ଆଶା କର୍ମୀଙ୍କୁ ୧୦ ହଜାର ଟଙ୍କା : କିଣିବେ ସାଇକେଲ୍‌, ଆଲମିରା, ଛତା, ଟର୍ଚ୍ଚ ଓ ଚପଲ

Advertisment

ଅବସରକାଳୀନ ସହାୟତା ୨୦ ହଜାର ଟଙ୍କା

ଅବସରକାଳୀନ ସହାୟତା ୨୦ ହଜାର ଟଙ୍କା

୫୩ଟି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ପାଉଛନ୍ତି ଆଶା କର୍ମୀ

ଭୁବନେଶ୍ୱର : ଆଶା କର୍ମୀଙ୍କୁ ସରକାର ୧୦ ହଜାର ଟଙ୍କା ଦେବେ। ଏଥିରେ ସେମାନେ ସାଇକେଲ୍‌, ଆଲମିରା, ଛତା, ଟର୍ଚ୍ଚ ଲାଇଟ୍‌ ଓ ଚପଲ କିଣିବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ୪୭ ହଜାରରୁ ଅଧିକ ଆଶା କର୍ମୀ ସରକାରଙ୍କ ଏହି ସହାୟତା ରାଶି ପାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଏହା ସହ ‘ଆଶା ଅବ୍ୟାହତି ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଣିକି ଯେଉଁ ଆଶା କର୍ମୀ ଅତି କମ୍‌ରେ ୧୦ ବର୍ଷ କାର୍ଯ୍ୟ କରି ସ୍ୱେଚ୍ଛାକୃତ ଭାବେ ଅବ୍ୟାହତି ନେବେ ବା ୬୨ ବର୍ଷ ବୟସରେ ଆଶା କାର୍ଯ୍ୟରୁ ଅବ୍ୟାହତି ପାଇବା ପରେ ଏହି ଆର୍ଥିକ ସହାୟତା ସେମାନଙ୍କୁ ପ୍ରଦାନ କରାଯିବ।

‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା କର୍ମୀଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠାରୁ ଜଣାଶୁଣା ନା ହେଉଛି ଆଶା କର୍ମୀ। ମା’ ଓ ଶିଶୁଙ୍କ ଯତ୍ନ ହେଉ, କିମ୍ବା ମାଲେରିଆ, ଡାଇରିଆ, ଟିବି ଓ କୁଷ୍ଠ ପରି ସ୍ୱାସ୍ଥ୍ୟ ସମସ୍ୟା ହେଉ, ଏଥିପାଇଁ ଦରକାର ସଚେତନତା। ଏ ଦିଗରେ ଆଶା କର୍ମୀମାନେ ବହୁତ ଭଲ କାମ କରୁଛନ୍ତି। ସେମାନଙ୍କ ଉଦ୍ୟମ ଯୋଗୁଁ ମା’ ଓ ଶିଶୁ ମୃତ୍ୟୁ ରୋକିବାରେ ଓଡ଼ିଶା ଭଲ କାମ କରୁଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଆଶା କର୍ମୀମାନଙ୍କର ବିଭିନ୍ନ ସମସ୍ୟା ରହିଛି। ଗତ ବର୍ଷ ସେମାନଙ୍କର କିଛି ଦାବି ସରକାର ପୂରଣ କରିଛନ୍ତି। ଆଗକୁ ଆଶା କର୍ମୀମାନେ ଆହୁରି ନିଷ୍ଠାର ସହ କାମ କରିବେ ଏବଂ ଗାଁରେ ରହୁଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେବେ ବୋଲି ସେ ଆଶାପ୍ରକଟ କରିଥିଲେ।

ସୂଚନାଯୋଗ୍ୟ ଯେ ପ୍ରତି ସପ୍ତାହରେ ଚାଲିଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଜରିଆରେ ମୁଖ୍ୟମନ୍ତ୍ରୀ ଭାଗ ନେଇଥିବା ପଞ୍ଚାୟତ ଓ ଜନସାଧାରଣଙ୍କ ସହିତ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe