ବିଧାନସଭାରେ ବିଜେପି ସଦସ୍ୟଙ୍କ ଘଣ୍ଟମାଡ଼, ଶାସକ ଦଳର ଗଙ୍ଗାଜଳ ସିଞ୍ଚନ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

Advertisment
ବିଧାନସଭାରେ ବିଜେପି ସଦସ୍ୟଙ୍କ ଘଣ୍ଟମାଡ଼, ଶାସକ ଦଳର ଗଙ୍ଗାଜଳ ସିଞ୍ଚନ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ୫ ଦିନ ଧରି ଯାହା ଘଟୁଥିଲା, ମଙ୍ଗଳବାର ତାହାର ପୁନରାବୃତ୍ତି ହେଲା। ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ହୋହଲ୍ଲା କଲେ। ବିଧାନସଭାରେ ବିଜେପି ସଭ୍ୟମାନେ ଘଣ୍ଟମାଡ଼ କରିଥିଲେ ଓ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ। ଏହାପରେ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ଏହି ଘଟଣା ସଂପର୍କରେ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାକୁ ଆସୁନାହାନ୍ତି। ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି, ରାଜ୍ୟରେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ମାନଙ୍କ ସଂଖ୍ୟା ବଢିଗଲାଣି, ମୁଖ୍ୟମନ୍ତ୍ରୀ କିଛି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ନିଦରୁ ଉଠାଇବା ପାଇଁ ଗୃହରେ ଘଣ୍ଟମାଡ଼ କରିଛୁ।

ଏଣେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଦୁର୍ନୀତି ଲୁଚାଇବାକୁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି। ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍‌ବୁଦ୍ଧି ଦିଅନ୍ତୁ, ଅଭିଯୁକ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ, ବିଜେଡିର ସଦ୍‌ବୁଦ୍ଧି ଫେରିବା ଯାଏଁ ଲଢେଇ ଜାରି ରହିବ।

ଏଣେ ଶାସକ ଦଳର ସଦସ୍ୟାମାନେ ବିରୋଧୀ ସଦସ୍ୟମାନଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ଉପରେ ଚଢ଼ି ତାଙ୍କ ପଛରେ ଓ କଡ଼ରେ ଠିଆ ହୋଇ ପ୍ଲାକାର୍ଡ ପ୍ରଦର୍ଶନ କଲେ। ବିଜେପି ସଭ୍ୟମାନେ ପୋଡିୟମ୍ ତଳେ ଠିଆ ହୋଇ ପ୍ଲାକାର୍ଡ ଦେଖାଇବା ସହ ନାରାବାଜି କରିଥିଲେ। ବିରୋଧୀଙ୍କ ନାରାବାଜିରେ ଗୃହ କମ୍ପୁଥିଲା ବେଳେ ଶାସକ ଦଳ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ପଡ଼ିଥିଲେ। ସମସ୍ତେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ନାରାବାଜି କରିଥିଲେ। ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏତେ ତୀବ୍ର ଥିଲା ଯେ ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ବାଚସ୍ପତି ସମସ୍ତଙ୍କୁ ବସିବା ପାଇଁ ଅନୁରୋଧ କରୁଥିଲେ ବି କେହି ଶୁଣିବା ସ୍ଥିତିରେ ନ ଥିଲେ। ତିନି ମିନିଟ୍ ପରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe