ଭଲ ସ୍ଥିତିକୁ ଫେରୁଛି ଆସିକା ଚିନିଶିଳ୍ପ

ଚାଷୀଙ୍କୁ ଦିଆଗଲା ୩.୬୭ କୋଟି ପ୍ରାପ୍ୟ, ଦରକାର ପଡ଼ିଲାନି ସରକାରୀ ଗ୍ୟାରେଣ୍ଟି

ଆସିକା ଚିନିଶିଳ୍ପରେ ଧଳାହାତୀ ‌ପୋଷା; ଆଖୁଚାଷୀ, ଚାଷକୁ ପ୍ରୋତ୍ସାହନ ଚିନ୍ତା ନାହିଁ

ଆସିକା : ଏସିଆର ପ୍ରଥମ ଗଞ୍ଜାମ ଜିଲ୍ଲାର ଆସିକା ଚିନିଶିଳ୍ପର ସ୍ବାଭାବିକ ଓ ଭଲ ସ୍ଥିତି ଫେରୁଛି। ଋଣଯନ୍ତାରୁ ଶିଳ୍ପ ଧୀରେ ଧୀରେ ମୁକୁଳୁଛି। ଲଗାତାର ଦ୍ବିତୀୟ ଥର ପାଇଁ ତଥା ଚଳିତବର୍ଷର ପ୍ରଥମ ପର୍ଯ୍ୟାୟରେ ବିନା ଋଣ ଓ ସରକାରୀ ଗ୍ୟାରେଣ୍ଟିରେ ଆଖୁଚାଷୀଙ୍କୁ ୩ କୋଟି ୬୭ ଲକ୍ଷ ଟଙ୍କା ପ୍ରାପ୍ୟ ଦିଆଯାଇଛି। ଯାହାକି ନିଶ୍ଚିତ ଭାବେ ଏକ ଶୁଭ ଖବର ବୋଲି ସମବାୟବିତ୍ ମାନେ ମତବ୍ୟକ୍ତ କରିଛନ୍ତି। ହସ୍ତଗତ ହୋଇଥିବା ତଥ୍ୟାନୁସାରେ, ଚିନିଶିଳ୍ପରେ ଲଗାତାର ଦ୍ବିତୀୟ ବର୍ଷ ଆଖୁ ପେଡ଼ା ଚାଲିଛି। ଜାନୁଆରି ୧୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୫୭୪ ଜଣ ଚାଷୀଙ୍କ ୩ କୋଟି ୬୭ ଲକ୍ଷ ୪୬ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଇଛି। ବିନା ଋଣ‌‌ରେ ଶିଳ୍ପ ନିଜସ୍ବ ପାଣ୍ଠିରୁ ଚାଷୀଙ୍କୁ ଟଙ୍କା ପ୍ରଦାନ କରିବାରେ ସମର୍ଥ ହୋଇଛି।

ଚଳିତବର୍ଷ ବହୁ ବିଳମ୍ବରେ ତଥା ଗତମାସ ୧୯ ତାରିଖରୁ ‌ଆଖୁ ପେଡ଼ା ଆରମ୍ଭ ହୋଇଥିଲା। ଏହା ଚଳିତମାସ ୨୨ ତାରିଖ ସୁଦ୍ଧା ଶେଷ କରିବାକୁ ଯୋଜନା ରହିଛି। କିନ୍ତୁ ଗତବର୍ଷ ତୁଳନା‌ରେ ଏଥର ୧୦ ହଜାର ମେଟ୍ରିକ୍ ଟନ୍ କମ୍ ଆଖୁ ଚାଷ ହୋଇଥିବାରୁ ପ୍ରାୟ ୩୫ ହଜାର ଟନ୍ ଆଖୁ ପେଡ଼ାଯିବ ବୋଲି ସୂଚନା ମିଳିଛି। ଏଥର ଆଖୁ ପେଡ଼ା ଆରମ୍ଭରୁ ପରିଚାଳନା ନିର୍ଦ୍ଦେଶକ ମନୋରଞ୍ଜନ ନାୟକ, ସମ୍ପାଦକ  ଆର.ଚନ୍ଦ୍ରଶେଖର ରେଡ୍ଡୀଙ୍କ ସହିତ ଆକାଉଣ୍ଟ୍‌ସ୍ ଅଧିକାରୀ ଓ ଆଖୁ ପରିଚାଳକ ପ୍ରମୁଖ ମିଳିତ ଭାବେ ଏକ ସପ୍ତାହ ଭିତରେ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବାକୁ ଯୋଜନା କରିଥିଲେ। ଗତବର୍ଷ ଜିଲ୍ଲାର ୧୬ଟି ବ୍ଲକ୍‌ରେ ୨୭୦୦ ଏକର ଜମିରେ ଆଖୁଚାଷ ପାଇଁ ଚିନିଶିଳ୍ପ ୨୧୫୫ ଜଣ ଚାଷୀଙ୍କ ସହ ଚୁକ୍ତି କରିଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଚାଷୀଙ୍କୁ ପ୍ରାପ୍ୟ ନଭେମ୍ବର ମାସ ଓ ୨୦୧୯-୨୦ରେ ଚାଷୀଙ୍କୁ ଜୁଲାଇ ମାସରେ ପ୍ରଦାନ କରାଯାଇଥିଲା।

ଚଳିତବର୍ଷ ଚାଷୀଙ୍କୁ ବିନା ଋଣ ଓ ଗ୍ୟ‌ାରେଣ୍ଟିରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇଥିବାରୁ ଏହା ସମସ୍ତଙ୍କୁ ଉତ୍ସାହିତ କରିବ। ଆଉ ମୋଟାମୋଟି ଭାବେ କହିବାକୁ ଗଲେ ଚିନିଶିଳ୍ପରେ ନୂଆ ପ୍ରଥା ଆରମ୍ଭ ହୋଇଛି। ପୂର୍ବରୁ ସରକାରୀ ଗ୍ୟାରେଣ୍ଟିରେ ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ୍‌ରେ ଚିନିକୁ ବନ୍ଧକ ରଖି  ଋଣ ଅଣାଯିବା ପରେ ଚାଷୀଙ୍କୁ ପ୍ରାପ୍ୟ ଦିଆଯାଉଥିଲା। ଗତବର୍ଷଠୁ ସଂସ୍ଥା ନିଜସ୍ବ ପାଣ୍ଠିରୁ ଏହି ଅର୍ଥ ଯୋଗାଇଆସୁଛି। ପୂର୍ବରୁ ସରକାରୀ ଗ୍ୟାରେଣ୍ଟି ଓ ଋଣର ସୁଧ ଆକାରରେ ଶିଳ୍ପକୁ ପ୍ରାୟ ୫୦ ଲକ୍ଷ ଟଙ୍କା ଗଣିବାକୁ ପଡ଼ୁଥିଲା। ସରକାରୀ ଗ୍ୟାରେଣ୍ଟି ପରେ ବ୍ୟାଙ୍କ୍‌ରୁ ଋଣ ଆଣି ଟଙ୍କା ପ୍ରଦାନ କରିବାରେ ବହୁ ବିଳମ୍ବ ହେଉଥିଲା। ଫଳରେ ଚାଷୀ ଓ ଶିଳ୍ପ ଉଭୟ କ୍ଷତି ସହୁଥିଲେ। ଚାଷୀ ଚାଷ ପାଇଁ ଆଣୁଥିବା ଟଙ୍କାର ସୁଧ ଦେଇ ହତାଶ ହେଉଥିବା ବେଳେ ଚିନିଶିଳ୍ପ ଋଣର ସୁଧ ଗଣି କ୍ଷତି ସହୁଥିଲା। ଏବେ ଠିକ୍ ସମୟରେ ପ୍ରାପ୍ୟ ମିଳିବାରୁ ଚାଷୀଙ୍କୁ ନୂଆ ବିହନ ଆଣି ଚାଷ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। ଚାଷୀ ବି ଲାଭବାନ୍ ହୋଇପାରିବେ। ପ୍ରତିବର୍ଷ ନଭେମ୍ବର ଶେଷ ବେଳକୁ ଯୋଜନା କରି ଆଖୁ ପେଡ଼ା ଆରମ୍ଭ ସହ ଉନ୍ନତମାନର ବିହନ ଓ ଚାଷୀଙ୍କ ବୀମା ଠିକ୍ ସମୟରେ ପ୍ରଦାନ କଲେ ସେମାନେ ଉତ୍ସାହିତ ହେବେ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe