରେ ନା ପୂର୍ବର ସବୁ ନିର୍ବାଚନରେ ଅଧିକାରୀମାନେ ସରକାରଙ୍କ ପ୍ରତି ସମର୍ପଣ ମନୋଭାବ ଦେଖାଉଥିଲେ, ତାହା ଅରୁଣ ସ୍ପଷ୍ଟ କରିନାହାନ୍ତି।
ଲେଖୁ ଲେଖୁ ଲେଖିଦେଲେ ପୂର୍ବ ସରକାରର ବିଫଳତା
ମାତୃଭାଷା ଲେଖିପଢ଼ି ପାରୁ ନଥିବା ଲୋକଙ୍କୁ ସମାଲୋଚନା
ମାତୃଭାଷା ଲେଖିପଢ଼ି ପାରୁ ନଥିବା ଲୋକଙ୍କୁ ସମାଲୋଚନା
ଦୁର୍ନୀତି ପ୍ରସଙ୍ଗରେ ତାଙ୍କର ଆଉ ଏକ ସ୍ବୀକାରୋକ୍ତି ଚର୍ଚ୍ଚାର ବିଷୟ ହୋଇଛି। ଏଥିରେ କୁହାଯାଇଛି, ୧୯୭୫ରୁ ୨୦୦୦ ଭିତରେ ଦେଶରେ ଉପର ସ୍ତରରେ ଦୁର୍ନୀତି ଜଳଜଳ ଦେଖାଗଲା। କେତୋଟି ବଡ଼ ଦୁର୍ନୀତି ଦେଶକୁ ଦୋହଲାଇଦେଲା। କିନ୍ତୁ ୨୦୦୦ରୁ ୨୦୨୫ ପର୍ଯ୍ୟନ୍ତ ଦୁର୍ନୀତି ଅସ୍ଥିମଜାଗତ ହୋଇଗଲା। ପରୋକ୍ଷରେ ଜଣାଇ ଦିଆଯାଇଛି, ଓଡ଼ିଶାରେ ବି ଦୁର୍ନୀତି ଏହି ୨୫ ବର୍ଷରେ ତୃଣମୂଳ ସ୍ତର ଯାଏ ମାଡ଼ିଯାଇଛି। ନିଜେ ଅରୁଣ ଅନେକ ବର୍ଷ ସରକାରର ଅଂଶ ଥିବାରୁ ସମ୍ଭବତଃ ଦୁର୍ନୀତି ବ୍ୟାପକ ହେଉଥିବା ଅନୁଭବ କରି ଏପରି ଲେଖିଛନ୍ତି ବୋଲି ଅନେକ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।
ଦାଦନ ଓ ଅପପୁଷ୍ଟି ପ୍ରସଙ୍ଗରେ ସରକାରୀ ସମୀକ୍ଷା ବ୍ୟବସ୍ଥାକୁ କଟାକ୍ଷ କରି କୁହାଯାଇଛି, ସଚିବାଳୟର ଉଚ୍ଚପଦସ୍ଥ ଅଧିକାରୀଙ୍କ ବୈଠକରେ କେବଳ ବଡ଼ିମାଭରା ବିବୃତି ଓ ତଥ୍ୟ ରଖାଯାଏ, ଯେଉଁଥିରେ କି କେବଳ ସରକାରୀ ପଦକ୍ଷେପର ସଫଳତା ଥାଏ। କିନ୍ତୁ ଦାଦନ ସ୍ଥିତି ସଙ୍ଗିନ୍। କେବଳ ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ନୁହେଁ, ଉପକୂଳବର୍ତ୍ତୀ ଜିଲ୍ଲାରୁ ବି ଅଧିକ ସଂଖ୍ୟାରେ ଦାଦନ ଯାଉଛି।
ନିଜ ମାତୃଭାଷା ପ୍ରତି ଯେଉଁ ଦୁର୍ବଳତା ରହିବା କଥା ବା ଆନ୍ତରିକତା ସହ ଉଚ୍ଚ ସମ୍ମାନବୋଧ ରହିବା କଥା, ସେଥିରେ ଯେବେ ଭଟ୍ଟା ପଡ଼େ, ସେତେବେଳେ ମାତୃଭାଷା ପୀଡ଼ା ପାଏ। ମାଟିର ଭାଷା ପ୍ରତି ଗଭୀର ମମତା ରଖିଥିବା ବ୍ୟକ୍ତିମାନେ ଗଭୀର ପୀଡ଼ା ପାଆନ୍ତି। ସୀମାନ୍ତ ଅଞ୍ଚଳରେ ଭାଷା ସମସ୍ୟା ଉତ୍କଟ। ତେବେ ଆଭ୍ୟନ୍ତର ଓଡ଼ିଶାରେ ଯେଉଁଠି ପ୍ରଗତିର ଚକ ଜୋରରେ ବୁଲୁଛି ସେଠି ଆମ ଭାଷାର କ’ଣ ମର୍ଯ୍ୟାଦା ରହିଛି ବୋଲି ଅରୁଣ ପ୍ରଶ୍ନ ଉଠାଇଛନ୍ତି। ସମାଜର ଉଚ୍ଚ ସୋପାନରେ ଥିବା ଲୋକଙ୍କୁ ଓଡ଼ିଆ ଲେଖି ପଢ଼ି ନ ଆସିବା ଅପମାନଜନକ। କିନ୍ତୁ ସେମାନଙ୍କୁ କେହି ଦୋଷ ଦିଅନ୍ତିନି ବୋଲି ଅରୁଣ କଟାକ୍ଷ କରିଛନ୍ତି। କାହା ନାମ ନ ଲେଖିଲେ ବି ଅରୁଣଙ୍କ ଭାଷା ଅନେକ ସଙ୍କେତ ଦେଉଛି। ବହିର କିଛି ଭାଗରେ ପୂର୍ବ ସରକାରର ସଫଳତାକୁ ବି ବର୍ଣ୍ଣନା କରାଯାଇଛି। ରାସ୍ତାଘାଟ, ସ୍କୁଲ୍ ଘର, କୋଠ ଘର, ମହିଳାଙ୍କ ଘର, ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ହୋଇଛି। ଲୋକଙ୍କୁ ବ୍ୟକ୍ତିଗତ ସହାୟତା ବି ମିଳିଛି। ତେବେ ମତଦାନରେ ତାହା କାହିଁକି ରୂପାନ୍ତରିତ ହେଲାନି ବୋଲି ଲେଖକ ନିଜେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସାମୂହିକ ଉନ୍ନତିକୁ ଲୋକ ନିଜର ଉନ୍ନତି ଭାବି ପାରିଲେନି କି ବୋଲି ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/04/arun-2026-02-04-02-19-50.jpg)