ପୁଣି ଇଡିକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ: ବିଧାନସଭା ମୁଲତବୀ

Advertisment
ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍: ୬ ଦିନ ଆଗରୁ ବଜେଟ୍‌ ଅଧିବେଶନ ଶେଷ

Telegraph India

ଭୁବନେଶ୍ବର : ଶନିବାର ଦିନ ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ। ଶୂନ୍ୟକାଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କାର୍ଯ୍ୟକୁ ନେଇ ବିଜେପି ଓ କଂଗ୍ରେସ ସଭ୍ୟମାନେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିଥିଲେ। ଫଳରେ ବିଧାନସଭା ବାରମ୍ବାର ମୁଲତବୀ ହୋଇଥିଲା। ଶୂନ୍ୟକାଳ ଅଧାରୁ ଗୃହ କାର୍ଯ୍ୟ ଅଟକିଯାଇଥିଲା ବେଳେ ମୁଲତବୀ ଆଲୋଚନା ଆଦୌ ହୋଇପାରି ନଥିଲା।
ଆଜି ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଲେ, ଦୁଇ ଦିନ ତଳେ କଂଗ୍ରେସ ବନ୍ଧୁମାନେ ଇଡିର କାର୍ଯ୍ୟଧାରାକୁ ନେଇ ହୋହଲ୍ଲା କରିଥିଲେ। କିନ୍ତୁ ଆଜି ପଶ୍ଚିମବଙ୍ଗରେ ଜଣେ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ଇଡି ୨୦ କୋଟି ଟଙ୍କା ଜବତ କରିଛି। ଏହା କ’ଣ ମିଛ? ଆମେ ଏଠାରେ ସ୍ପଷ୍ଟ କରୁଛୁ ଯେ କେନ୍ଦ୍ର ସରକାର ସିବିଆଇ କି ଇଡିର କାର୍ଯ୍ୟ ଉପରେ ହସ୍ତକ୍ଷେପ କରନ୍ତି ନାହିଁ। ସ୍ବାଧୀନ ଭାବେ ସେମାନଙ୍କୁ କାମ କରିବାକୁ ସୁଯୋଗ ଦିଅନ୍ତି। ଯେଉଁମାନେ ଲୋକଙ୍କ ଟଙ୍କା ଲୁଟୁଛନ୍ତି ଓ ଶୋଷଣ କରୁଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ କଦାପି ଛାଡ଼ିବେ ନାହିଁ। ସେଥିପାଇଁ ବିଜେପିର କୌଣସି ମନ୍ତ୍ରୀ, ସାଂସଦଙ୍କ ଦେହରେ ଦୁର୍ନୀତି ଛିଟା ବାଜିନି। ତେଣୁ ଅଯଥା ପ୍ରସଙ୍ଗ ଆଉ ଗୃହରେ ଉଠା ନଯାଉ।

ଶ୍ରୀ ସେଠୀଙ୍କ ମନ୍ତବ୍ୟର ପ୍ରତିବାଦ କରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ଯିଏ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ବିରୋଧ କରୁଛି ତାଙ୍କ ବିରୋଧରେ ସିବିଆଇ ଓ ଇଡି ଲଗାଇଦିଆଯାଉଛି। ଗଣତନ୍ତ୍ରକୁ କେନ୍ଦ୍ର ସରକାର ହତ୍ୟା କରୁଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ଜାଣିଶୁଣି ହଇରାଣ କରୁଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ପୁଅର ସମ୍ପତ୍ତି ୮ ବର୍ଷରେ ୪ ହଜାର କୋଟି ଟଙ୍କା ହେଲା କେମିତି? ମହାରାଷ୍ଟ୍ରରେ ଗଣତନ୍ତ୍ରକୁ ହତ୍ୟା କରାଗଲା। ଏସବୁ ଦେଶ ପ୍ରତି ଶୁଭଙ୍କର ନୁହେଁ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ବିରୋଧୀ ଦଳ ଉପନେତା କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ କାହାରିକୁ ଛାଡ଼ନ୍ତି ନାହିଁ। ତେବେ କ’ଣ ବୁଝିବାକୁ ହେବ ‌ଯେ ସବୁ ଇଡି ଚଢ଼ଉ ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତରେ ହେଉଛି? ଯେଉଁମାନେ କୋଟି କୋଟି ଟଙ୍କା ଲୁଟି ବିଦେଶକୁ ଚାଲିଯାଇଛନ୍ତି, ସେମାନଙ୍କ ବିରୋଧରେ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି? ବିଜୟ ମାଲ୍ୟା ଦେଶ ଛାଡ଼ି ଚାଲିଯିବା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଆଦାନୀ କାହା ତାକତ୍‌ରେ ଦୁର୍ନୀତି କରୁଛି ତାହା କାହାକୁ ଅଛପା ନାହିଁ।

ଶ୍ରୀ ସାଲୁଜା କହିଲା ପରେ ବିଜେପି ସଭ୍ୟମାନେ ତାହାର ପ୍ରତିବାଦ କରିଥିଲେ। କଂଗ୍ରେସ ସଭ୍ୟମାନେ ଗୃହରେ ଅପ୍ରାସଙ୍ଗିକ କଥା ଉଠାଉଛନ୍ତି ବୋଲି ଆରୋପ ଲଗାଇଥିଲେ। କଂଗ୍ରେସ ବିଧାୟକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ନାରବାଜି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଫଳରେ ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ଗୃହକୁ ୨୫ ମିନିଟ୍‌ ମୁଲତବୀ ରଖିଲେ। ତାହା ପରେ ସ୍ଥିତି ନ ସୁଧୁରିବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe