ଏଏସ୍‌ଆଇ ଲେଜର୍‌ ସ୍କାନିଂ ରିପୋର୍ଟ: ରତ୍ନଭଣ୍ଡାର କାନ୍ଥରେ ମାଳମାଳ ଫାଟ

ଏଏସ୍‌ଆଇ ଲେଜର୍‌ ସ୍କାନିଂ ରିପୋର୍ଟ: ରତ୍ନଭଣ୍ଡାର କାନ୍ଥରେ ମାଳମାଳ ଫାଟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଯାହା ଅନୁମାନ କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି। ରତ୍ନଭଣ୍ଡାର ବାହାର କାନ୍ଥରେ ମାଳ ମାଳ ଫାଟ ରହିଛି। ରତ୍ନଭଣ୍ଡାରର ଉତ୍ତର, ପୂର୍ବ ଓ ପଶ୍ଚିମପାର୍ଶ୍ବ କାନ୍ଥରେ ଏଭଳି ଫାଟ ରହିଛି। କାନ୍ଥ ବି ଓଦାଳିଆ ରହିଛି। ଏହି ଫାଟ ଦେଇ ରତ୍ନଭଣ୍ଡାର ଭିତରକୁ ପାଣି ପଶିବାର ଆଶଙ୍କା ରହିଛି। ଏଣୁ ମରାମତି ଓ ସଂରକ୍ଷଣ ତୁରନ୍ତ ଆବଶ୍ୟକ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପରାମର୍ଶ ଦେଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର କାନ୍ଥର ଲେଜର୍‌ ସ୍କାନିଂ ପରେ ଶ୍ରୀମନ୍ଦିର ପ୍ରଶାସନକୁ ଏଭଳି ରିପୋର୍ଟ ଦେଇଛି ଏଏସ୍‌ଆଇ।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ବି ଏହି ରିପୋର୍ଟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ତେବେ ବୈଠକରେ ଏଏସ୍‌ଆଇ ଅଧିକାରୀଙ୍କ ବିନା ଅନ୍ୟ କୌଣସି ବୈଷୟିକ ଅଧିକାରୀ ନ ଥିବାରୁ ଏଏସ୍‌ଆଇର ଏହି ରିପୋର୍ଟ ଶ୍ରୀମନ୍ଦିର ବୈଷୟିକ ସବ୍‌କମିଟିକୁ ପ୍ରଦାନ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ବୈଷୟିକ ସବ୍‌କମିଟି ରିପୋର୍ଟର ତର୍ଜମା କରି ନିଜସ୍ବ ରିପୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ ପରେ ମରାମତି ସଂପର୍କରେ ବିଚାର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବର୍ମାଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ମନ୍ଦିରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟିକୁ ଦେଇଥିବା ଲେଜର ସ୍କାନିଂ ରିପୋର୍ଟରେ ଏଏସ୍‌ଆଇ ଉଲ୍ଲେଖ କରିଛି, ଓଦାଳିଆ ଓ ଦୁର୍ବଳ ଚୂନ ପ୍ଲାଷ୍ଟର କାରଣରୁ ରତ୍ନଭଣ୍ଡାର ବାହାର କାନ୍ଥରେ ଏକାଧିକ ସ୍ଥାନରେ ଫାଟ ରହିଥିବା ଦୃଶ୍ୟମାନ ହେଉଛି। ଏଣୁ ରତ୍ନଭଣ୍ଡାରର ସଂରକ୍ଷଣ ପାଇଁ କାନ୍ଥରୁ ଏହି ଚୂନ ଆବରଣ ଛଡ଼ାଇ ମଜବୁତ କାମ କରିବାର ଆବଶ୍ୟକତା ରହିଛି। ଯଦି ଏହା କରାନଯାଏ, ଭିତର ରତ୍ନଭଣ୍ଡାରରେ ପାଣି ପଶିବା ଆଶଙ୍କା ଅଛି। ସେହିଭଳି ରତ୍ନଭଣ୍ଡାର ଓ ଜଗମୋହନ କାନ୍ଥ ତଥା ବାଡ଼ର ସଂଯୋଗସ୍ଥଳକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ରତ୍ନଭଣ୍ଡାରର ତିନି କାନ୍ଥରୁ ଚୂନ ପ୍ଲାଷ୍ଟର୍‌ ଛଡ଼ାଇବା ପରେ ଯଦି କୌଣସିଠାରେ ବଡ଼ ଫାଟ ଜଣାପଡ଼େ, ତେବେ ଯତ୍ନର ସହ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଆବଶ୍ୟକ ମରାମତି କରାଯିବା ଜରୁରି ବୋଲି ଏଏସ୍‌ଆଇ ରିପୋର୍ଟରେ କହିଛି।

ଏଏସ୍‌ଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ କହିଛନ୍ତି, ରତ୍ନଭଣ୍ଡାର କାନ୍ଥରେ ୧ ଫୁଟ ଚୂନ ପ୍ଲାଷ୍ଟର ଉପରୁ ଲେଜର୍‌ ସ୍କାନିଂ କରିବା ପରେ ଏତେ ଫାଟ ମିଳିଛି। ଏହାକୁ ଛଡ଼ାଇବା ପରେ ଚିତ୍ର ଆହୁରି ସ୍ପଷ୍ଟ ଜଣାପଡ଼ିବ। ତଥାପି ଆସନ୍ତା ମୌସୁମୀ ପୂର୍ବରୁ ଆମେ ମରାମତି ଓ ସଂରକ୍ଷଣ କାମ ସାରିବାକୁ ଲକ୍ଷ୍ୟ ରଖିଛୁ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ରତ୍ନଭଣ୍ଡାର ଘର ଶ୍ରୀମନ୍ଦିର ସମସାମୟିକ ନୁହେଁ। ଏହା ଶ୍ରୀମନ୍ଦିର ନିର୍ମାଣ ସରିବା ପରେ ହୋଇଛି। ଏଣୁ ଏକାପ୍ରକାର ପଥର ରତ୍ନଭଣ୍ଡାର ଘରେ ତିଆରି ବେଳେ ସଂଯୋଗ ହୋଇନି। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାରପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ୨୦୨୩ ନଭେମ୍ବର ୨୮ ଓ ୨୯ ତାରିଖ, ଏଭଳି ଦୁଇଦିନ ଧରି କରାଯାଇଥିଲା। ୨୮ ତାରିଖରେ ୩୭ଟି ସ୍ଥାନର ଓ ୨୯ ତାରିଖରେ ୮ଟି ସ୍ଥାନର, ଏପରି ମୋଟ ୪୫ଟି ସ୍ଥାନର ଲେଜର ସ୍କାନିଂ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe