ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ୍ ଦ୍ବାରା ପରିଚାଳିତ ଟ୍ରେନ୍ଡ ଗ୍ରାଜୁଏଟ୍ ଟିଚର(ଟିଜିଟି)ନିଯୁକ୍ତି ପ୍ରକ୍ରିୟା ସରିଥିଲେ ମଧ୍ୟ ମେରିଟ୍ ଲିଷ୍ଟ ବାହାରୁ ନାହିଁ। ଦିନ ଦୁଇଟା ସୁଦ୍ଧା ମେରିଟ୍ ଲିଷ୍ଟ ବାହାର କରିବାକୁ ଦାବି କରି ଆଜି ଓଏସ୍ଏସ୍ ଅଫିସ ସମ୍ମୁଖରେ ଆଶାୟୀ ସଂସ୍କୃତ ଶିକ୍ଷକମାନେ ଆଣ୍ଠେଇ ଧାରଣା ଦେଇଥିଲେ। ମନ୍ତ୍ରୀ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀମାନେ ଗୋଟିଏ ଦିନର ମହଲତ ଦେଇଛନ୍ତି। ଆସନ୍ତାକାଲି ମେରିଟ୍ ଲିଷ୍ଟ ନ ବାହାରିଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। ଆଜି ରାତି ତମାମ୍ ଓଏସ୍ଏସ୍ସି ଅଫିସ୍ ସମ୍ମୁଖରେ ଆନ୍ଦୋଳନକାରୀମାନେ ବସି ରହିଛନ୍ତି।
ଆଶାୟୀ ସଂସ୍କୃତ ଶିକ୍ଷକମାନେ କହିଛନ୍ତି ଯେ ଟିଜିଟି ଏଲ୍ଟିଆର୍ ଅଧୀନରେ ବାହାରିଥିବା ସମସ୍ତ ପଦବି ପାଇଁ ଡକ୍ୟୁମେଣ୍ଟ୍ ଯାଞ୍ଚ ଅକ୍ଟୋବର ୨୨ ସୁଦ୍ଧା ସରିଥିଲା। ଏହାପରେ ଓଏସ୍ଏସ୍ସି ତରଫରୁ ତ୍ବରିତ ପଦକ୍ଷେପ ନିଆଯାଇ ନଭେମ୍ବର ୪ ସୁଦ୍ଧା ସମସ୍ତ ବିଷୟର ମେରିଟ୍ ଲିଷ୍ଟ୍ ପ୍ରକାଶ କରାଗଲା। କିନ୍ତୁ ବିନା କୌଣସି ସ୍ପଷ୍ଟ କାରଣରେ କେବଳ ଟିଜିଟି ସଂସ୍କୃତ ପଦବିର ମେରିଟ୍ ଲିଷ୍ଟ୍ ବାହାରିଲା ନାହିଁ। ତେଣୁ ତୁରନ୍ତ ଓଏସ୍ଏସ୍ସି ଏବଂ ରାଜ୍ୟ ସରକାର ଟିଜିଟି ସଂସ୍କୃତ ପଦବି ପାଇଁ ମେରିଟ୍ ତାଲିକା ପ୍ରକାଶ କରିବାକୁ ଆଶାୟୀମାନେ ଦାବି କରିଛନ୍ତି। ବିମଳ ଶତପଥୀଙ୍କ ନେତୃତ୍ବରେ ଆଜି ଏହି ଧାରଣାରେ ଶହ ଶହ ସଂଖ୍ୟାରେ ଆଶୟୀ ଧାରଣା ଦେଇଥିଲେ।
Follow Us