ଭାରତୀହୁଡ଼ା, ଝଡ଼ିଅମ୍ବାରେ ହେବ ଉତ୍‌ଖନନ

Advertisment

ଉତ୍‌ଖନନ ଲାଗି ଏଏସ୍‌ଆଇକୁ ମିଳିଲା ଅନୁମତି

ଉତ୍‌ଖନନ ଲାଗି ଏଏସ୍‌ଆଇକୁ ମିଳିଲା ଅନୁମତି

ଭାରତୀହୁଡ଼ା, ଝଡ଼ିଅମ୍ବାରେ ହେବ ଉତ୍‌ଖନନ

ଭୁବନେଶ୍ୱର: ୨୦୧୭-୧୮ରେ ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଉତ୍‌ଖନନ ଶାଖା-୪ ରାଜ୍ୟର ଦୁଇଟି ସ୍ଥାନରେ ଉତ୍‌ଖନନ କରିବ। ମେ’ ମାସରେ କଟକ ଜିଲ୍ଲା ନିଆଳି ନିକଟ ପ୍ର୍ରାଚୀ ନଦୀକୂଳ ଭାରତୀହୁଡ଼ା ଏବଂ ଜୁଲାଇ ମାସରେ ଅନୁଗୁଳ ଜିଲ୍ଲାର ଝଡ଼ିଅମ୍ବାଠାରେ ମିଳିଥିବା ବୌଦ୍ଧ କୀର୍ତ୍ତିରାଜି ଅଞ୍ଚଳରେ ଏହି ଉତ୍‌ଖନନ ହେବ। ଏଥିପାଇଁ ଦିଲ୍ଲୀସ୍ଥିତ ଏଏସ୍‌ଆଇ ମହାନିର୍ଦେର୍ଶକଙ୍କ କାର୍ଯ୍ୟାଳୟରୁ ଅନୁମତି ମିଳିଥିବା ଉତ୍‌ଖନନ ଶାଖା-୪ର ସୁପରିନ୍‌ଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଡ. ଡି.ବି. ଗଡ଼ନାୟକ କହିଛନ୍ତି।
ଚଳିତବର୍ଷ ଉତ୍‌ଖନନ ଶାଖା-୪କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି। ପ୍ରଥମେ ଚନ୍ଦକା ଜଙ୍ଗଲରେ ତାମ୍ର ପ୍ରସ୍ତର ଯୁଗର ପ୍ରସ୍ତର କଳାର ସନ୍ଧାନ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ କଟକ ଜିଲ୍ଲା ନିଆଳି ନିକଟ ପ୍ରାଚୀ ନଦୀ କୂଳରେ ୪ ହଜାର ବର୍ଷ ତଳ ସଭ୍ୟତାର ସନ୍ଧାନ ମିଳିଥିଲା। ସେଠାରୁ ଏଏସ୍‌ଆଇ ପ୍ରତିନିଧିଦଳକୁ ପଶୁପକ୍ଷୀଙ୍କ ହାଡ଼, ମାଟିପାତ୍ର, ଅସ୍ତ୍ରଶସ୍ତ୍ର ଆଦି ସାମଗ୍ରୀ ମିଳିଥିଲା। ନିଆଳିଠାରୁ ୪ କି.ମି. ଦୂରରେ ଅବସ୍ଥିତ ଏହି ଅଞ୍ଚଳରେ ୧୨ ଏକର ପରିମିତ ପାହାଡ଼ ରହିଛି। ସେଠାରୁ ମିଳିଥିବା ସାମଗ୍ରୀଗୁଡ଼ିକ ୪ ହଜାର ବର୍ଷ ପୂର୍ବର ବୋଲି ବିଶେଷଜ୍ଞମାନେ ଅନୁମାନ କରିଥିଲେ। ପ୍ରଥମ ଥର ଲାଗି ପ୍ରାଚୀ ନଦୀ କୂଳରୁ ଏଭଳି ସଭ୍ୟତାର ସନ୍ଧାନ ମିଳିଥିବାରୁ ତାହା ଉପରେ ଅଧିକ ଗବେଷଣା ଲାଗି ଭୁବନେଶ୍ୱରସ୍ଥିତ ଏଏସ୍‌ଆଇ ଉତ୍‌ଖନନ ଶାଖା ପକ୍ଷରୁ ଦିଲ୍ଲୀସ୍ଥିତ ଏଏସ୍‌ଆଇ ମହାନିର୍ଦେଶକଙ୍କଠାରୁ ଉତ୍‌ଖନନ ଲାଗି ଅନୁମତି ମଗାଯାଇଥିଲା। ଗତ ବୈଠକରେ ଏନେଇ ପ୍ରସ୍ତାବକୁ ଅନୁମତି ଦିଆଯାଇଛି। ହେଲେ ଏବେ ଏହି ଅଞ୍ଚଳରେ ଲୋକେ ଚାଷ କାର୍ଯ୍ୟ କରୁଥିବାରୁ ଉତ୍‌ଖନନ କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଡିସେମ୍ବର ମଧ୍ୟ ଭାଗରେ ଉତ୍‌ଖନନ ଆରମ୍ଭ ହେବ ବୋଲି ଡ. ଗଡ଼ନାୟକ ସୂଚନା ଦେଇଛନ୍ତି।
ସେହିପରି ଅନୁଗୁଳ ଜିଲ୍ଲା ଝଡ଼ିଅମ୍ବା ଗ୍ରାମରେ ଗତ ଜୁଲାଇ ମାସରେ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ କରିଥିବା ଏଏସ୍‌ଆଇର ପ୍ରତିନିଧିଦଳ। ବ୍ରାହ୍ମଣୀ ନଦୀ କୂଳରେ ବୌଦ୍ଧ ଧର୍ମ ସମ୍ପର୍କିତ ବିଭିନ୍ନ ମୂର୍ତ୍ତି, ସ୍ତୁପ ସମେତ କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା। ପ୍ରାରମ୍ଭିକ ଅନୁସନ୍ଧାନ ବେଳେ ମୌର୍ଯ୍ୟ ଶାସନ କାଳର ବୌଦ୍ଧ କୀର୍ତ୍ତିରାଜି ଏଠାରେ ରହିଥିବା ଜଣାପଡ଼ିବା ପରେ ଅଧିକ ଗବେଷଣା ଲାଗି ଏଏସ୍‌ଆଇ ଉତ୍‌ଖନନ ଶାଖା ଇଚ୍ଛା ପ୍ରକାଶ କରିଛି। ଡ. ଗଡ଼ନାୟକ କହିଛନ୍ତି ଯେ କେନ୍ଦ୍ରୀୟ ଓଡ଼ିଶାରେ ବୌଦ୍ଧ କୀର୍ତ୍ତିରାଜିର ବ୍ୟାପକ ପ୍ରଚାର ପ୍ରସାର ହୋଇଥିବା ନେଇ ପ୍ରାରମ୍ଭିକ ସର୍ଭେରୁ ଜଣାପଡ଼ିଥିଲା। ଯେଉଁଥିପାଇଁ ଏଠାରେ ଉତ୍‌ଖନନ ଲାଗି ଅନୁମତି ଲୋଡ଼ିଥିଲୁ। ଅକ୍ଟୋବର ଶେଷ ସପ୍ତାହରୁ ଉତ୍‌ଖନନ କାର୍ଯ୍ୟ ଆରମ୍ଭ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe