ଭୁବନେଶ୍ବର: ବାତ୍ୟା ‘ଦାନା’ ଓଡ଼ିଶାରେ ମାଡ଼ ହେବା ପୂର୍ବରୁ ପ୍ରଭାବିତ ଜିଲ୍ଲାଗୁଡ଼ିକ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ସ୍ଥାନାନ୍ତରଣ କାର୍ଯ୍ୟରେ ସାମିଲ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାରେ। ଜଣେ ବୃଦ୍ଧାଙ୍କୁ ଦେଢ଼ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଉଥିବାର ଫଟୋ ବେଶ ପ୍ରଶଂସା ସାଉଣ୍ଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ସହ ପ୍ରଶଂସା କରିଥିଲେ। ପରେ ତାଙ୍କ ସହ ଟେଲିଫୋନ୍ରେ କଥା ହୋଇ ଘର ଓ ଅନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଆଶା ଦିଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି
ବାତ୍ୟା ପୂର୍ବରୁ ଆଶା ଦିଦି ଶିବାନୀ ଖସାମୁଣ୍ଡା ଗାଁର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତରିତ କରିବାର ଦାୟିତ୍ବ ନେଇଥିଲେ। ଗାଁର ଜଣେ ବୃଦ୍ଧା ପକ୍ଷାଘାତ ଶିକାର ଥିଲେ ଏବଂ ପ୍ରବଳ ବର୍ଷା ପାଇଁ ଆଶ୍ରୟସ୍ଥଳକୁ ଯାଇପାରୁ ନ ଥିଲେ। ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ। ସେହିଦିନ ସେ ୭ଜଣ ବୟସ୍କ ଓ ୨ଜଣ ପ୍ରସୂତିଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ। ତାଙ୍କର ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ଧନ୍ୟବାଦ ଦେଇଥିଲେ।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜାଣିବାକୁ ପାଇଥିଲେ ଯେ ଆଶା ଦିଦି ଶିବାନୀଙ୍କ ଘର ନାହିଁ। ତେଣୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇଦେବା ଲାଗି ରାଜନଗର ବିଡିଓଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଶିବାନୀଙ୍କୁ ଅନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
Follow Us