ଆସିକା ଚିନିକଳ ମୋଲାସେସ୍ ଟାଙ୍କି ଲିକ୍, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଆସିକା ଚିନିକଳ ମୋଲାସେସ୍ ଟାଙ୍କି ଲିକ୍, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଆସିକା : ଆସିକା ଚିନିକଳ ମୋଲାସେସ୍ ଟାଙ୍କିରୁ ଲିକ୍ ହୋଇ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଗତକାଲି ଟାଙ୍କି ନିକଟ ଫ୍ରାଞ୍ଜ୍ ଫାଟିଯାଇ ମୋଲାସେସ୍ ବହିବା ଆରମ୍ଭ ହୋଇଥିଲା। ଲିକ୍‌ର ୫ ଘଣ୍ଟା ପରେ ମୋଲାସେସ୍ ଚିନିଶିଳ୍ପର ମୁଖ୍ୟରାସ୍ତା ପାର୍ଶ୍ବକୁ ଆସିଯାଇଥିଲା। ପରେ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନେ ଏହାକୁ ସଜାଡ଼ିଥିଲେ। ଏଥିପାଇଁ ବହୁ ସମୟ ଲାଗିଯାଇଥିଲା। ତେବ‌େ ଟାଙ୍କିରୁ ଲିକ୍ ବିଷୟରେ କର୍ମଚାରୀମାନେ ଆଗରୁ ଜାଣି ପାରିନଥିଲେ। ଫଳରେ ବିପୁଳ ପରିମାଣର ମୋଲାସେସ୍ ବହି ଯାଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ସହ କର୍ମଚାରୀଙ୍କ ଦାୟିତ୍ବହୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା କହିଛନ୍ତି, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆସିକା ଚିନିକଳରେ ଏଭଳି ଘଟଣା ନୂଆ ନୁହେଁ। ୨୦୧୨ ମସିହାରେ ଚିନିଶିଳ୍ପର ମୋଲାସେସ୍ ଟାଙ୍କି ଫାଟିଯିବାରୁ ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଲକ୍ଷାଧିକ ଟଙ୍କାର ମୋଲାଜେସ୍ ରାସ୍ତାରେ ବୋହି ଯାଇ ନଷ୍ଟ ହୋଇଯାଇଥିଲା। ଏହି ଘଟଣା ପରେ ବି କର୍ତ୍ତୃପକ୍ଷ ଟାଙ୍କି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି। କର୍ମଚାରୀଙ୍କ ଅବହେଳାକୁ ଏଥିପାଇଁ ଦାୟୀ କରାଯାଇଛି। ଗୋଟିଏ ପଟେ ଚିନିଶିଳ୍ପ ଋଣଭାରରେ ଉବୁଟୁବୁ ହେଉଥିବା ବେଳ‌େ ଅନ୍ୟପଟେ ଏଭଳି କ୍ଷତି କର୍ତ୍ତୃପକ୍ଷଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe