ଲକ୍ଷଣ ନ ଥିବା ବ୍ୟକ୍ତି ବି ବନିପାରନ୍ତି ସୁପର ସ୍ପ୍ରେଡର: ବାଗଚୀ

Advertisment
ଲକ୍ଷଣ ନ ଥିବା ବ୍ୟକ୍ତି ବି ବନିପାରନ୍ତି ସୁପର ସ୍ପ୍ରେଡର:  ବାଗଚୀ

ଭୁବନେଶ୍ୱର: କରୋନାର କୌଣସି ଲକ୍ଷଣ ନ ଥିବା ବ୍ୟକ୍ତି ମଧ୍ୟ ସୁପର ସ୍ପ୍ରେଡର ପାଲଟି ଯାଇପାରେ। ତେଣୁ ଯେଉଁ ବାହାର ଫେରନ୍ତା ଅଥବା ହଟସ୍ପଟ ଫେରନ୍ତାମାନେ ନିଜକୁ ସୁସ୍ଥ ମନେ କରି କ୍ୱାରେଣ୍ଟାଇନ୍‌ ନିୟମ ନମାନି ମିଳାମିଶା କରନ୍ତି, ସେମାନେ ସୁପର ସ୍ପ୍ରେଡର ପାଲଟି ଯାଆନ୍ତି। ନିଜେ ବିପଦରେ ପଡ଼ିବା ସହ ପରିବାର ଓ ସମାଜକୁ ମଧ୍ୟ ବିପନ୍ନ କରନ୍ତି। ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ସଦନରେ ସାମ୍ବାଦିକ ସମ୍ମିଳନୀ ଅବସରରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ଏଇ ପ୍ରସଙ୍ଗ ଉପସ୍ଥାପନ କରି ନିକଟରେ ରାଜ୍ୟରେ ସୁପରସ୍ପେଡର ପାଲଟିଥିବା ୨ଜଣଙ୍କ ସମ୍ପର୍କରେ ଅବତାରଣା କରିଥିଲେ ବାଗଚୀ । ବିମାନରେ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସିଥିବା ଜଣେ ଯୁବକଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଗଲା। ହେଲେ ସେ ଘରେ ବାପା-ମା’ ଓ ପରିବାରକୁ ପାଖରେ ପାଇ ସଙ୍ଗରୋଧ ନିୟମ ପାଶୋରି ଗଲେ। କିଛିଦିନ ଏକା ରହିବା ପରେ ବାପା-ମା’ଙ୍କ ସଙ୍ଗେ ମିଶିଲେ। ଯେତେବେଳେ ଦେଖିଲେ କୌଣସି ଅସୁସ୍ଥତା ଅନୁଭବ ହେଉ ନାହିଁ, ସେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ଭାବି ଘରୁ ବାହାରକୁ ଯାଇ ସାଙ୍ଗମାନଙ୍କ ସହ ମିଶିଲେ। ବାସ୍‌, ଏହାର କିଛି ଦିନ ପରେ ନମୁନା ପରୀକ୍ଷାରୁ ଜଣାପଡ଼ିଲା କି ସେ ଆକ୍ରାନ୍ତ। ଏବେ ଯୁବକ କୋଭିଡ ହସ୍ପିଟାଲ୍‌ରେ। ତାଙ୍କ ବାପା-ମା’ ବି ସଂକ୍ରମିତ ହୋଇ ଡାକ୍ତରଖାନାରେ। ଆଉ ସରକାର ତାଙ୍କ ସାଙ୍ଗସାଥୀଙ୍କୁ ଖୋଜି ବୁଲୁଛନ୍ତି।

ସେହିପରି ବ୍ରହ୍ମପୁରରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଜଣେ ସୁନା ବ୍ୟବସାୟୀ ନିୟମ ଭାଙ୍ଗି ଲୁଚାଛପାରେ ଘରଘର ବୁଲି ଗହଣା ବିକିଲେ। ସରକାରଙ୍କ ଆଖିରେ ଧୁଳି ଦେଇ ପଛଦ୍ୱାର କାରବାର କଲେ। ସାମାନ୍ୟ ଲକ୍ଷଣ ଦେଖାଦେବା ପରେ କୋଭିଡ ପରୀକ୍ଷା କରାଗଲା ଓ କ୍ବାରେଣ୍ଟାଇନରେ ରହିବାକୁ କୁହାଗଲା । କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ସେ ଲୁଚିଛପି ଭୁବନେଶ୍ୱର ଚାଲି ଆସିଥିଲେ। ଏଠି ବି ଶହଶହ ଲୋକଙ୍କ ସହ ମିଶିଲେ। ତା’ପରେ ଜଣାପଡ଼ିଲା କି ସେ କରୋନା ପଜିଟିଭ। ବର୍ତ୍ତମାନ ସେ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବହୁ ଲୋକ ବି ଆକ୍ରାନ୍ତ ହୋଇଥାଇ ପାରନ୍ତି।

ଏଇ ଦୁଇ ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ବାଗଚୀ କହିଛନ୍ତି କି, ରୋଗର ଲକ୍ଷଣ ପ୍ରକାଶ ପାଇ ନ ଥିଲେ ମଧ୍ୟ ନିର୍ଭୟ ହୋଇ ବୁଲିବା ଆଦୌ ବିପଦମୁକ୍ତ ନୁହେଁ। ସମସ୍ତେ ଏ ଦିଗ ପ୍ରତି ସଚେତନ ହେବାକୁ ପଡ଼ିବ। ଏବେ ପୂର୍ବ ଭାରତରେ କରୋନା ସଂକ୍ରମଣ କ୍ରମଶଃ ସାଂଘାତିକ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe