ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ତୁ-ତୁ ମେ-ମେ ଜାରି

Advertisment

ଅଶ୍ବିନୀଙ୍କ ଖଣି ଲିଙ୍କ୍ ନେଇ ପ୍ରଶ୍ନ ଉଠାଇଲେ ନରସିଂହ, ବିଜେପି ସହ ଆମକୁ ଯୋଡ଼ ନାହିଁ : ଶଶିଭୂଷଣ, ଗୁପ୍ତ ନୁହେଁ, ଖୋଲା ବୁଝାମଣା ହୋଇଛି : ଧର୍ମେନ୍ଦ୍ର

ଅଶ୍ବିନୀଙ୍କ ଖଣି ଲିଙ୍କ୍ ନେଇ ପ୍ରଶ୍ନ ଉଠାଇଲେ ନରସିଂହ, ବିଜେପି ସହ ଆମକୁ ଯୋଡ଼ ନାହିଁ : ଶଶିଭୂଷଣ, ଗୁପ୍ତ ନୁହେଁ, ଖୋଲା ବୁଝାମଣା ହୋଇଛି : ଧର୍ମେନ୍ଦ୍ର

ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ତୁ-ତୁ ମେ-ମେ ଜାରି

punjabkesari.com

ଭୁବନେଶ୍ବର : ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଜାରି ରହିଛି। ବିଭିନ୍ନ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଏ ନେଇ ବୟାନବାଜି ରାଜନୈତିକ ଆଲୋଚନାକୁ ଖୋରାକ ଯୋଗାଇଛି। ଗତକାଲି କଂଗ୍ରେସ ଏ ନେଇ ବିଜେଡି-ବିଜେପିକୁ ଟାର୍ଗେଟ୍‌ କରିଥିଲା ବେଳେ ଆଜି ବି ବରିଷ୍ଠ ବିଧାୟକ ନରସିଂହ ମିଶ୍ର ପୁଣି ଉଭୟ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସର ଅଭିଯୋଗକୁ ବିଜେଡି ଖଣ୍ଡନ କରିଥିଲା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଆଜି ଆଗକୁ ଆସିଛନ୍ତି। ଗୁପ୍ତ ନୁହେଁ, ଖୋଲା ବୁଝାମଣା ହୋଇଛି ବୋଲି ସେ ସ‌ଫେଇ ଦେଇଛନ୍ତି।

କଂଗ୍ରେସର ବରିଷ୍ଠ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ବିଜେପି ଯାହାକୁ ପ୍ରାର୍ଥୀ କରିଛି ସେ ଖଣି ମାଲିକ କି ନୁହେଁ ? ସେ ଯଦି ଖଣି ମାଲିକ ହୋଇଥିବେ, ସେହି କମ୍ପାନି କିମ୍ବା ତାହାର ମାଲିକଙ୍କ ବିରୋଧରେ କିଛି ଅଭିଯୋଗ ଅଛି ନା ନାହିଁ ? ଶାହା କମିସନ୍ ସିବିଆଇ ତଦନ୍ତ କରିବାକୁ କହିଛନ୍ତି ନା ନାହିଁ? ଯଦି ଅଭିଯୋଗ ଅଛି, ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରୁ ନାହାନ୍ତି କାହିଁକି ? ଏପରି ଜଣେ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଯିବା ଦୁର୍ଭାଗ୍ୟଜନକ। ଜ‌େଣ ଅଣଓଡ଼ିଆଙ୍କୁ ରାଜ୍ୟସଭାକୁ ପଠାଯିବା ନେଇ ଓଡ଼ିଶା ଲଜ୍ଜିତ। ବିଜେପିର ଯେଉଁ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ଅଛି, ସେଠାରୁ ତାଙ୍କୁ କାହିଁକି ପଠାଗଲା ନାହିଁ ?

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଏବେ ବିଜେଡି-ବିଜେପି ଭାଇ-ଭାଇ ବୋଲି କୁହାଯାଉଛି। ତେଣୁ ପ୍ରକୃତରେ ଗୃହରେ ବିରୋଧୀ ଦଳ କିଏ, ତାହା ଉପରେ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଛି।

ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ନରସିଂହ ମିଶ୍ର ଜଣେ ଅଭିଜ୍ଞ ଲୋକ। ସମ୍ବିଧାନ ସମ୍ପର୍କରେ ଭଲ ଭ‌ାବେ ଅବଗତ ଅଛନ୍ତି। ସାମ୍ବିଧାନିକ ପଦପଦବିକୁ ରାଜନୀତିକରଣ କରିବା ଠିକ୍ ନୁହେଁ। ଯଦି କିଏ କହିବ, ବିରୋଧୀ ଦଳ ଦ୍ବାରା ସରକାର ପରିଚାଳିତ ହେଉଛନ୍ତି, ତାହାର କିଛି ମାନେ ନାହିଁ। ବିରୋଧୀ ଦଳକୁ ବାଦ୍ ଦେଇ ସରକାର ଚାଲି ପାରେ ନାହିଁ। ନରସିଂହ ବାବୁଙ୍କ ଅଭିଯୋଗ ଭିତ୍ତିହୀନ। ବିଜେପି-ବିଜେଡି ଭିତରେ କି ଡିଲ୍‌ ହେବ ? ଆମେ ସରକାରରେ ଅଛୁ। ଡିଲ୍‌ ହେଲା କେମିତି ? ବିଜେପି ସହ ଆମକୁ ଯୋଡ଼ିବାର କିଛି ମାନେ ନାହିଁ।

‌େକନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କିଛି ପ୍ରସଙ୍ଗରେ ବୁଝାମଣାର ଆବଶ୍ୟକତା ଥାଏ। ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗ ଦେବା ନିଶ୍ଚିତ ଭାବେ ଗଣତନ୍ତ୍ରରେ ଏକ ଭଲ ପରମ୍ପରା। ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ବୁଝାମଣା ହୋଇଛି। ବୁଝାମଣା ପଛରେ ବିକାଶ ହିଁ ମୁଖ୍ୟ। ଏହା ଦ୍ବାରା ଓଡ଼ିଶା ଲାଭ ପାଇବ। ତେଣୁ ସମାଲୋଚନାକୁ ତା’ ବାଟରେ ଯିବାକୁ ଦିଆଯାଉ। ନବୀନ ବାବୁ ସ୍ପଷ୍ଟ କରିଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ତାଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ତେଣୁ ଏହା ଖୋଲା ବୁଝାମଣା। ଗୁପ୍ତ ବୁଝାମଣାର ପ୍ରଶ୍ନ ଆସିଲା କେଉଁଠୁ ?

ବିଜେପି ଏହା ଦ୍ବାରା କ୍ଷତିରେ ରହିବ କି ବୋଲି ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଥିଲେ, ସମୟ କହିବ, କାହାର ଲାଭ ଓ କ୍ଷତି ହେବ। ଏହା ଲୋକଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି କରୁନି, କିଛି ବନ୍ଧୁଙ୍କ ମନରେ ଉଦ୍‌ବେଳନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe