ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ୪ର୍ଥ ଦିନରେ ଶନିବାର ସ୍ବାଭାବିକ ଭାବେ ପରିଚାଳିତ ହୋଇପାରି ନାହିଁ। ଆଜି ପୁଣି ବିରୋଧୀମାନେ ହଙ୍ଗାମା କରିଛନ୍ତି। ତେଣୁ ବାଚସ୍ପତି ସୋମବାର ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି। ଆଜି ଅପରାହ୍ନରେ ବିଧାନସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳର ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଗୃହରେ ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ମାନେ ହଟ୍ଟଗୋଳ କରିବା ସହିତ ପ୍ରତିବାଦ କରିଥିଲେ, ଯାହାକୁ ଦେଖିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି । ସୋମବାର ସକାଳ ସାଢେ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ବିଧାନସଭାରେ ଆଜି ବି ଦେଖିବାକୁ ମିଳିଛି ଦିବ୍ୟଶଙ୍କର ଝଡ । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଆଜି ବି ବିଧାନସଭାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗୃହରେ ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । ବିଧାୟକ ତାରାବହିନୀ ପତି ପୂଜକ ବେଶରେ ବିଧାନସଭା ଗୃହରେ ଗଙ୍ଗା ଜଳ ଛିଞ୍ଚି ପ୍ରତିବାଦ ଜଣାଇଥିଲେ । ସେହିପରି କଂଗ୍ରେସର ଅନ୍ୟ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ପ୍ରତିବାଦ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ସେହିପରି ବିଜେପି ବିଧାୟକମାନେ ଆଜି ବି ପ୍ରତିବାଦ କରିଛନ୍ତି । ସିବିଆଇ ତଦନ୍ତ ଦାବି କରି ସେମାନେ ପ୍ରତିବାଦ କରିଛନ୍ତି ।
Follow Us