ଆଜିଠୁ ବିଧାନସଭା : ୩ ମନ୍ତ୍ରୀ, ୧୧ ବିଧାୟକଙ୍କୁ କରୋନା

ଉପବାଚସ୍ପତି ରଜନୀକାନ୍ତ ସିଂ ବି ସଂକ୍ରମିତ, ୯୫୦ରୁ ଅଧିକ ନମୁନା ପରୀକ୍ଷା, ୧୮୪ ପଜିଟିଭ୍‌

ଆଜିଠୁ ବିଧାନସଭା : ୩ ମନ୍ତ୍ରୀ, ୧୧ ବିଧାୟକଙ୍କୁ କରୋନା

ବିଧାନସଭା ଅଧିବେଶନ ପୂର୍ବରୁ ବିଧାନସଭା ପରିସରକୁ ‌ବିଶୋଧନ କରାଯାଉଛି

ଭୁବନେଶ୍ୱର : ମଙ୍ଗଳବାରଠାରୁ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନା ଭୟ ବଢ଼ିବାରେ ଲାଗିଛି। ଗତକାଲି ହୋଇଥିବା ପ୍ରାୟ ୨ ଶହ କୋଭିଡ୍‌ ନମୁନା ପରୀକ୍ଷାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କୁ ମିଶାଇ ସମୁଦାୟ ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଲଗାତାର ଦୁଇଦିନ ଧରି ପରୀକ୍ଷା ହୋଇଥିବା ମୋଟ ୯୫୦ରୁ ଅଧିକ ନମୁନା ମଧ୍ୟରୁ ମନ୍ତ୍ରୀ, ବିଧାୟକ, ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇ ୧୮୪ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବିଧାନସଭା କାର୍ଯ୍ୟ ସୂଚାରୁ ରୂପେ ଚାଲିବା ନେଇ ଆଶଙ୍କା ସୃଷ୍ଟି ହେଲାଣି।

ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ୍‌ ପରୀକ୍ଷା କରିବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦେଶ ଦେଇଥିଲେ। ପ୍ରଥମ ଦିନରେ ୭୫୮ ନମୁନା ସଂଗ୍ରହ ହୋଇଥିବା ବେଳେ ଏଥିରେ ୧୩୬ ପଜିଟିଭ୍ ରହିଥିଲେ। ଗତକାଲି ୨ଶହରୁ ଅଧିକ ନମୁନା ପରୀକ୍ଷାରୁ ୪୮ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ଉପ-ବାଚସ୍ପତି ରଜନୀକାନ୍ତ ସିଂ ପଜିଟିଭ୍ ହୋଇଛନ୍ତି। ତାଙ୍କୁ ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କଠାରେ କରୋନାର ସ୍ବଳ୍ପ ଲକ୍ଷଣ ଥିବା ସେ ନିଜେ ଟ୍ବିଟ୍‌ କରିଛନ୍ତି। ସେହିପରି ମନ୍ତ୍ରୀ ସମୀର ରଂଜନ ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ରି ପୋର୍ଟ ପଜିଟିଭ୍ ରହିଛି। ଏହାସହ ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରି ନାଏକ, ପ୍ରଶାନ୍ତ ଜଗଦ୍ଦେବ, ଅଶୋକ ବଳ, ଭାଗିରଥୀ ସେଠୀ, ବିଷ୍ଣୁବ୍ରତ ରାଉତରାୟ ଓ ସୁକାନ୍ତ ନାୟକ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସୁକାନ୍ତ ନାୟକ, ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ ଓ ସମୀର ରଂଜନ ଦାଶ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କର ଆରଏନ୍‌ଏ ଫ୍ରାଗମେଣ୍ଟ ଯୋଗୁଁ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି କି ପୁନର୍ବାର ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଆଜି ଆଉ ୨୫ଜଣ ବିଧାୟକ ନିଜର ନମୁନା ପରୀକ୍ଷା କରାଇଥିବା ବେଳେ ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ତେବେ ବିଧାନସଭା ପରିସରରେ ଚାଲିଥିବା ନମୁନା ସଂଗ୍ରହ କ୍ୟାମ୍ପରେ ଆଉ ନମୁନା ସଂଗ୍ରହ କରାଯିବ ନାହିଁ। ଆସନ୍ତା ୪ତାରିଖରେ ପୁନର୍ବାର ନମୁନା ସଂଗ୍ରହ କରାଯିବ। ଯେଉଁ ବିଧାୟକମାନେ ନମୁନା ସଂଗ୍ରହରେ ସାମିଲ ହୋଇପାରି ନାହାନ୍ତି ସେମାନେ ନିଜର କୋଭିଡ୍‌ ପରୀକ୍ଷା କରି ନେଗେଟିଭ୍ ରିପୋର୍ଟ ସାର୍ଟିଫିକେଟ୍‌ ଦେଖାଇବା ପରେ ହିଁ, ଗୃହରେ ଅନୁପ୍ରେବଶର ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe