ଅବ୍ୟବସ୍ଥା ଘେରରେ ଆଶ୍ରମ ବିଦ୍ୟାଳୟ: ୮ ଶ୍ରେଣୀ ପାଇଁ ଅଛନ୍ତି ୫ ଶିକ୍ଷକ

Advertisment
ଅବ୍ୟବସ୍ଥା ଘେରରେ ଆଶ୍ରମ ବିଦ୍ୟାଳୟ: ୮ ଶ୍ରେଣୀ ପାଇଁ ଅଛନ୍ତି ୫ ଶିକ୍ଷକ

ଦଶପଲ୍ଲା: ଅବ୍ୟବସ୍ଥା ଘେରରେ ସୁନ୍ଦୁରୁକୁମ୍ପା ଆଶ୍ରମ ବିଦ୍ୟାଳୟ। ଆଦିବାସୀ ବହୁଳ ଚଡ଼େୟାପଲ୍ଲୀ ପଞ୍ଚାୟତର ବଣ ପାହାଡ଼ ଘେରା ଏହି ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳୁନି ମୌଳିକ ସୁବିଧା ସୁଯୋଗ। ଶିକ୍ଷାଦାନ ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାବେଳେ ବିଦ୍ୟାଳୟ ପରିସରରେ ଆନୁଷଂଗିକ ଭିତ୍ତିଭୂମି ନାହିଁ। ବିଦ୍ୟାଳୟ ପରିସରରେ ଶୌଚାଳୟଟିଏ ନାହିଁ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଆଶ୍ରମ ବିଦ୍ୟାଳୟଟି ୧୯୫୦ ମସିହାରେ ସ୍ଥାପିତ ହୋଇଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଚଳିତବର୍ଷ ୮୧ ଜଣ ଅନ୍ତେବାସୀ ଛାତ୍ର ରହିଛନ୍ତି। ସେହିଭଳି ନୂତନ କରି ଛାତ୍ରୀନିବାସ ଖୋଲିଥିବା ବେଳେ ୩୫ ଜଣ ଛାତ୍ରୀ ରହିଛନ୍ତି। ଛାତ୍ରୀନିବାସ ଚାରିପାଖରେ ପାଚେରି ନଥିବାରୁ ଛାତ୍ରୀମାନେ ଅସୁରକ୍ଷିତ ଭାବେ ରହୁଛନ୍ତି। ଛାତ୍ରମାନଙ୍କ ପାଇଁ ୩ଟି ହଷ୍ଟେଲ ରହିଛି। ମାତ୍ର ପାନୀୟଜଳର ବ୍ୟବସ୍ଥା ନାହିଁ। ୨ଟି ନଳକୂପ ରହିଥିବା ବେଳେ ସେଥିରୁ ଫ୍ଲୋରାଇଡ୍‌ ପାଣି ବାହାରୁଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ବାଧ୍ୟହୋଇ ଛାତ୍ରମାନେ ଏହି ପାଣିକୁ ବ୍ୟବହାର କରୁଛନ୍ତି।

publive-image

ମାତ୍ର କିଛି ଅଭିଭାବକଙ୍କ କହିବା ଅନୁଯାୟୀ ଛାତ୍ରଙ୍କୁ ବିଭିନ୍ନ ସମୟରେ କାର୍ଯ୍ୟରେ ନିୟୋଜନ କରାଯାଉଛି। କିଏ ଶିକ୍ଷକଙ୍କ ପାଇଁ ବାହାରୁ ପାଣି ଆଣୁଛି ତ ଆଉ କିଏ ନାନା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଖାଦ୍ୟ ଦିଆଯାଉନାହିଁ। ବିଭିନ୍ନ ସମୟରେ ପ୍ରତିବାଦ ହୋଇଥିଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ବ ଦେଉ ନଥିବା ପ୍ରକାଶ। ସେହିଭଳି ଆଦିବାସୀ ଓ ହରିଜନ ବର୍ଗର ଛାତ୍ରଛାତ୍ରୀଙ୍କ ହାଇସ୍କୁଲ ଶିକ୍ଷାପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଏଠାରୁ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାପରେ ଟାକରା, ବାଣିଗୋଛା କିମ୍ବା ବୁଗୁଡା ଯିବାକୁ ପଡୁଛି। ବାଟ ଦୂର ହେଉଥିବାରୁ ବାଧ୍ୟହୋଇ ଅନେକ ପିଲା ପାଠପଢା ଛାଡିବାକୁ ବାଧ୍ୟ ହୋଇ କିଏ ଦାଦନ ଖଟିବାକୁ ଯାଉଛି ତ ପୁଣି କିଏ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛି। ଏଠାରେ ହାଇସ୍କୁଲ ଖୋଲିବା ପାଇଁ ବାରମ୍ବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାସହ ହାଇସ୍କୁଲ ଖୋଲିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe