ଆସିକା ଚିନିଶିଳ୍ପରେ ଘୋର ଆର୍ଥିକ ସଂକଟ : ବକେୟା ପଡ଼ିଛି କର୍ମଚାରୀଙ୍କ ଦରମା

Advertisment
ଆସିକା ଚିନିଶିଳ୍ପରେ ଘୋର ଆର୍ଥିକ ସଂକଟ : ବକେୟା ପଡ଼ିଛି କର୍ମଚାରୀଙ୍କ ଦରମା

youtube.com

ସରକାରୀ ଗ୍ୟାରେଣ୍ଟି ମିଳିବାରେ ବିଳମ୍ବ
ଚାଷୀ ପାଇନାହାନ୍ତି ୨୭ କୋଟି ପ୍ରାପ୍ୟ
୬୫ ହଜାର କ୍ବିଣ୍ଟାଲ୍ ଚିନି ବିକ୍ରି ହୋଇପାରୁନି

ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ଚିନିଶିଳ୍ପରେ ଦେଖାଦେଇଛି ଆର୍ଥିକ ସଂକଟ। ଗୋଟିଏ ପଟେ ଲକ୍‌ଡାଉନ୍‌ କଟକଣା କାରଣରୁ ଚିନି ଓ ମଦ ବିକ୍ରି ନ ହୋଇ ପଡ଼ି ରହିଥିବା ବେଳେ ଅନ୍ୟ ପଟେ ସରକାରୀ ଗ୍ୟାରେଣ୍ଟି ମିଳିବାରେ ବିଳମ୍ବ ହେଉଥିବାରୁ ଏଭଳି ଜଟିଳ ପରିସ୍ଥିତିରେ ଚାଷୀଙ୍କୁ ମୋଟ ୨୭ କୋଟି ଟଙ୍କା ପ୍ରାପ୍ୟ ଦିଆଯାଇପାରୁନି। ସେହିପରି କର୍ମଚାରୀ ଓ ଶ୍ରମିକଙ୍କୁ ଗତ ମାର୍ଚ୍ଚମାସର ଦରମା ମିଳିନି। ଫଳରେ ସେମାନଙ୍କ ସ୍ଥିତି ସଂଗିନ ପାଲଟିଛି। କେବଳ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନକୁ ଆଲକହଲ୍ ସାନିଟାଇଜର୍ ବିକ୍ରି ପାଇଁ ଅନୁମତି ମିଳିଥିବାରୁ ଏହା ବି ମାନ୍ଦା ପଡ଼ିଛି।

ଚଳିତବର୍ଷ ଚିନିଶିଳ୍ପରେ ଗତ ଫେବ୍ରୁଆରି ୧୦ ତାରିଖରୁ ଆଖୁ ପେଡ଼ା ଆରମ୍ଭ ହୋଇ ଚଳିତମାସ ୧୧ ତାରିଖରେ ଶେଷ ହୋଇଥିଲା। ୬୨ ଦିନ ଭିତରେ ୮୦ହଜାର ଟନ୍ ଆଖୁ ପେଡ଼ାଯାଇ ୬୫ହଜାର କ୍ବିଣ୍ଟାଲ୍‌ ଚିନି ଉତ୍ପାଦିତ ହୋଇଥିଲା। କିନ୍ତୁ ଆଖୁ ପେଡ଼ା ଆରମ୍ଭ ଦିନଠୁ ଆଜି ସୁଦ୍ଧା ଆଖୁଚାଷୀଙ୍କ ୨୭ କୋଟି ଟଙ୍କା ପ୍ରାପ୍ୟ ଦିଆଯାଇପାରିନି। ସରକାରୀ ଗ୍ୟାରେଣ୍ଟିରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ପ୍ରତ୍ୟେକ ବର୍ଷ ଋଣ ଦେଇଥାଏ। ପରେ ଚିନି ବିକ୍ରି କରି ଚିନିଶିଳ୍ପ ସେହି ଟଙ୍କାକୁ କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ପରିଶୋଧ କରେ। କିନ୍ତୁ ଚଳିତବର୍ଷ ଏପ୍ରିଲ୍ ମାସ ଶେଷ ହୋଇଥିଲେ ସୁଦ୍ଧା, ଗ୍ୟାରେଣ୍ଟି ମିଳିବାରେ ବିଳମ୍ବ ହୋଇଛି। ଫଳରେ ଚାଷୀ ଟଙ୍କାଟିଏ ବି ପ୍ରାପ୍ୟ ପାଇ ନ ପାରି ଏଭଳି ସ୍ଥିତିରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଖାଲି ଏତିକି ନୁହେଁ, ଆଜି ସୁଦ୍ଧା କର୍ମଚାରୀ ଓ ଶ୍ରମିକମାନେ ମାର୍ଚ୍ଚମାସର ଦରମା ପାଇନାହାନ୍ତି। ପୁଣି ଏପ୍ରିଲ୍ ମାସର ଦରମା ପାଇଁ କୋଟିଏ ଟଙ୍କା ଦରକାର ପଡ଼ୁଥିବାରୁ ଏହା କେଉଁଠୁ ଆସିବ ଏହାକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଲକ୍‌ଡାଉନ୍ କଟକଣା ଯୋଗୁଁ ପ୍ରାୟ ୨୦ କୋଟି ଟଙ୍କାର ୬୫ ହଜାର କ୍ବିଣ୍ଟାଲ୍ ଚିନି ଓ ପ୍ରାୟ ସାଢ଼େ ୭ କୋଟି ଟଙ୍କାର ୬୦ହଜାର ପେଟି ମଦ ବିକ୍ରି ହୋଇନି। ଚିନିଶିଳ୍ପରେ କେବଳ ୩୦ହଜାର ପେଟି ମହଜୁଦ୍ ଥିବା ବେଳେ ବିଭିନ୍ନ ଡିପୋରେ ବାକି ପେଟି ସେମିତି ପଡ଼ି ରହିଛି। କରୋନା ମୁକାବିଲା ଲାଗି ଏଠାରୁ ପ୍ରସ୍ତୁତ ସାନିଟାଇଜର୍‌କୁ କେବଳ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟକୁ ବିକ୍ରି ପାଇଁ ଅନୁମତି ମିଳିଛି। ଫଳରେ ତାହା ମଧ୍ୟ କମ୍ ହେଲାଣି। ଦୈନିକ ମାତ୍ର ୨୦୦ ବୋତଲ୍ ବିକ୍ରି ହେଉଛି। ବେସରକାରୀ ଅନୁଷ୍ଠାନ ଓ ଔଷଧ ଦୋକାନରେ ଏହାର ବିକ୍ରି ପାଇଁ ଅନୁମତି ମିଳିବା ଆବଶ୍ୟକ ହୋଇ ପଡ଼ିଛି। ଏଭଳି ପରିସ୍ଥିତିରେ କେବଳ ସରକାର ହସ୍ତକ୍ଷେପ କଲେ ଆର୍ଥିକ ସଂକଟ ଦୂର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe