ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସ୍ଆଇ ନିଲମ୍ବିତ ହେବା ପରେ ଏସପି କହିଲେ ଦୁଷ୍କର୍ମ ହୋଇ ନାହିଁ, ପୀଡ଼ିତାଙ୍କ ଖଣ୍ଡନ

ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସ୍ଆଇ ନିଲମ୍ବିତ ହେବା ପରେ ଏସପି କହିଲେ ଦୁଷ୍କର୍ମ ହୋଇ ନାହିଁ, ପୀଡ଼ିତାଙ୍କ ଖଣ୍ଡନ

Image Source-Puri Police

ପିପିଲି: ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁରୀ ଜିଲ୍ଲାର ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଂଜନ ଦାସଙ୍କୁ ଆଜି ନିଲମ୍ବନ କରାଯାଇଛି। ଏନେଇ ପୁରୀର ଅତିରିକ୍ତ ପୁଲିସ ଅଧୀକ୍ଷକ ଅରୁଣ ଜେନା ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାରେ ଆସିଛି ନୂଆ ମୋଡ଼ । ପୁରୀ ଏସପି ଉମାଶଙ୍କର ଦାଶ କହିଛନ୍ତି ଯେ ଦୁଷ୍କର୍ମ ପୀଡ଼ିତା ନିଜର ବୟାନ ବଦଳାଇଛନ୍ତି। ଧାରା ୧୬୧ ଅଧିନରେ ବୟାନ ରେକର୍ଡ ବେଳେ ପୀଡ଼ିତା ତାଙ୍କ ସହ ଦୁଷ୍କର୍ମ ହୋଇ ନ ଥିବା କହିଛନ୍ତି। ମାତ୍ର ପୁରୀ ଏସପିଙ୍କ ବୟାନକୁ ଖଣ୍ଡନ କରିଛନ୍ତି ପୀଡ଼ିତା। ସେ କହିଛନ୍ତି ଏଏସ୍ଆଇ ଚିତ୍ତରଂଜନ ଦାସ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଯେହେତୁ ଘଟଣାକୁ ତିନି ମାସ ବିତିଯାଇଛି ତେଣୁ ସେ ଡାକ୍ତରୀ ମାଇନା କରାଇବାକୁ ମନା କରିଥିଲେ । ଏଥିସହ ସେ ଏସପି ମିଛ କହୁଛନ୍ତି ବୋଲି ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଜଣେ ୩୦ ବର୍ଷୀୟା ବିବାହିତ ମହିଳାଙ୍କୁ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଂଜନ ଦାସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଗତକାଲି ସନ୍ଧ୍ୟାରେ ପୀଡ଼ିତା ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ। ଏସଡିପିଓ ଦେବଦତ୍ତ ବରାଳ ଅଭିଯୋଗକୁ ଗ୍ରହଣ କରିବା ସହ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଦ୍ବାରା ତଦନ୍ତ ଆରମ୍ଭ କରିଥିଲେ। ଏ ସଂପର୍କରେ ସୂଚନା ପାଇ ପୁରୀ ପୁଲିସ ଅଧୀକ୍ଷକ ମଧ୍ୟ ପିପିଲିରେ ପହଞ୍ଚିଥିଲେ। ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଗତକାଲି ଏଏସ୍ଆଇ ଚିତ୍ତରଂଜନ ଦାସଙ୍କୁ ଗିରଫ କରିଥିଲେ।

ପ୍ରାୟ ୬ ମାସ ପୂର୍ବେ ଅଭିଯୋଗକାରିଣୀଙ୍କ ସ୍ବାମୀ ଏକ ଅଟୋ ଆଣିଥିଲେ। ମାତ୍ର ଏହି ଅଟୋକୁ ସରିତାଙ୍କ (ଛଦ୍ମନାମ) ଶ୍ବଶୁର ଘର ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଥାନାର ଏଏସ୍ଆଇ ଚିତ୍ତରଂଜନ ଦାସ ପୀଡ଼ିତାଙ୍କୁ ଡକାଇଥିଲେ ମଧ୍ୟ ସେତେବେଳେ ସେ ଯାଇ ପାରିନଥିଲେ। ଏହାର କିଛି ଦିନ ପରେ ଫୋନରେ ଚିତ୍ତରଞ୍ଜନ ଅଟୋ ପୋଡ଼ି ମାମଲାରେ ଶ୍ବଶୁର ଆସିବେ, ତୁମେ ଶୀଘ୍ର ଆସ ବୋଲି କହି ପୀଡିତାଙ୍କୁ ଥାନାକୁ ଡକାଇଥିଲେ। ଥାନା ବାବୁଙ୍କ ଡାକରା ପାଇ ପୀଡ଼ିତା ପହଞ୍ଚିଥିଲେ। ତେବେ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଶ୍ବଶୁର ଆସି ନଥିଲେ।

ଏହି ସମୟରେ ଚିତ୍ତରଂଜନ କାଗଜପତ୍ର ଦେଖିବା ବାହାନାରେ ସରିତାଙ୍କୁ ନିଜ ରୁମକୁ ଡାକି ନେଇ ପାଟି ବନ୍ଦକରି ଦୁଷ୍କର୍ମ କରିଥିଲେ ଏବଂ କାହାକୁ କିଛି କହିଲେ ମିଛ ମାମଲାରେ ବାନ୍ଧି ଜେଲ ପଠାଇଦେବେ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ, ଏହା ପରେ ବିଭିନ୍ନ ସମୟରେ ବିଳମ୍ବିତ ରାତିରେ ଫୋନ୍ କରି ଅଶ୍ଳୀଳ କଥା ହେବା ସହ ବାରମ୍ବାର ରୁମକୁ ଆସିବା ପାଇଁ ବାଧ୍ୟ କରୁଥିଲେ। ରୁମକୁ ଆସି ତାଙ୍କ କଥା ବୁଝିଦେଲେ ଦଫା କୋହଳ କରିଦେବେ ବୋଲି ଥାନା ବାବୁ କହୁଥିବା ସରିତା ଅଭିଯୋଗରେ ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe