ଭୁବନେଶ୍ୱର: ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ରାଜ୍ୟସଭା ଆସନ ପାଇଁ ଓଡ଼ିଶାରୁ ବିଜେପି ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ରାଜ୍ୟ ସଭାପତି ମନମୋହନ ସାମଲ, ସବୁ ବିଧାୟକ ଓ ଦଳୀୟ ନେତୃବୃନ୍ଦଙ୍କ ସହ ବିଧାନସଭା ଅଭିମୁଖେ ଯାଇଥିଲେ। ସେଠାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦୁଇ ସେଟ୍ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୋଟିଏ ସେଟ୍ରେ ମୋହନ ମାଝୀ ଓ ଅନ୍ୟ ବିଧାୟକ ଏବଂ ଦ୍ବିତୀୟ ସେଟ୍ରେ କୁସୁମ ଟେଟେ ଓ ଅନ୍ୟ ବିଧାୟକମାନେ ପ୍ରସ୍ତାବକ ଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ରାଜ୍ୟସଭା ମାଧ୍ୟମରେ ଓଡ଼ିଶାର ସେବା କରିବା ପାଇଁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି। ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଓଡ଼ିଶାର ସେବା କରିବା ପାଇଁ ମୋତେ ଶକ୍ତି ଓ ସେବା ଭାବନା ଦିଅନ୍ତୁ। ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଯେଉଁ ସ୍ବପ୍ନ ଅଛି ତାକୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ମୁଁ ଗୁଣ୍ଡୁଚି ମୂଷା ଭଳି ସହଯୋଗ କରିବାକୁ ମହାପ୍ରଭୁ ମୋତେ ଶକ୍ତି ଦିଅନ୍ତୁ। ଅଶ୍ବିନୀଙ୍କ ପ୍ରାର୍ଥିତ୍ବକୁ ବିଜେଡି ଖୋଲା ସମର୍ଥନ ଜଣାଇଥିଲେ ହେଁ ନାମାଙ୍କନପତ୍ର ଦାଖଲ ପରେ ସେ ମୁଖ୍ୟମନ୍ତ୍ରୀ କି ବିଜେଡିକୁ ସୌଜନ୍ୟମୂଳକ ଧନ୍ୟବାଦ ଜଣାଇନାହାନ୍ତି। ଅପରପକ୍ଷେ ବିଜେଡି କାହିଁକି ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କଲା ସେନେଇ ବିଜେପି ସଭାପତିଙ୍କ ସମେତ ବିଧାୟକମାନଙ୍କୁ ପଚାରିବାରୁ ସମସ୍ତେ କହିଛନ୍ତି ଯେ ଏ ପ୍ରଶ୍ନ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ। ଆମେ ସମର୍ଥନ ନମାଗିକି ବି ସେମାନେ ଆମକୁ ସମର୍ଥନ ଦେଇଛନ୍ତି। ଶ୍ରୀ ବୈଷ୍ଣବ ଦାଖଲ କରିଥିବା ସତ୍ୟପାଠରେ ନିଜ ସମ୍ପତ୍ତି ତାଲିକା ଦର୍ଶାଇଛନ୍ତି। ତାଙ୍କର ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧୧୭ କୋଟି ୨୭ ଲକ୍ଷ ୯୮ ହଜାର ୨୭ ଟଙ୍କା। ତାଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ୭୨ ଲକ୍ଷ ଟଙ୍କା।
ନାମାଙ୍କନପତ୍ର ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ: ‘ମୋଦୀଙ୍କ ବିକଶିତ ଓଡ଼ିଶା ସ୍ବପ୍ନକୁ ପୂରଣ କରିବାରେ ସହଯୋଗ କରିବି’
Advertisment
Follow Us