ଏଣିକି ସଚିବାଳୟ ପରି ଓସ୍‌ୱାସ୍‌ରେ ହେବ ବିଧାନସଭା ଫାଇଲ୍‌ କାମ

Advertisment

ଆଜିଠୁ କର୍ମଚାରୀଙ୍କୁ ପ୍ରଶିକ୍ଷଣ, କେନ୍ଦ୍ର ଟଙ୍କା ଦେଲା ପରେ ବି ଆଗଉନି ଇ-ବିଧାନସଭା କାମ

ଆଜିଠୁ କର୍ମଚାରୀଙ୍କୁ ପ୍ରଶିକ୍ଷଣ, କେନ୍ଦ୍ର ଟଙ୍କା ଦେଲା ପରେ ବି ଆଗଉନି ଇ-ବିଧାନସଭା କାମ

ବିଧାନସଭାର ଶୀତ ଅଧିବେଶନ ପାଇଁ ଯାନବାହାନ କଟକଣା ଜାରି

Odisha News Insight

ଭୁବନେଶ୍ୱର : ପେପର୍‌ଲେସ୍‌ ହେବ ବିଧାନସଭା। ଏଣିକି ସଚିବାଳୟ ପରି ଓସ୍‌ୱାସ୍‌ ସଫ୍ଟୱେର ଜରିଆରେ ବିଧାନସଭାର ଫାଇଲ କାମ ହେବ। ସେଥିପାଇଁ ଆସନ୍ତାକାଲିଠାରୁ ବିଧାନସଭା ସଚିବାଳୟ କର୍ମଚାରୀଙ୍କୁ ଓକାକ୍‌ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କାମ ଆରମ୍ଭ ହେଉଛି। ଅନ୍ୟପଟେ ସମ୍ପୂର୍ଣ୍ଣ ଇ-ବିଧାନସଭା ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ଟଙ୍କା ପଠାଇଥିଲେ ବି କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ଏଯାଏଁ କାମ ତ୍ବାରାନ୍ବିତ ହୋଇପାରିନି।

ପ୍ରାଥମିକ ପର୍ଯ୍ୟାୟରେ ବିଧାନସଭା ଆକାଉଣ୍ଟ୍‌ସ ବିଭାଗ, ଅଫିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌, ସାଧାରଣ ଓ ଆନୁସଙ୍ଗିକ ବିଭାଗର କର୍ମଚାରୀଙ୍କୁ ଓସ୍‌ୱାସ୍‌ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏସବୁ ବିଭାଗର ଏଏସ୍‌ଓ, ଏସ୍‌ଓ, ଡେସ୍କ୍‌ ଅଫିସର, ଅନୁସଚିବ, ଉପଶାସନ ସଚିବ, ସଚିବଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହାସହିତ ବାଚସ୍ପତି ଓ ଉପବାଚସ୍ପତି ବି ଅନ୍‌ଲାଇନ୍‌ ଫାଇଲ କାମ ପାଇଁ ପ୍ରଶିକ୍ଷଣ ନେବେ। ଓସ୍‌ୱାସ୍‌ ନେଟୱାର୍କ ପାଇଁ ବିଧାନସଭାର ପ୍ରତ୍ୟେକ ବିଭାଗରେ କମ୍ପ୍ୟୁଟର ଲଗାଇବା କାମ ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ବିଧି ବିଭାଗ, ବିଧେୟକ ବିଭାଗ, ଲାଇବ୍ରେରୀ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ଏବେ ନେଭା ଅପ୍ଲିକେସନ୍‌ ଜରିଆରେ ବିଧାନସଭାର ସଦସ୍ୟମାନଙ୍କୁ ତାରକା ଓ ଅଣତାରକା ପ୍ରଶ୍ନର ଉତ୍ତର ଯୋଗାଇ ଦିଆଯାଉଛି। ଏଥିପାଇଁ ବିଧାନସଭା ସଦସ୍ୟମାନଙ୍କୁ ଆଇପ୍ୟାଡ୍‌ ଯୋଗାଇ ଦିଆଯାଇଛି। ଇ-ବିଧାନସଭା କାମ ସମ୍ପୂର୍ଣ୍ଣ କରିବା ପାଇଁ ମୋଟ ୮ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହି ଅର୍ଥର ୬୦ ପ୍ରତିଶତ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ବହନ କରିବାକୁ ଥିବାବେଳେ ବାକି ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ। ଏ ନେଇ ବ୍ୟୟ ବରାଦ ସରିଛି। ବିଶ୍ବସ୍ତସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏ ବାବଦରେ ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ର ସରକାର ୧ କୋଟି ୨ ଲକ୍ଷ ଟଙ୍କା କେବେଠାରୁ ପ୍ରଦାନ କରିସାରିଛନ୍ତି। କିନ୍ତୁ ତଥାପି ଏ ଯାଏଁ କାମ ଆରମ୍ଭ ହୋଇନି। ବିଧାନସଭାକୁ କାଗଜ ବିହୀନ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବର୍ଷକ ତଳୁ ଘୋଷଣା କରିଥିଲେ ବି କାହିଁକି କାମ ତ୍ବରାନ୍ବିତ ହୋଇପାରୁନି ସେ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ଆସନ୍ତା ୨୦ ତାରିଖରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ଶୀତ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ୍‌ ପ୍ରକୋପ ଜାରି ରହିଥିବାରୁ ଗତ ମୋସୁମୀ ଅଧିବେଶନରେ ଯେପରି ସାମାଜିକ ଦୂରତା ରକ୍ଷା କରି ସଦସ୍ୟମାନଙ୍କ ପାଇଁ ଗୃହରେ ବ୍ୟବସ୍ଥା କରାଯାଇଥିଲା ଅନୁରୂପ ଭାବେ ଏଥରକ ବି ସମାନ ବ୍ୟବସ୍ଥା ଗ୍ରହଣ କରାଯିବ। ମୌସୁମୀ ଅଧିବେଶନରେ ଯେପରି ପ୍ରଶ୍ନକାଳ ରହି ନଥିଲା ସେହିପରି ନିୟମ ଶୀତଅଧିବେଶନରେ ବି ଦେଖିବାକୁ ମିଳିପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe