ଆସିକା ବ୍ଲକ୍‌ ଅଧ୍ୟକ୍ଷାଙ୍କ ଦେଡ଼ଶୁରଙ୍କୁ ହତ୍ୟା: ଗାଁ ଭୋଜିରେ ବସିଥିବା ବେଳେ ଆକ୍ରମଣ

Advertisment
ଆସିକା ବ୍ଲକ୍‌ ଅଧ୍ୟକ୍ଷାଙ୍କ ଦେଡ଼ଶୁରଙ୍କୁ ହତ୍ୟା: ଗାଁ ଭୋଜିରେ ବସିଥିବା ବେଳେ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗଡ଼ିଛି ପୁଣି ଏକ ମୁଣ୍ଡ। କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆଜି ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଗଣେଶ ପୂଜା ଭୋଜି ଖାଇବାକୁ ଗାଁ ମଝିରେ ବସିଥିବା ବେଳେ ଠେଙ୍ଗା, କାତିରେ ସଂଘବଦ୍ଧ ଆକ୍ରମଣ ସହିତ ମୁଣ୍ଡକୁ ପଥରରେ ଛେଚି ଆସିକା ବରଗାଁର ସୁନୀଲ ନାହାକ(୩୮)ଙ୍କୁ ହତ୍ୟା କରାଯାଇଛି। ସୁନୀଲଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଛି। କୋଦଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ମୃତକ ସୁନୀଲ ହେଉଛନ୍ତି ବର୍ତ୍ତମାନ ଆସିକା ବ୍ଲକ୍‌ ଅଧ୍ୟକ୍ଷା ଥିବା ତ୍ରିବେଣୀ ନାହାକଙ୍କ ଦେଡ଼ଶୁର। ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

ଆସିକା ବ୍ଲକ୍‌ କୋଟିନଡ଼ା ଥାନା ବରଗାଁର ସୁନୀଲ ଗଣେଶ ମେଢ଼ ବିସର୍ଜନ ପରେ ଗାଁ ଭୋଜିରେ ଯୋଗ ଦେବାକୁ ଆଜି ଦାନପୁର ଯାଇଥିଲେ। ଦାନପୁର ଗାଁରେ ଭୋଜି ଖାଇ ବସିଥିବା ବେଳେ କିଛି ଯୁବକଙ୍କ ସହିତ ତାଙ୍କର ପ୍ରଥମେ ବଚସା ହୋଇଥିଲା। ସେହି ଯୁବକମାନେ ସୁନୀଲଙ୍କ ଉପରେ ପୂର୍ବ ଯୋଜନା ଅନୁସାରେ ସଂଘବଦ୍ଧ ଆକ୍ରମଣ କରି ଦେଇଥିଲେ। ଏହା ସହିତ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ସୁନୀଲଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ହତ୍ୟାକାରୀ ସେଠାରୁ ଫେରାର ହୋଇ ଯାଇଥିଲେ। ଖବର ପାଇ କୋଦଳା ଥାନା ପୁଲିସ ଆଜି ରାତିରେ ଘଟଣାସ୍ଥଳରେ ପହଞ୍ଚି ସୁନୀଲଙ୍କ ମୃତଦେହ ଜବତ କରିଛି। ଗଂଜେଇ ଚାଲାଣ ମାମଲାରେ ଗିରଫ ହେବା ପରେ ସୁନୀଲ ଗତ କିଛିମାସ ତଳେ ଜେଲ୍‌ରୁ ବାହାରିଥିଲେ। ସୁନୀଲଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ ଓ ଦାଦାବଟି ଭଳି ଏକାଧିକ ଆପରାଧିକ ମାମଲା ବିଚାରାଧୀନ ରହିଛି। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe