ଆସିକା ଚିନିଶିଳ୍ପ: ମଦ‌ବୋତଲ କିଣାରେ ଦୁର୍ନୀତି

Advertisment

ସମ୍ପାଦକ, ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକଙ୍କ ନଁାରେ ମାମଲା

ସମ୍ପାଦକ, ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକଙ୍କ ନଁାରେ ମାମଲା

ଆସିକା ଚିନିଶିଳ୍ପ: ମଦ‌ବୋତଲ କିଣାରେ ଦୁର୍ନୀତି

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଚିନିଶିଳ୍ପ ବିନା ଗ୍ୟାରେଣ୍ଟି ଓ ଋଣରେ ଆଖୁଚାଷୀଙ୍କୁ ପ୍ରାପ୍ୟ ଦେବାରେ ସଫଳ ହେଉଥିବାରୁ ଭଲଦିନ ଫେରିବ ବୋଲି ଆଶା କରାଯାଉଥିଲା। ହେଲେ,ଏଭଳି ପରିସ୍ଥିତିରେ ଚିନିଶିଳ୍ପ ଡିଷ୍ଟିଲେରି ନିମନ୍ତେ ମଦକାଚ କିଣାରେ ଦୁର୍ନୀତି ଅଭିଯୋଗ ଆସିବାପରେ ଆଲୋଡ଼ନ ସୃଷ୍ଟି ହୋଇଛି । ପୂର୍ବରୁ ଏହି ଅଭିଯୋଗ ଆରସିଏସ୍‌ଙ୍କ ନିକଟରେ ହୋଇଥିଲା। ଏବେ ଥାନାରେ ଏତଲା ଦିଆଯାଇଛି। ଆସିକା ଜେଏମ୍‌ଏଫ୍‌ସି କୋର୍ଟଙ୍କ ନିର୍ଦ୍ଦେଶାନୁସାରେ,ଏକ ୱାନ୍‌ସିସି ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି।

ମଦ ପ୍ରସ୍ତୁତି ଚିନିଶିଳ୍ପର ଏକ ଲାଭଜନକ ମାଧ୍ୟମ। ଏଠାରେ ପ୍ରସ୍ତୁତ ହେଉଥିବା ମଦକୁ ବୋତଲରେ ଭର୍ତ୍ତିକରି ଓଡ଼ିଶାର ଆଠଟି ଜିଲ୍ଲାକୁ ରପ୍ତାନି କରାଯାଏ। ତେବେ,ଏହି ବୋତଲ କିଣାରେ ଏବେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛି। ବୋତଲ କିଣିବା ଲାଗି ଚିନିଶିଳ୍ପ ପକ୍ଷରୁ ୨୦୨୨ ମସିହା ମାର୍ଚ୍ଚ ଟେଣ୍ଡର୍ ଆହ୍ବାନ୍ କରାଯାଇଥିଲା। କୋଲକାତାର ଏକ ନିର୍ଦ୍ଦିଷ୍ଟ କମ୍ପାନି ଟେଣ୍ଡର୍ ପାଇବାପରେ ଚିନିଶିଳ୍ପକୁ କାଚ ବୋତଲ ଯୋଗାଇଥିଲା। ଏକବର୍ଷ ପାଇଁ ତଥା ୨୦୨୨ ଏପ୍ରିଲ୍ ୧ରୁ ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୯୦ ଲକ୍ଷ ଖାଲି ବୋତଲ ଯୋଗାଇଦେବ ବୋଲି ଉକ୍ତ ସଂସ୍ଥା ଚୁକ୍ତି କରିଥିଲା। ଗୋଟିଏ ବୋତଲର ମୂଲ୍ୟ ୪ ଟଙ୍କା ୧୬ ପଇସା ଧାର୍ଯ୍ୟ ହୋଇଥିଲା। ଏକମାସ ପରେ ବୋତଲ ଯୋଗାଇ ପାରିବନି କହି ଉକ୍ତ ସଂସ୍ଥା ପଛଘୁଞ୍ଚା ଦେଇଥିଲା।

ମାତ୍ର, ଆଶ୍ଚର୍ଯ୍ୟଜନକ ଭାବେ ଟେଣ୍ଡର୍ ଚୁକ୍ତିର ଖୋଲାଖୋଲି ଉଲ୍ଲଂଘନ କରିଥିବା ସଂସ୍ଥା ବିରୋଧରେ ଚିନିଶିଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା କି କଳାତାଲିକାଭୁକ୍ତ ଘୋଷଣା କରି ନଥିଲା। ଓଲଟା ଦ୍ବିତୀୟଥର ପାଇଁ ପୁଣିଥରେ ଟେଣ୍ଡର୍ ଆହ୍ବାନ କରି ଉକ୍ତ କମ୍ପାନି ପ୍ରତି ଅନୁକମ୍ପା ଦେଖାଇ ଟେଣ୍ଡର୍ ଦେଇଥିଲା। ପୂର୍ବ ଧାର୍ଯ୍ୟ ଦରଠାରୁ ବୋତଲ ପିଛା ପ୍ରାୟ ଏକଟଙ୍କା ଅଧିକ (୪ ଟଙ୍କା ୯୮ ପଇସା)ଧାର୍ଯ୍ୟ ହୋଇଥିଲା। ‌ଏଥିପାଇଁ ୨୦୨୨ ମେ ୧ ତାରିଖରେ ବର୍ଷକ ପାଇଁ ଚୁକ୍ତି ହୋଇଥିଲା। ଫଳରେ, ଚିନିଶିଳ୍ପକୁ ମାସକୁ ୭୩.୮୦ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା। ଏଭଳି ଭାବେ ଗତ ଏକବର୍ଷ ମଧ୍ୟରେ ଏଭଳି ଭାବେ ପାଞ୍ଚକୋଟିରୁ ଅଧିକ ଟଙ୍କା କ୍ଷତି ସହିଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ମନୋରଞ୍ଜନ ନାୟକ ଓ ବର୍ତ୍ତମାନର ସଂପାଦକ ଆର୍‌.ଚନ୍ଦ୍ରଶେଖର ରେଡ୍ଡୀଙ୍କ ବିରୋଧରେ ଚାଷୀନେତା ତଥା ବର୍ତ୍ତମାନର ଆସିକା ଏନଏସିର ୧୬ ନମ୍ବର ୱାର୍ଡ଼ ରାଘବ ସିୟ ଆସିକା ଥାନାରେ ଏତଲା ଦେଇଥିଲେ। ଯାହାକୁ ଆଧାର କରି ଏହାର ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ, ଏହି ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖି ଚିନିଶିଳ୍ପର ସମ୍ପାଦକ ଆର.ଚନ୍ଦ୍ରଶେଖର ରେଡ୍ଡୀ କହିଛନ୍ତି, ବୋତଲର ଏକାନ୍ତ ଆବଶ୍ୟକ ରହିଥିଲା। କୋଲକାତାର ଉକ୍ତ କମ୍ପାନି ବୋତଲ ନଯୋଗାଇଥିଲେ, ଶିଳ୍ପରୁ ମଦ ପ୍ରସ୍ତୁତି ଓ ବିକ୍ରି ହୋଇପାରି ନଥା’ନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe